ଭାସ୍କର ପରିଚ୍ଛା

ନାରୀ ଓ ପ୍ରକାରାନ୍ତରେ ପ୍ରେମକୁ ନେଇ ଯେତେବେଳେ ତିରିଶ ପାଖାପାଖି କବିତାର  ସଂକଳନ ଆଖିରେ ପଡ଼େ, ସ୍ୱାଭାବିକ ଭାବରେ ଏହା ଏକ ପ୍ରକାର ଅନୁସନ୍ଦିତ୍ସା ଜାଗ୍ରତ କରେ। ‘ପଥସଙ୍ଗିନୀ’ ହେଉଛି କବିତା ସଙ୍କଳନର ଶୀର୍ଷକ ଏବଂ ଯେହେତୁ ଏକ ଶାଶ୍ୱତ ଥିମକୁ ନେଇ କବିତାଗୁଡ଼ିକର ଜନ୍ମ, ନାମକରଣଟି ସେହି ଦୃଷ୍ଟିରୁ ଯଥାର୍ଥ।

ବୈଷୟିକ ଜ୍ଞାନ ଆହରଣ କରିବା ଓ କବିତା ରଚନା କରିବା ଦୁଇଟି ଭିନ୍ନ ଭିନ୍ନ କଥା। ତେବେ ଯେତେବେଳେ ବୃତ୍ତି ଓ ପ୍ରବୃତ୍ତି  ଗୋଟିଏ ସରଳରେଖାରେ ଗତି କରେ ତାହାର ଆବେଦନ କିଛି ଅଲଗା ହେବାକୁ ବାଧ୍ୟ। ପଥସଙ୍ଗିନୀର କବି ଓ ବେଙ୍ଗାଲୁରୁ ବାସିନ୍ଦା ଶୁଭ୍ରାଂଶୁ ଶେଖର ମହାପାତ୍ର ମୂଳତଃ ଜଣେ ଇଞ୍ଜିନିୟର ଓ ସରକାରୀ ତଥା ବେସରକାରୀ ସଂସ୍ଥାରେ ଦୀର୍ଘ ବର୍ଷ ଧରି ସେ କାର୍ଯ୍ୟ କରି ଆସିଛନ୍ତି। ଜଣେ ଭ୍ରମଣଶୀଳ ମଣିଷ ହେବା ସତ୍ତ୍ୱେ କବିତାକୁ କିନ୍ତୁ ସେ ପର କରିନାହାନ୍ତି। କବିତା ହିଁ ତାଙ୍କ ପ୍ରାଣ।

ସଂକଳନରେ ସ୍ଥାନ ପାଇଥିବା କବିତା ଯେତେ ରସପୂର୍ଣ୍ଣ ହେଉ ପଛକେ, ଉତ୍ସର୍ଗଟି କିନ୍ତୁ ତା’ଠାରୁ ଅଧିକ ଆକର୍ଷଣୀୟ: ‘ଈଶ୍ୱରଙ୍କ ଅପୂର୍ବ ସୃଷ୍ଟିକୁ ସୁସଜ୍ଜିତ ଓ ସୌନ୍ଦର୍ଯ୍ୟଶାଳୀ କରୁଥିବା ସେଇ ପ୍ରତିଟି ରୂପସୀ ତରୁଣୀର ଅନୁପ୍ରେରଣାରେ ମୋର ପ୍ରତିଟି କବିତା ରଚିତ।’

ଏହି ସ୍ୱୀକାରୋକ୍ତି ସହ ‘ତୁମେ ମୋ ପ୍ରେରଣା’ କବିତାରୁ ଯାତ୍ରାର ଆରମ୍ଭ ଓ ‘ଦାରୁଣ ନିର୍ଣ୍ଣୟ’ରେ ଶେଷ। ପ୍ରତିଟି କବିତାର ନାମକରଣ ନିଷ୍କପଟତାର ଚିତ୍ର ବହନ କରେ। କେତେବେଳେ ନାରୀ ତାଙ୍କ ପାଇଁ ‘ହୃଦୟର ବହ୍ନି’ ତ ଆଉ କେତେବେଳେ ‘ନିଦ୍ରିତା ସୁନ୍ଦରୀ’। ସେ ପୁଣି ‘ଅଜଣା ରାଜକନ୍ୟା’ ଓ ‘ପଥସଙ୍ଗିନୀ’। ‘ସ୍ୱର୍ଣ୍ଣମୟୀ’ ସେ’, ‘ଷୋଡ଼ଶ ବୟସୀ’ ସେ। ସେ ପୁଣି ‘ସାହିତ୍ୟର ଦାସୀ’ ଓ ‘ସଦ୍ୟ ଯୌବନା’। ‘ପାଗଳ ବାନ୍ଧବୀ’ ଓ ‘ଫୋଟୋ ପ୍ରେମିକା’ ମଧ୍ୟ। ଏହିଭଳି ଅନେକ ଅସାଧାରଣ ଶୀର୍ଷକର ସମାହାର ଏହି କବିତା ସଂକଳନ।

ପ୍ରାକ-କଥନରେ  ଶୁଭ୍ରାଂଶୁ ମହାପାତ୍ର ଲେଖିଛନ୍ତି, ‘କବି ହୃଦୟ ଦେଖେନି ସ୍ଥାନ କାଳ ଓ ପାତ୍ର। ତା’ ସମ୍ମୁଖରେ ଅନ୍ତରରେ ଭରିଥାଏ କେବଳ ଈଶ୍ୱରୀୟ ଅନୁଭବ। ସଂସାରର ବିଭିନ୍ନ ଘଟଣାକୁ କବି ଯେମିତି ହାସ୍ୟ, ବ୍ୟଙ୍ଗ ବା ଦାର୍ଶନିକ ଭାବରେ ଉପସ୍ଥାପନ କରେ, ସେମିତି କବି ହଜିଯାଏ ସୃଷ୍ଟିର ଅପୂର୍ବ ସୌନ୍ଦର୍ଯ୍ୟକୁ ରୂପ ଦେବାରେ ତାର କଲମ ମୁନରେ।’ ଏହି ଉକ୍ତିରେ ଦ୍ୱିମତର ଅବକାଶ ନାହିଁ।

ସଂକଳନରେ ସ୍ଥାନିତ କବିତାଗୁଡ଼ିକ ସରଳ ଓ ବୋଧଗମ୍ୟ। କବି ଯାହା କହିବାକୁ ଚାହିଁଛନ୍ତି ନିଃସଙ୍କୋଚରେ ତାହା ପ୍ରକାଶ କରିଛନ୍ତି, ମନଖୋଲି କହିଛନ୍ତି। ଅଳ୍ପ କିଛି କବିତା ମୁକ୍ତଛନ୍ଦ ହୋଇଥିବା ବେଳେ ଅଧିକାଂଶ  କବିତା ଛନ୍ଦାୟିତ ଭାବରେ ଗତି କରିଛି।

‘ସହଜ ଗତିରେ ଚାଲୁଥିଲା ରେଳ/ବସିଥିଲି ଅଳସ ଭଙ୍ଗୀରେ/ଗନ୍ତବ୍ୟ ମୋ’ ଆଉ ବହୁଦୂର/ କେମିତି ବା କଟିବି ଯାନରେ/ ଖୋଜୁଥିଲି ପଥସଙ୍ଗୀ ଜଣେ ଯାହା ସଙ୍ଗେ କରିବି ମୁଁ କଥାବାର୍ତ୍ତା ।'(ପଥସଙ୍ଗିନୀ)

ବୀଣାପାଣି ସିଂହଙ୍କ ସଂକ୍ଷିପ୍ତ ଉପକ୍ରମ ସହ ସଂକଳନରେ ଯେଉଁ ସବୁ କବିତାର ସ୍ଫୁରଣ ହୋଇଛି ତାହା ଏକ ଅଙ୍ଗୀକାରବଦ୍ଧ ମାନସିକତାର ପ୍ରତିଫଳନ। ‘କବି ହୋଇ’ ଶୁଭ୍ରାଂଶୁ ମହାପାତ୍ର ଏଠି ‘ନିର୍ମଳ କବିତ୍ୱ’ ହିଁ କରିଛନ୍ତି ବୋଲି ବୁଝିବାକୁ ହେବ।

 

ପଥସଙ୍ଗିନୀ

ଶୁଭ୍ରାଂଶୁ ଶେଖର ମହାପାତ୍ର

ମହାନଦୀ ବୁକ୍ସ, ଓଲ୍‌ ଟାଉନ

ଭୁବନେଶ୍ୱର-

୨୦୧୯

 

LEAVE A REPLY

Please enter your comment!
Please enter your name here