ଭାସ୍କର ପରିଛା

ସାମ୍ପ୍ରତିକ ସମୟରେ ବାବାମାନଙ୍କୁ ନେଇ ଯେଉଁ ଭଳି ଅପରାଧିକ କାହାଣୀ ଓ କାରନାମା ଗଣମାଧ୍ୟମରେ ପରିବେଷିତ ହେଉଛି ତାହା ଅନେକ ମାତ୍ରାରେ ଏହି ବର୍ଗର ମଣିଷମାନଙ୍କ ସମ୍ପର୍କରେ ଏକ ନକାରାତ୍ମକ ଧାରଣା ସୃଷ୍ଟି କରିଥାଏ। କିଛି ଅସାଧୁ ସେମାନଙ୍କର କାର୍ଯ୍ୟାକଳାପ ପାଇଁ ସର୍ବସାଧାରଣରେ ବଦନାମ ହେଉଥିବା ବେଳେ ସାମଗ୍ରିକ ଭାବେ ସାଧୁ ସନ୍ଥମାନଙ୍କ ସାମାଜିକ /ଆଧ୍ୟାତ୍ମିକ ଅବଦାନକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରାଯାଇପାରିବ ନାହିଁ।

ଭାରତ ଭୂମିରେ ବହୁ ସନ୍ଥ, ଗୋସ୍ୱାମୀ ଓ ଆଧ୍ୟାତ୍ମିକ ପୁରୁଷମାନଙ୍କ ଆବିର୍ଭାବ ଘଟିଛି ଏବଂ ସେମାନେ ଏହି ଭୂଖଣ୍ଡର ଧାର୍ମିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନକୁ ବିଭିନ୍ନ ସମୟରେ ଓ ବିଭିନ୍ନ ପ୍ରକାରେ ପରିପୁଷ୍ଟ କରି ଆସିଛନ୍ତି।

ଉତ୍କଳ ଭୂପୃଷ୍ଠରେ ମଧ୍ୟ ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁଙ୍କଠାରୁ ଆରମ୍ଭ କରି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ପର୍ଯ୍ୟନ୍ତ ବହୁ ସନ୍ଥ ଓ ଧାର୍ମିକ ପୁରୁଷ ଜନ୍ମ ଗ୍ରହଣ କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ଓ ଅନ୍ୟମାନଙ୍କ ପାଇଁ ଜଳାଞ୍ଜଳି ଦେଇଛନ୍ତି। ନିଃସନ୍ଦେହରେ, ସେମାନଙ୍କର ଦିବ୍ୟ ବାଣୀ ଏକ ସ୍ୱାର୍ଥହୀନ ଓ ଏକ ପରିମାର୍ଜିତ ସାମାଜିକ ବ୍ୟବସ୍ଥା ପାଇଁ ସହାୟକ ହୋଇ ଆସିଛି।

ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଦିଗରାଜ ବ୍ରହ୍ମାଙ୍କ ଲିଖିତ ଜୀବନୀ ପୁସ୍ତକ ‘ସଂଗ୍ରାମୀ ସାଧକ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ’ ଅନେକ କାରଣରୁ ଏକ ଉପାଦେୟ ପୁସ୍ତକ। ବୈକୁଣ୍ଠନାଥଙ୍କ ସାଧନାସ୍ଥଳୀ ଥିଲା କଟକ ଜିଲ୍ଲାର ଛତିଆ ନିକଟ ଜଳଉକା ପୀଠ ଓ ମଣିନାଗ ଗୁମ୍ଫା। ସେଠାରେ ପ୍ରତିଷ୍ଠିତ ଆନନ୍ଦ ଧାମରେ ରହି ବୈକୁଣ୍ଠନାଥ ତାଙ୍କର ସାଧନା କରୁଥିଲେ।

ଡକ୍ଟର ବ୍ରହ୍ମା ଲେଖକୀୟ ଅଭିବ୍ୟକ୍ତିରେ ଲେଖିଛନ୍ତି: ‘ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ (୧୯୧୨-୨୦୦୧)ଙ୍କ ଆଧ୍ୟାତ୍ମିକ, ରାଜନୀତିକ, ସାହିତ୍ୟିକ ଓ ସାଂସ୍କୃତିକ ଜୀବନ ହେଉଛି ସତେ ଯେମିତି ଏକ ସ୍ୱୟଂଚାଳିତ ବିଶ୍ୱବିଦ୍ୟାଳୟ। ସେହି ବିଶ୍ଵବିଦ୍ୟାଳୟର ବିଭିନ୍ନ କର୍ମ ପ୍ରବାହକୁ ଅଧ୍ୟୟନ କରି ତାଙ୍କ ସମ୍ପର୍କରେ ଏକ ପୁସ୍ତକ ରଚନା କରିବା ଯେତିକି କଷ୍ଟଦାୟକ, ସେ ସମ୍ପର୍କରେ ବିଭିନ୍ନ ତଥ୍ୟକୁ ଅନୁସନ୍ଧାନ ପୂର୍ବକ ଉପସ୍ଥାପନ କରିବା ସେତିକି ଆନନ୍ଦଦାୟକ।’

ବୈକୁଣ୍ଠନାଥ ବ୍ରହ୍ମଚାରୀ ସଂସାରୀ ନଥିଲେ କିନ୍ତୁ ସେ ଏକ ବିରାଟ ସଂସାରର ମାଲିକ ଥିଲେ ବୋଲି କହିଛନ୍ତି ଡକ୍ଟର ବ୍ରହ୍ମା। ଏଥିରୁ ହିଁ ପୁସ୍ତକର ଉଦ୍ଦେଶ୍ୟକୁ ଲକ୍ଷ୍ୟ କରିହେବ। ବୈକୁଣ୍ଠନାଥ ପ୍ରତ୍ୟେକ ମଣିଷର ସୁଖ ଦୁଃଖର ଭାଗୀ ଥିଲେ ଓ ସେମାନଙ୍କ ଦୁଃଖ ଦୈନ୍ୟର ଲାଘବ ନିମନ୍ତେ  ସେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଏହି ସବୁ ବିଷୟର ପ୍ରାଞ୍ଜଳ ବର୍ଣ୍ଣନା କରାଯାଇଛି ପୁସ୍ତକରେ।

ଜୀବନୀ ପୁସ୍ତକର ଆରମ୍ଭ ହୋଇଛି ବୈକୁଣ୍ଠନାଥଙ୍କ ଜନ୍ମବୃତ୍ତାନ୍ତରୁ। ତାଙ୍କର ଜନ୍ମିତ ନାମ ଥିଲା ବଟକୃଷ୍ଣ। ବଟକୃଷ୍ଣ କିଭଳି ମାମୁଙ୍କ ଘରେ ରହି ପାଠ ପଢ଼ିଲେ, କୋଠପଦା ଏମ୍‌ଇ ସ୍କୁଲ, ତାଙ୍କର ପ୍ରଥମ ଆଧ୍ୟାତ୍ମିକ ଗୁରୁ, ତାଙ୍କର ଗାୟତ୍ରୀ ମନ୍ତ୍ର ଗ୍ରହଣ, ମାହାଙ୍ଗା ଥାନାରେ ଏତଲା, ମାମୁଘରର ସାଂସ୍କୃତିକ ପରିବେଶ ,କଲିକତା ଗମନ, ତୀର୍ଥଭ୍ରମଣ, ବୃନ୍ଦାବନ ଯାତ୍ରା, ବଟକୃଷ୍ଣ କିଭଳି ବୈକୁଣ୍ଠନାଥ ହେଲେ, ତା ପରବର୍ତ୍ତୀ ଘଟଣା, ମଣିନାଗ ଗୁମ୍ଫାରେ ଯୁବ ବ୍ରହ୍ମଚାରୀଙ୍କ ପ୍ରବେଶ, ଜଳଉକା ପାହାଡ଼ରେ ଆଧ୍ୟାତ୍ମିକତାର ବୀଜ ରୋପଣ, ସ୍ୱାଧୀନତା ସଂଗ୍ରାମରେ  ବୈକୁଣ୍ଠନାଥଙ୍କ ଭୂମିକା, ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ, ହୋମିଓପ୍ୟାଥି ଚିକିତ୍ସାଳୟ ପ୍ରତିଷ୍ଠା, ସତ୍ୟସେବା ମଣ୍ଡଳର ଆରମ୍ଭ, ଜଳଉକା ବାଣୀ ପତ୍ରିକାର ଅୟମାରମ୍ଭ, ବିଭିନ୍ନ ଆଶ୍ରମ ପ୍ରତିଷ୍ଠା, ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ବୈକୁଣ୍ଠନାଥଙ୍କ ଅବଦାନ,ସାଧକଙ୍କ ସଂସ୍କାରମୂଳକ କାର୍ଯ୍ୟକ୍ରମ ଓ ବୈକୁଣ୍ଠନାଥଙ୍କ ସମ୍ପର୍କରେ ତତ୍କାଳୀନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମତ – ଏହିଭଳି ପ୍ରାୟ ୧୧୦ଟି ଅଧ୍ୟାୟରେ ଲିଖିତ ଏହି ପୁସ୍ତକଟି ଓଡ଼ିଶାର ତତ୍କାଳୀନ ସମାଜର ଏକ ବିଧିବଦ୍ଧ ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ।

ଜମିଦାରୀ ପ୍ରଥା ପ୍ରତି ବୈକୁଣ୍ଠନାଥଙ୍କ ବିମୁଖତା, ତାଙ୍କର ଜାତୀୟ ଚିନ୍ତାଧାରା, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଆଦି ବହୁ ବିଷୟର ଉଲ୍ଲେଖ କରାଯାଇଛି ଆଲୋଚ୍ୟ ପୁସ୍ତକରେ। ଡାକ୍ତର ବ୍ରହ୍ମା ଯେହେତୁ ନିଜେ ବୈକୁଣ୍ଠନାଥଙ୍କ ସଂସ୍ପର୍ଶରେ ଆସିଥିଲେ, ତାଙ୍କ ଜୀବନୀ ଲେଖିବା ତାଙ୍କ ପାଇଁ ହୁଏତ ଏକ କର୍ତ୍ତବ୍ୟବୋଧର ଆହ୍ୱାନ ଥିଲା ଏବଂ ସେ ଏହି ଦାୟିତ୍ୱକୁ ସୂଚାରୁରୂପେ ନିର୍ବାହ କରିଛନ୍ତି।

ଓଡ଼ିଶାର ବହୁ ପ୍ରତିଷ୍ଠିତ ଶିକ୍ଷାବିତଙ୍କ ଜୀବନୀ ଲେଖକ ଡକ୍ଟର ବ୍ରହ୍ମା ଅନ୍ୟ ଜୀବନୀ ଭଳି ଏଥିରେ ମଧ୍ୟ କ୍ରମାନ୍ଵୟତା ରକ୍ଷା କରିବା ସହ ବୈକୁଣ୍ଠନାଥଙ୍କ ଜୀବନ ସମ୍ପର୍କିତ ବିଷୟ ଓ ଘଟଣାଗୁଡ଼ିକୁ ନିଖୁଣ ଭାବରେ ଗଢ଼ି ତୋଳିପାରିଛନ୍ତି।

ପୁସ୍ତକର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ ହେଲା ପରିଶିଷ୍ଟରେ ଦିଆଯାଇଥିବା ବୈକୁଣ୍ଠନାଥଙ୍କ ଉପାଦେୟ ବାଣୀ ବା ସନ୍ଦେଶ। ବୈକୁଣ୍ଠନାଥଙ୍କ ଜୀବିତ ଅବସ୍ଥାର କିଛି ରଙ୍ଗୀନ ଫଟୋଚିତ୍ର ସହ ଏହି ତ୍ୟାଗୀ ପୁରୁଷଙ୍କ ହସ୍ତାକ୍ଷର ଓ ସହାୟକ ପୁସ୍ତକ ତଥା ପତ୍ର ପତ୍ରିକାର ଅବତାରଣା ଏହି ଜୀବନୀକୁ ପୂର୍ଣ୍ଣାଙ୍ଗ କରିପାରିଛ। ଜଣେ ମହାନ ସାଧକଙ୍କ ପାଇଁ ଏହି ତଥ୍ୟ ସମ୍ବଳିତ ଓ ଗବେଷଣାଲବ୍ଧ ପୁସ୍ତକଟି ଏକି ସମୁଚିତ ଶ୍ରଦ୍ଧଞ୍ଜଳି ଏଥିରେ ଦ୍ଵିରୁକ୍ତି ନାହିଁ।

‘ସଂଗ୍ରାମୀ ସାଧକ ବୈକୁଣ୍ଠନାଥ ବ୍ରହ୍ମଚାରୀ’

ଲେଖକ: ଡକ୍ଟର ଦିଗରାଜ ବ୍ରହ୍ମା

ପ୍ରକାଶକ: ବାବା ସତ୍ୟାନନ୍ଦ ଦାସ

ଶ୍ରୀ ଗୁରୁକୃପା କୁଟୀର

ତିହୁଡ଼ା, ନାଉଗାଁ ହାଟ

ଜଗତସିଂହପୁର

Comment