ଭାସ୍କର ପରିଛା

ମହାମାରୀ। ଅନ୍ୟ ଅର୍ଥରେ ଗଣ ସଂହାରର ଅସରନ୍ତି କାହାଣୀ। ପ୍ଲେଗ୍, ବସନ୍ତ, ଇନ୍‌ଫ୍ଲ୍ୟୁଏଞ୍ଜା, କଲେରା ଏସବୁ ପାଣ୍ଡେମିକ୍ ଯେତେବେଳେ ପୃଥିବୀପୃଷ୍ଠକୁ ଆସିଛନ୍ତି ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି, ସହରଗୁଡ଼ିକ ଧ୍ଵଂସପ୍ରାପ୍ତ ହୋଇଛନ୍ତି ଓ ସେହି ମହାମାରୀ ଛାଡ଼ିଦେଇଯାଇଛି ଅସଂଖ୍ୟ ବେଦନାର ଗାଥା। ପୁରୁଷ ପୁରୁଷ ଧରି ମାନବ ସମାଜ ଏହି ସଂହାରଲୀଳାକୁ ମନେ ପକାଇ ଆସିଛି। ସାମ୍ପ୍ରତିକ ସମୟରେ ଏକ ଶଙ୍କାଗ୍ରସ୍ତ ଓ  ଭୀତତ୍ରସ୍ତ ଜୀବନର ଖଳନାୟକ ହେଉଛି କରୋନା ବା କୋଭିଡ-୧୯। ଏହା କେବଳ ଏକ ପ୍ରଳୟ ନୁହେଁ, ବିସ୍ମୃତ ନହେବା ଭଳି ଏକ  ବିଭୀଷିକା। କି ଧନୀ କି ଗରିବ, ସାଧାରଣ-ଅସାଧାରଣ ସମସ୍ତଙ୍କୁ କବଳିତ କରିଛି ଏହି ଭୂତାଣୁ।

ମହାମାରୀକୁ ନେଇ ବିଶ୍ୱ ସାହିତ୍ୟରେ ଅନେକ ଲେଖାଲେଖି ପଢ଼ିବାକୁ ମିଳେ। କାମ୍ୟୁଙ୍କ ‘ପ୍ଲେଗ୍’ରୁ ଆରମ୍ଭ କରି ମାରକୁଇଜଙ୍କ ‘ଲଭ୍ ଇନ୍ ଦ ଟାଇମ୍ ଅଫ୍ କଲେରା’ ପର୍ଯ୍ୟନ୍ତ। ଭାରତୀୟ ସାହିତ୍ୟରେ ମଧ୍ୟ ମହାମାରୀ ପୃଷ୍ଠଭୂମିରେ  ସୃଜନର ଅଭାବ ନାହିଁ। ରବୀନ୍ଦ୍ରନାଥ ଟାଗୋର, ପ୍ରେମଚାନ୍ଦ ଓ ସୂର୍ଯ୍ୟକାନ୍ତ ତ୍ରିପାଠୀ ‘ନିରାଲା’, ଥାକାଜି ଶିବଶଙ୍କର ପିଲାଇ ଆଦି ବିଖ୍ୟାତ ସାହିତ୍ୟିକମାନେ ବେଶ୍ କିଛି ସଙ୍କଟ-ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି।

ମହାମାରୀ ସାହିତ୍ୟ କଥା ଯେତେବେଳେ ଉଠେ ଓଡ଼ିଆ ସାହିତ୍ୟର ଅବଦାନ ବି  ଏଥିରେ କିଛି କମ ନୁହେଁ। ବରଂ, ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପକୁ କେହି କେହି ବିଶ୍ୱ ପାଣ୍ଡେମିକ ସାହିତ୍ୟରେ ଏକ ଅଗ୍ରଣୀ ସୃଷ୍ଟି ବୋଲି ଅଭିହିତ କରିଥାନ୍ତି।

ଖୁସିର ବିଷୟ ଯେ, କରୋନା ମହାମାରୀକୁ ନେଇ ଓଡ଼ିଆରେ ଏକ ସମ୍ପୂର୍ଣ୍ଣ ଗଳ୍ପ ସଂକଳନ ପ୍ରକାଶ ପାଇଛି। ଓଡ଼ିଆ ଭାଷାର ପ୍ରବୀଣ ଓ ଲବ୍ଧପ୍ରତିଷ୍ଠ ଗାଳ୍ପିକଙ୍କୁ ନେଇ ପ୍ରକାଶିତ ଏହି ଗଳ୍ପ ସଂକଳନ ଅନେକ ବିଚାରରୁ ଏକ ନିଆରା ଉଦ୍ୟମ। ସଂଗ୍ରହରେ ମୋଟ ୨୪ଟି ଗଳ୍ପ ରହିଛି।

ଉଭୟ ତରୁଣ ଓ ବୟୋଜ୍ୟେଷ୍ଠ ଗାଳ୍ପିକ ଏହାର ପୃଷ୍ଠା ମଣ୍ଡନ କରିଛନ୍ତି : କଇଳାଶ ପଟ୍ଟନାୟକ, ଚିରଶ୍ରୀ ଇନ୍ଦ୍ରସିଂ, ଦାଶ ବେନହୁର, ଦୀପ୍ତିରଞ୍ଜନ ପଟ୍ଟନାୟକ, ଦେବବ୍ରତ ମଦନରାୟ, ଦେଶବନ୍ଧୁ ସ୍ୱାଇଁ, ନୃସିଂହ ତ୍ରିପାଠୀ, ନୃସିଂହ ପ୍ରସାଦ ମହାପାତ୍ର, ପରେଶ କୁମାର ପଟ୍ଟନାୟକ, ପ୍ରବୁଦ୍ଧ ଜଗଦେଵ, ବିୟତପ୍ରଜ୍ଞା ତ୍ରିପାଠୀ, ଭୀମ ପୃଷ୍ଟି, ମନୁ ଦାଶ, ସ୍ଵର୍ଗତ ମନୋଜ କୁମାର ପଣ୍ଡା, ମମତାମୟୀ ଚୈଧୁରୀ, ମଳୟ ମିଶ୍ର, ମିହିର କୁମାର ସାହୁ, ଯଶୋଧାରା ମିଶ୍ର, ରବି ସ୍ୱାଇଁ, ରବୀନ୍ଦ୍ର କୁମାର ଦାସ, ରମେଶ ପଟ୍ଟନାୟକ, ସତ୍ୟ ମିଶ୍ର, ସତ୍ୟପ୍ରିୟ ମହାଳିକ ଓ ସଦାନନ୍ଦ ତ୍ରିପାଠୀ। ଏମାନଙ୍କ ଗଳ୍ପରେ ସଜ୍ଜିତ ଏହି ସଂକଳନ ଏକାଧିକ  ଦୃଷ୍ଟିକୋଣରୁ ଏକ ମାଇଲଖୁଣ୍ଟ।

ସଂକଳନର ପ୍ରସ୍ତାବନାରେ ମନୁ ଦାଶ ଲେଖିଛନ୍ତି: “ପୃଥିବୀର କୌଣସି ଦେଶ ଏଇ ଭୂତାଣୁ କବଳରୁ ମୁକ୍ତ ନଥିଲା। ବେଶ୍ ସୁନ୍ଦର ଦେଖା ଯାଉଥିବା ଏକ ଭୂତାଣୁ ଯେ  ବିଶ୍ୱର ଅନେକ ଜନସାଧାରଣଙ୍କୁ ନିଶ୍ଚିହ୍ନ କରିଦେବ, ଏକଥା ଭାବିବା ବେଳକୁ  ଆତଙ୍କରେ ଶିହରି ଉଠୁଥିଲା ଦେହ ଓ ମନ। ଏପରି ଦୁଃସମୟରେ ସାହିତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ଆଦି ନିଶ୍ଚୟ ଅଦ୍ଭୁତ ଲାଗିପାରେ। ମାତ୍ର ଯେହେତୁ ହାରି ନ ଯିବା ମଣିଷର ସହଜାତ ପ୍ରବୃତ୍ତି ଓ ପରାଜୟକୁ ସ୍ୱୀକାର ନ କରିବାର ମାନସିକତା ହିଁ ତାର ବିଶିଷ୍ଟ ସମ୍ବଳ, ଜୀବନରେ ସ୍ୱାଭାବିକତାର ପୁନଃଉପଲବ୍ଧି ପାଇଁ ସେ ଉତ୍କଣ୍ଠା, ସୃଜନଶୀଳତା, ଏକଲାପଣ ଓ ସଂପ୍ରୀତିର ଦଉଡ଼ି ଧରି ଦୋଳି ଖେଳିବା ଅନ୍ତତଃ ବାଧ୍ୟ। ଏବେ ଯେଉଁ ଅକଳ୍ପନୀୟ ପରିସ୍ଥିତି ଓ ପରିବେଶକୁ ନେଇ ମଣିଷ ଜୀଇଁଛି, ସେ ସବୁକୁ ଗଳ୍ପ, କବିତା ବା ଅନ୍ୟାନ୍ୟ ସହିତ୍ୟକଳାରେ ସେଇ ସମୟକୁ ବାନ୍ଧି ରଖିବାକୁ ଚାହେଁ। ସେ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟିକ ଆଦୌ ଭିନ୍ନ ନୁହେଁ। ଏପରି ଅବବୋଧ ହିଁ ‘ହାତଧୁଆ ବେଳ’ ସଂକଳନର ମଞ୍ଜି।”

ହାତଧୁଆ ବେଳର କେତୋଟି ବିଶେଷତ୍ୱ ଆଖିରେ ପଡ଼େ। କରୋନା ପୃଷ୍ଠଭୂମିରେ ଭାରତୀୟ ଭାଷାରେ ଏହା ବୋଧହୁଏ ପ୍ରଥମ କାହାଣୀ ସଂକଳନ। କରୋନା ଆସିବା ପରେ ସମଗ୍ର ବିଶ୍ୱରେ ଲୋକେ କାମ୍ୟୁଙ୍କ ‘ପ୍ଲେଗ୍’ ଉପନ୍ୟାସର ପୁନରାବଲୋକନ କିଭଳି କରିଛନ୍ତି ତାର ଅବତାରଣା କରାଯାଇଛି ଏଥିରେ। ମନୁ ଦାଶ ସ୍ୱୀକାର କରିଛନ୍ତି ଯେ, ଏହି ସଂକଳନ ପାଇଁ ସେ କରୋନା ସଂପର୍କିତ ବହୁ କବିତା ଓ ଉପନ୍ୟାସ ଦ୍ୱାରା ପ୍ରଭାବିତ ହୋଇଥିଲେ।

ସଂକଳନର ଏକ ଉଲ୍ଲେଖଯୋଗ୍ୟ ସଂଯୋଜନା ଏହାର ପ୍ରାକକଥନ। ପୂର୍ବାଭାସରେ ବିଶିଷ୍ଟ ଲେଖକ କମଳାକାନ୍ତ ମହାପାତ୍ର କରୋନା ବା କୋଭିଡ୍‌ର ଏକ ୩୬୦ ଡିଗ୍ରୀ ବିଶ୍ଳେଷଣ କରିଛନ୍ତି। ତାଙ୍କ ମତରେ: “କୋଭିଡ-୧୯ ହେଉଛି ମାନବ ସମାଜ ଇତିହାସରେ ପ୍ରକୃତ ବିଶ୍ଵବ୍ୟାଧି। ମହାମଡ଼କ ନୁହେଁ – ମହୀମଡ଼କ, ଗ୍ରହ ବିନାଶକ। ଅତୀତରେ ଘଟିଥିବା ସମସ୍ତ ମହାମାରୀ ଏହା ତୁଳନାରେ ନ୍ୟୁନ। ଏତେ ଅଳ୍ପ ସମୟ ଭିତରେ ପୃଥିବୀର କୋଣ ଅନୁକୋଣକୁ ବ୍ୟାପି ଯାଇଥିବା କୌଣସି ରୋଗ, ଅବା ଅନ୍ୟ କୌଣସି ପ୍ରାକୃତିକ ବା ଅପ୍ରାକୃତିକ(ମାନବକୃତ) ଦୁର୍ବିପାକ କେବେ ଘଟିନଥିଲା; ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ବ୍ୟତୀତ।”

ସଂକଳନରେ ସ୍ଥାନିତ ପ୍ରତିଟି ଗଳ୍ପରେ କରୋନା ଓ ତଜ୍ଜନିତ ହା ହୁତାଶାର ସଫଳ ରୂପାୟନ ହୋଇଛି ଏଥିରେ ଦ୍ଵିମତ ନାହିଁ। ଗାଳ୍ପିକମାନେ ସେମାନଙ୍କର ଚରିତ୍ରଗୁଡ଼ିକୁ ଅତି ସନ୍ତର୍ପଣରେ ପାଠକଙ୍କ ପାଖକୁ ଆଣିଛନ୍ତି। ଏଥିରେ ଆଡ଼ମ୍ବର ନାହିଁ କି ଆତିଶଯ୍ୟ ନାହିଁ। ଗଳ୍ପକୁ ବାସ୍ତବ ଓ ବେଦନାଦାୟକ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯାଇଛି।

ସବୁଠାରୁ ବଡ଼ କଥା ଏହି ଯେ କରୋନା ମହାମାରୀ ଆରମ୍ଭ ହେବାର ମାତ୍ର କେଇ ଦିନ ଭିତରେ ଏକ ଗଳ୍ପ ସଂକଳନକୁ ଛିଡ଼ା କରାଯାଇପାରିଛି। ମନୁ ଦାଶଙ୍କ କହିବା ଅନୁଯାୟୀ, ଲେଖକମାନଙ୍କୁ କୌଣସି କଟକଣା ଭିତରେ ରଖା ଯାଇନଥିଲା। ଗଳ୍ପର ଭାବ, ଆକାର ଓ ଦାଖଲର ସମୟ ସୀମା ଏସବୁ ସମ୍ପୂର୍ଣ୍ଣ ରୂପେ ଲେଖକଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ନିଶ୍ଚିତଭାବେ, ଓଡ଼ିଆ ସାହିତ୍ୟରେ ଏହା ଦ୍ୱାରା ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରାଯାଇ ପାରିଛି ବୋଲି ଧରିନେବାକୁ ହେବ।

‘ହାତଧୁଆ ବେଳ’ କାହାଣୀ ସଂକଳନର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ ହେଉଛି ଏହାର ସାଜସଜ୍ଜା ଓ ପରିପାଟୀ। ହାର୍ଡବାଉଣ୍ଡ ହେବା ବ୍ୟତୀତ ଏହାର ଅଙ୍ଗସଜ୍ଜାରେ ବେଶ୍ କିଛି ସମୟ ଓ ଚିନ୍ତା ବି ନିବେଶ କରା ଯାଇଥିବା ମନେହୁଏ। ସଂକଳନର ନାମକରଣ ଓ  ପ୍ରଚ୍ଛଦଟି ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଛି। ଅନ୍ୟାନ୍ୟ ପୁସ୍ତକ ଭଳି ଧଉଳି ବୁକ୍ସର ଅଦ୍ଵିତୀୟତା ଓ ଗୁଣବତ୍ତା ଏହି ଗଳ୍ପ ସଂକଳନରେ ମଧ୍ୟ ସ୍ପଷ୍ଟ ଭାବରେ ସାମ୍ନାକୁ ଆସିଛି।କରୋନା ମହାମାରୀ ହୁଏତ ଆଜି ନହେଲେ କାଲି ତା ବାଟରେ ଚାଲିଯିବ। କିନ୍ତୁ ସଂଖ୍ୟାହୀନ ଦୁଃଖ ଓ ଯନ୍ତ୍ରଣାର ଯେଉଁ ପାଦଚିହ୍ନ ସେ ଛାଡ଼ିଯିବ ତାହା ନିଶ୍ଚିହ୍ନ ହେବା କଷ୍ଟ। ଏହି ଗଳ୍ପ ସଂକଳନ ସେହି ବିଭୀଷିକାମୟ ସମୟକୁ ଧରି ରଖିବାରେ ନିଶ୍ଚିତଭାବେ ସହାୟକ ହେବ।

ଯେଉଁମାନେ ପାଣ୍ଡେମିକ୍ ସାହିତ୍ୟରେ ଆଗ୍ରହ ରଖନ୍ତି, ଏପରିକି ସାଧାରଣ ପାଠକ ପାଇଁ ମଧ୍ୟ ଏହି ଗଳ୍ପ ସଙ୍କଳନ ବେଶ୍ କିଛି ମାନେ ରଖେ। ଗଳ୍ପ ତ ନିଶ୍ଚିତ ପଢ଼ାଯିବ, କରୋନା ମହାମାରୀର ସାରଗର୍ଭକ ଏବଂ ତାତ୍ତ୍ଵିକ ଆଲୋଚନାଟିଏ ପଢ଼ିବାର ସୁଯୋଗ ବି ଏଥିରେ ମିଳିବ।

ହାତଧୁଆ ବେଳ
ସମ୍ପାଦନା: ମନୁ ଦାଶ
ଧଉଳି ବୁକ୍ସ
ଭୁବନେଶ୍ବର
ସେପ୍ଟେମ୍ବର /୨୦୨୦

୪୯୫ ଟଙ୍କା

Comment