ଭାସ୍କର ପରିଚ୍ଛା

ଅନାମ ଆନ୍ଦୋଳନକୁ ନେଇ ଏବେ ଘୋର ଚର୍ଚ୍ଚା। ଗୋଟିଏ ସମୟରେ ଏହି ଆନ୍ଦୋଳନ ଓଡ଼ିଆ ସାହିତ୍ୟରେ ଏକ ପ୍ରକାର ଭୂଚଳନ ସୃଷ୍ଟି କରିଥିଲା। ଅନାମ କବିତାର ସମୟ ହେଉଛି ୧୯୭୦/୮୦ ଦଶନ୍ଧି।

ଅପରିଚିତଙ୍କ ପାଇଁ ଅନାମ କବିତାର ବିଶେଷତ୍ୱ ହେଲା: ଏହା ଛୋଟ ହୋଇଥିବ, କବିତାରେ ଛନ୍ଦପାତ ହେଉଥିବ ଓ କବିତାର ଶୀର୍ଷକ ଆଦୌ ନଥିବ। କୁମାର ମହାନ୍ତି ଥିଲେ ଏହି ଆନ୍ଦୋଳନର ପୁରୋଧା। ମନୁ ଦାଶ ଥିଲେ କୁମାର ମହାନ୍ତିଙ୍କ ପଟ୍ଟଶିଷ୍ୟ।

ଦୀର୍ଘ ୨୫ ବର୍ଷ ପରେ ସେହି ଅସାଧାରଣ ଓ ଆଚମ୍ବିତ କାବ୍ୟ ଆନ୍ଦୋଳନଟିକୁ ମନେ ପକାଇବା, ପାଠକଙ୍କ ପାଖରେ ତାକୁ ପହଞ୍ଚାଇବା ଓ ଏକ ବିସ୍ମୃତ ସୃଜନଶୀଳ  ଘଟଣା ଓ ତାର ଚରିତ୍ରମାନଙ୍କୁ  ଲୋକଲୋଚନକୁ ଆଣିବା ପାଇଁ ମନୁ ଦାଶଙ୍କ ସଂକଳ୍ପବଦ୍ଧତାର ଫଳ ଆଲୋଚ୍ୟ ପୁସ୍ତକ।

ଏଇଟି ହେଉଛି ‘ଅନାମ’ ସିରିଜ୍‌ର ପ୍ରଥମ ଉଦ୍ୟମ। ଆଗାମୀ ଦିନରେ ଏହି ଆନ୍ଦୋଳନ ଉପରେ ଚାରି ପାଞ୍ଚ ଖଣ୍ଡ ପୁସ୍ତକ – ସଂକଳନ, ସଂସ୍ମରଣ, ସମାଲୋଚନା ଆଦି  ପ୍ରକାଶ ପାଇବା ପାଇଁ ଯାଉଛି।

ମନୁ ଦାଶ ପ୍ରସ୍ତାବନାରେ ଲେଖିଛନ୍ତି: କୁମାର ମହାନ୍ତିଙ୍କ ଅକସ୍ମାତ ବିୟୋଗ ପରେ ଅନାମମାନଙ୍କ କବିତାର ଏକ ସଂକଳନ ପ୍ରକାଶ କରିବାର ଇଚ୍ଛା ଥିଲା। ମାତ୍ର ଅନେକ ପ୍ରତିଘାତ ଯୋଗୁଁ  ତାହା ସମ୍ଭବ ହୋଇ ପାରିନଥିଲା। ବିଶ୍ୱାସ ଥିଲା, ଏହା ଦିନେ ନା ଦିନେ ଲୋକଲୋଚନକୁ ଆସିବା ସହ ଆମର ସାହିତ୍ୟିକ, ଆଲୋଚକ ଏବଂ ଗବେଷକମାନଙ୍କୁ ଖୋରାକ ଯୋଗାଇବ।

‘ଅନାମ ବାୟାର ଗୀତ’ ସଂକଳନରେ କୁମାର ମହାନ୍ତି ଲେଖି ଯାଇଥିବା  ପାଖାପାଖି ୫୦ କବିତା ସ୍ଥାନ ପାଇଛି। ଆନ୍ଦୋଳନର ଅନ୍ୟ ଜଣେ ସୁପରିଚିତ  ବ୍ୟକ୍ତି ମଧୁ ମହାନ୍ତିଙ୍କ ଆଦ୍ୟ କଥନ ଏବଂ ଅନାମ ଆନ୍ଦୋଳନକୁ ନେଇ ଚିତ୍ତରଞ୍ଜନ ଦାସଙ୍କ ଏକ ସାରଗର୍ଭକ ଆଲୋଚନାରେ ପରିପୁଷ୍ଟ ଏହି ସଂକଳନଟି ଛନ୍ଦ କବିତାକୁ ଭଲ ପାଉଥିବା ପ୍ରତ୍ୟେକଟି ପାଠକଙ୍କ ପାଇଁ ଅବଶ୍ୟ ସଂଗ୍ରହଣୀୟ। ଏହି କବିତା ସଂକଳନର ଗଠନ, ପରିପାଟୀ ଓ ସାମଗ୍ରିକ ଆବେଦନ  ମନଛୁଆଁ।

ବିଗତ ତିନି ଦଶନ୍ଧି ଭିତରେ ଅନାମ ଭଳି ଆଉ ଏକ କାବ୍ୟ ଆନ୍ଦୋଳନ ଓଡ଼ିଆ ସାହିତ୍ୟରେ ଜନ୍ମ ନେଇନାହିଁ ଏକଥା ଯେତିକି ସତ, ସେହି ଧାରାର କବିତା ଆଜି ବି ସମାଜ ଉପରେ ଓ ମଣିଷମାନଙ୍କ ପାଇଁ ଏକ ଏକ ଶକ୍ତ କଟାକ୍ଷ ଏକଥା ମଧ୍ୟ ସମାନ ଭାବରେ ସତ।

ଉଦାହରଣ:

ଜଗତି ଉପରେ ହନୁ
ଦେଖୁଛି ସାରା ଟାଉନୁ।
ଅନ୍ୟାୟ ଓ ବ୍ୟଭିଚାର
ଦୁର୍ନୀତି ଓ ଅତ୍ୟାଚାର /ସବୁ ଏକାକାର
କମ୍ପୁଛି ଭୁବନେଶ୍ୱର
ହରିଲୁଟ କର ବନ୍ଧୁ /ମଣି ଏକାକାର।

ଅଥବା

ସଂକରା ସଂକରା ସଂକରା ସଂକରା
ସବୁ ସଂକରା
ତୁ ସଂକରାକୁ ମୁଁ ସଂକରା
ସଂକରା ପଚାରେ ସଂକରା ଉତ୍ତରେ
ବାକି ଦୁନିଆଟା ବୋକା ସଂକରା!

କିମ୍ବା

ପ୍ରାଣ ନାହିଁ ଏଠି ପ୍ରେମ ନାହିଁ
ଜୀବନଟା ଖାଲି ହାଇଁ ପାଇଁ
ଅରଜିବୁ କେତେ ନିଜ ପାଇଁ
ନିଜର ବୋଲିତ କିଛି ନାହିଁ /ସବୁ ଧୋକା
କେତେ କାହାକୁ ମାରିବୁ ଧକ୍କା
ତୁ ତ ଏକା ମୁଁ ବି ଏକା
ଚାଲିଯିବା ପୁଣି ଏକା ଏକା /ଏକା ଏକା ଖାଲି ଏକା।

‘ଅନାମ ବାୟାର ଗୀତ’
କୁମାର ମହାନ୍ତି

ଧଉଳି ବୁକ୍ସ
ଭୁବନେଶ୍ୱର
୨୦୨୦
୧୯୫ ଟଙ୍କା

Comment