ଭାସ୍କର ପରିଚ୍ଛା

ଡ଼ ସତ୍ୟନାରାୟଣ ମହାନ୍ତି ଜଣେ ଚିନ୍ତାଶୀଳ ଓ ବିଜ୍ଞ ବ୍ୟକ୍ତି ଭାବେ ଓଡ଼ିଶାରେ ଓ ଓଡ଼ିଶା ବାହାରେ ସମସ୍ତଙ୍କ ନିକଟରେ ପରିଚିତ। ଭାରତୀୟ ପ୍ରଶାସନ ସେବାର ଜଣେ ସଦସ୍ୟ ହୋଇ ମଧ୍ୟ ସେହି ପ୍ରଶାସନ ସମ୍ପର୍କିତ ଓ ଅନ୍ୟାନ୍ୟ ବହୁ ବିଷୟରେ ଆଲୋଚନା କରି ନିଜ ପାଇଁ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଅଧ୍ୟବସାୟ,ଚିନ୍ତାଶୀଳତା ଓ ବିଷୟ ପ୍ରବେଶ ବାସ୍ତବରେ ବିରଳ। ଲେଖକ ପରିଚୟରେ ଉଲ୍ଲେଖ କରାଯାଇଛି ସେ ଉଭୟ ଅର୍ଥଶାସ୍ତ୍ର ଓ ଇଂରେଜୀ ସାହିତ୍ୟରେ  ସ୍ନାତକତ୍ତୋର ଉପାଧି ଲାଭ କରିଛନ୍ତି,ହାର୍ଭର୍ଡ ବିଶ୍ୱବିଦ୍ୟାଳୟ ସମେତ। ସୁତରାଂ ତାଙ୍କର ପାଠକୀୟ ଓ ଲେଖକୀୟ ଆଗ୍ରହ ସୁଦୂରପ୍ରସାରୀ ହେବା ସ୍ବାଭାବିକ।

ଆଲୋଚ୍ୟ ପୁସ୍ତକଟି ବିଭିନ୍ନ ଖବରକାଗଜରେ ଲେଖାଯାଇଥିବା ଲେଖାର ସଂକଳନ ହେଲେ ମଧ୍ୟ ଲାଗିବ ସେଗୁଡ଼ିକ ପୁଣି ଥରେ ଲେଖା ଯାଇଛି। କିଛି ମୌଳିକ ଲେଖା ବି ଏଥିରେ ରହିଛି। ଏହିଭଳି ସଂକଳନର ଅବଶ୍ୟକତା ବିକ୍ଷିପ୍ତ ହୋଇ ପଡ଼ିଥିବା ଲେଖା ତୁଳନାରେ ନିଶ୍ଚିତଭାବେ ଅଧିକ। ପାଖାପାଖି ୩୦ଟି ଲେଖା ସମ୍ବଳିତ  ଦୁଇ ଶହ ପୃଷ୍ଠାର ଏହି ପୁସ୍ତକଟି ଏଥିପାଇଁ ଉପାଦେୟ ଯେ ଏଗୁଡିକର ପ୍ରାସଙ୍ଗିକତା ସର୍ବକାଳୀନ।ଯେହେତୁ ଡ଼ ମହାନ୍ତିଙ୍କ ଗଭୀର ଅନ୍ତର୍ଦୃଷ୍ଟି ଓ ବ୍ୟାପକ  ଅଭିଜ୍ଞତାରୁ ଏସବୁ ଲେଖା ଯାଇଛି ନିଃସନ୍ଦେହରେ ଏତେ ସହଜରେ ଏଗୁଡ଼ିକ ଅର୍ଥହୀନ ହୋଇପଡ଼ିବ ତାହା ଅନୁଭବ ହେଉନାହିଁ।

ପୁସ୍ତକରେ ସ୍ଥାନିତ ଲେଖାଗୁଡ଼ିକ ଭିତରୁ କିଛି ଲେଖଙ୍କର ‘ଚିନ୍ତନ-ପ୍ରସୂତ’ ଓ ଆଉ କିଛି ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟା ଉପରେ ଆଧାରିତ।ଦେଶରେ ଓ ସମାଜରେ ରହିଥିବା ଅସମାନତା, କୃଷି ସମସ୍ୟା, ଓଡ଼ିଶାର ଆଗାମୀ ପିଢ଼ୀର ଭବିଷ୍ୟତ,ବିମୁଦ୍ରାୟନ, ବ୍ୟାଙ୍କିଙ୍ଗ ସମସ୍ୟା, ଶିକ୍ଷା ବ୍ୟବସ୍ଥା,କ୍ରୀଡ଼ା କ୍ଷେତ୍ରରେ ରହୁ ଥିବା ଅସମାନତା, ସ୍ୱାସ୍ଥ୍ୟ ଓ ଶସ୍ୟ ବୀମା,ସିଭିଲ ସର୍ଭିସ ବ୍ୟବସ୍ଥାରେ ସଂସ୍କାର ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କିତ ଲେଖା  ସଂକଳନରେ ସ୍ଥାନ ପାଇଛି।ତେବେ ଲେଖଙ୍କର ସ୍ପଷ୍ଟବାଦିତା ମୁଖବନ୍ଧରୁ ହିଁ ଜଣାପଡେ।

ଡ଼ ମହାନ୍ତି ଲେଖିଛନ୍ତି, ‘ସରକାରୀ କାର୍ଯ୍ୟାନୁଷ୍ଠାନ ସରକାରୀ ନୀତି ଭଳି ଧୂଆଁ ଓ ଆଇନାର ଖେଳ।ଏହା ଲୋକଙ୍କ ମନରେ କେବଳ ସତ୍ୟର ଏକ ପ୍ରତ୍ୟୟ ସୃଷ୍ଟି କରେ,ଯାହାକି ବାସ୍ତବ ନୁହେଁ।’ ତାଙ୍କ ମତରେ ସରକାରୀ ବ୍ୟବସ୍ଥା ଓ କାର୍ଯ୍ୟକ୍ରମଗୁଡ଼ିକ ଗୋଟିଏ ଗୋଟିଏ ‘ମାନସିକ ଐନ୍ଦ୍ରାଜଲ ଓ ଏହାର କୌଶଳର ପ୍ରୟାସ।’ ଇଏ ଏକ ନିର୍ଭୀକ ମତ ଓ ମନ୍ତବ୍ୟ।

ପୁସ୍ତକର ବିଭାଗୀକରଣ ବି  ଅତି ଚମତ୍କାର:ବୀଜୟୀର ବ୍ୟକ୍ତିତ୍ୱ, କାହାଣୀ ଓ ପ୍ରେରଣା,ଉଦାର ଶିକ୍ଷା ଓ ସୁସ୍ଥ ସମାଜ, ଆତ୍ମିକ ଅମୃତ,ଜ୍ଞାନର ବଜାର,ସିଭିଲ ସର୍ଭିସ ଓ ବାବୁଡମ୍,ସ୍ୱପ୍ନ ବନାମ ବାସ୍ତବତା,ଭାରତୀୟ ସାହିତ୍ୟର ନିଖୋଜ ବାସ୍ତବତା,ନେତୃତ୍ୱର ଆବିର୍ଭାବ,ମାଗଣା ଉପହାର ନୁହେଁ ଦୃଢ଼ ନୀତିଗତ ନିଷ୍ପତ୍ତି ଆବଶ୍ୟକ ଇତ୍ୟାଦି।

ଲେଖଙ୍କର ଲେଖକୀୟ ଶୈଳୀ ପ୍ରାଞ୍ଜଳ ଓ ବୋଧଗମ୍ୟ ଯାହା ଏକ ଉତ୍ତାଳ ମାନସିକ କସରତ  ଦ୍ୱାରା ହିଁ ସମ୍ଭବ।ପୁସ୍ତକରେ ସ୍ଥାନିତ  ଲେଖାରେ ଦେଶର ଓ ରାଜ୍ୟର ବିଭିନ୍ନ ସମସ୍ୟାକୁ ଉତ୍ଥାପନ କରାଯାଇଛି କେବଳ ନୁହେଁ ସେସବୁର ସମାଧାନର ବାଟ ମଧ୍ୟ ବତାଇଛନ୍ତି ଲେଖକ।

ଉଦାହରଣ ସ୍ୱରୂପ ସେ ଲେଖିଛନ୍ତି, ‘କୌଣସି ନୂଆ ପୀଢ଼ି ଆଗେଇପାରିବ ନାହିଁ ଯଦି ସେମାନେ ନିଜ ଭାଷା ଓ ସଂସ୍କୃତିକୁ ନେଇ ଗର୍ବିତ ଅନୁଭବ ନକରନ୍ତି।ଉତ୍ତର ଭାରତୀୟଙ୍କ ସଂସ୍କୃତି ସହିତ ଓଡ଼ିଆ ସଂସ୍କୃତି କ୍ରମାଗତ ଭାବେ ଏକତ୍ରୀକରଣ ପ୍ରକ୍ରିୟା ଆଡ଼କୁ ମୁହାଁଇବାର ଲକ୍ଷ୍ୟ କରାଯାଉଛି। ଭୁବନେଶ୍ୱର ବଜାରରେ ଅନେକ ସମୟରେ ଓଡ଼ିଆ ଭାଷା ଶୁଣିବାକୁ ମିଳୁନାହିଁ।ଯାହାସବୁ ଶୁଣାଯାଉଛି ,ତାହା ପ୍ରାୟତଃ ହିନ୍ଦୀ।’ ସ୍ଥୂଳ ଭାବରେ,ଯାହା ଆମେ ଦେଖୁଥାଇଁ ଓ ଚିନ୍ତା କରୁଥାଇଁ ସେସବୁର ପ୍ରତିନିଧିମୂଳକ ଆଲୋଚନାରେ  ହିଁ ଏହି  ପୁସ୍ତକର ମର୍ଯ୍ୟାଦା ନିହିତ।ଏହି ଦୃଷ୍ଟିରୁ ଡ଼ ମହାନ୍ତି  ଏକ ଦାୟିତ୍ବସମ୍ପନ୍ନ ଭୂମିକା ଗ୍ରହଣ କରିଛନ୍ତି ବୋଲି ଧରି ନେବାକୁ ହେବ।

ପୁସ୍ତକର ପ୍ରଚ୍ଛଦ ଓ ପୃଷ୍ଠରେ ଯାହା କୁହାଯାଇଛି ତାହା ହିଁ ସମଗ୍ର ପ୍ରକାଶନ ସଂପର୍କରେ ସମ୍ୟକ ସୂଚନା ଦେଉଛି: ମଣିଷ ନିଜ ଚେହେରା ଦେଖିବାର ଅଭିପ୍ସାରେ  ସବୁକାଳେ ବିଭୋର।ବୁଦ୍ଧିଦୀପ୍ତ ମଣିଷ ନିଜ  ଭିତରେ ଘଟିଯାଉଥିବା ଘଟଣାଗୁଡିକୁ ହୁଏତ ଲୁକ୍କାୟିତ ରଖିପାରେ।ହେଲେ ଆଇନା କଣ କେବେ ସେପରି କରେ? ଆମ ସମୟର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଚେହେରାର ନିଚ୍ଛକ ପ୍ରତିଫଳନ ରହିଛି ‘ଆଇନା ମିଛ କୁହେନା’ରେ।

ଯେଉଁମାନେ ଚିନ୍ତାଶୀଳ ପ୍ରବନ୍ଧ ପଢିବାରେ ଆଗ୍ରହ ରଖନ୍ତି ତାଙ୍କ ପାଇଁ ଏହି ପୁସ୍ତକଟି ଅବଶ୍ୟ ସଂଗ୍ରହଣୀୟ କାରଣ ଏଭଳି ପ୍ରୟାସ ନିରନ୍ତର ଆଖିରେ ପଡେନାହିଁ।

ଆଇନା ମିଛ କୁହେନା
ଡ଼ ସତ୍ୟନାରାୟଣ ମହାନ୍ତି

ଧଉଳି ବୁକ୍ସ
୮୧୮/୨୫୦୨,ଗୋବିନ୍ଦେଶ୍ୱର ରୋଡ଼
ଓଲଡ୍‌ଟାଉନ
ଭୁବନେଶ୍ୱର ୭୫୧୦୦୨

Comment