ଭାସ୍କର ପରିଚ୍ଛା

ପାକିସ୍ତାନରେ ଧର୍ମ ବିଶ୍ୱାସକୁ ନେଇ ସଦ୍ୟ ପ୍ରକାଶିତ ଏକ ପୁସ୍ତକରେ ଲେଖିକା ହିନ୍ଦୁମାନଙ୍କ ଦୁର୍ଗା ପୂଜା, ହିଙ୍ଗୁଳା ଦେବୀ ଓ ଶକ୍ତି ପୀଠ ସମ୍ପର୍କରେ ଚମତ୍କାର ବର୍ଣ୍ଣନା କରିଛନ୍ତି। ଉଭୟ ଦେଶର ଲୋକଙ୍କ ଭିତରେ ଯେଉଁ ଧର୍ମ ଭାବନା ରହିଛି ସେଥିରେ ସେ ଅନେକ ସାମଞ୍ଜସ୍ୟ ଲକ୍ଷ୍ୟ କରିଛନ୍ତି। ମହାମାୟୀ ଦୁର୍ଗାଙ୍କ ସାତ ଭଉଣୀଙ୍କ ସାତଟି ପୀଠ ପାକିସ୍ତାନରେ ‘ସତୀୟାଂ’ ନାଆଁରେ ପରିଚିତ ବୋଲି କହିବା ସହ ଏହି ସବୁ ପୀଠର ଧାର୍ମିକ ଆବେଦନ ଏବେ ବି ରହିଛି ବୋଲି ଲେଖିକା ତାଙ୍କ ପୁସ୍ତକରେ କହିଛନ୍ତି।

ପାକିସ୍ତାନରେ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ନେଇ ଲେଖିକା ଅନି ଅଲି ଖାଁଙ୍କ ଏହି ପୁସ୍ତକ ‘ସୀତା ଅଣ୍ଡର ଦି କ୍ରେସେଣ୍ଟ ମୂନ‘ (ପ୍ରକାଶକ ସାଇମନ ଓ ସୁସ୍ଟର) କେବଳ ଏକ ଭ୍ରମଣ କାହାଣୀ ନୁହେଁ ଏକ ଧାର୍ମିକ ଆଲେଖ ମଧ୍ୟ। ପାକିସ୍ତାନର ବିଭିନ୍ନ ପ୍ରଦେଶ ଯଥା କରାଚି, ବେଲୁଚିସ୍ତାନ ଆଦିରେ ମହିଳାମାନେ କିଭଳି କିମ୍ବଦନ୍ତୀ, ଲୋକଗୀତ, ଲୋକକଥା ଜରିଆରେ ଏକ ହିନ୍ଦୁ ପରମ୍ପରାକୁ ବଜାୟ ରଖିଛନ୍ତି ତାହା ଏହି ପୁସ୍ତକର ସାରମର୍ମ। କରାଚିର ଲୟରି, ବେଲୁଚିସ୍ତାନର ହିଂଗୋଳ ଓ ସିନ୍ଧର ଥାଟ୍ଟା ଅଂଚଳରେ ମହିଳାମାନେ ଭାରତୀୟ ଧର୍ମ ବିଶ୍ୱାସକୁ କିଭଳି ସଂରକ୍ଷିତ କରି ରଖିପାରିଛନ୍ତି ଅନି ତାଙ୍କ ପୁସ୍ତକରେ ତାହାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି।

ଅନି ଏହି ପୁସ୍ତକରେ ବର୍ଣ୍ଣନା କରିଛନ୍ତି  କିଭଳି ସେ ଏହି ଧର୍ମ ବିଶ୍ୱାସର ସନ୍ଧାନରେ ବାହାରିଥିଲେ। ପୁସ୍ତକ ଲେଖିବା ପାଇଁ ସେ ମାସ ମାସ ଧରି ଶ୍ରଦ୍ଧାଳୁଙ୍କ ସହିତ କିଭଳି ବିଭିନ୍ନ ସ୍ଥାନକୁ ଯାଇଛନ୍ତି ଓ ପଚାରି ବୁଝିଛନ୍ତି ଦୁର୍ଗାଙ୍କୁ କେମିତି ପୂଜା କରାଯାଏ। ସେ ମା, ଝିଅ ବୁଢ଼ୀ’ମା, କାପାଳିକ ଓ ଧାର୍ମିକ ଅନୁଷ୍ଠାନ ସହିତ ଜଡ଼ିତ ଲୋକଙ୍କଠାରୁ ଯାହା ଶୁଣିଛନ୍ତି ତାକୁ ଅକ୍ଷର ଅକ୍ଷରେ ପୁସ୍ତକରେ ଲିପିବଦ୍ଧ କରିଛନ୍ତି। ଦିନ ଦିନ ଧରି ସେ ସେମାନଙ୍କ ସହିତ ରହିଛନ୍ତି, ଖାଇଛନ୍ତି ଓ ସେମାନଙ୍କ ପାଖରେ ରାତ୍ରିଯାପନ ବି କରିଛନ୍ତି। ଏହିଭଳି କରିବା ଭିତରେ ସେ ଦେଖିଛନ୍ତି ସମୟର ନିଷ୍ଠୁର ପ୍ରଭାବରେ କିଭଳି ସବୁ କିଛି ବଦଳିଯାଇଛି। ଧାର୍ମିକ ଅନୁଷ୍ଠାନ ତ ବଦଳିଛି, ରୀତି ରିୱାଜ ବି ବଦଳିଛି।

ଅନି କେବଳ ଧାର୍ମିକ ପରମ୍ପରା ଓ ବିଶ୍ୱାସ କଥା ପୁସ୍ତକଟିରେ ଲେଖିନାହାନ୍ତି, ସେ କହିଛନ୍ତି ସେଠାକାର ମହିଳାଙ୍କ ସାମାଜିକ ଅବସ୍ଥା – କିଭଳି ଆତଙ୍କବାଦର ଶିକାର ହୋଇଛନ୍ତି ସେମାନେ। ବିଭିନ୍ନ ପ୍ରକାର ସାମାଜିକ କଟକଣା ସତ୍ତ୍ୱେ ପାକିସ୍ତାନର ମହିଳାମାନେ ସୀତା, ତାଙ୍କ ବନବାସ ଓ ତ୍ୟାଗର ସେହି ଅଭୂଲା କାହାଣୀ ଓ କିମ୍ବଦନ୍ତୀକୁ କିପରି ଜୀବନ୍ତ ରଖି ପାରିଛନ୍ତି ତାହା ହିଁ ହେଉଛି ଏହି ପୁସ୍ତକର ଅଭିଲକ୍ଷ୍ୟ।

ଅନି ମଧ୍ୟ ମନେ ପକାଇଛନ୍ତି ତାଙ୍କ ପିଲା ଦିନ ଯେତେବେଳେ ଜେଜେ ବାପାଙ୍କ ଘରେ ଦୁର୍ଗାଙ୍କୁ ପୂଜା କରାଯାଉଥିଲା। ପୁସ୍ତକରେ ଉଲ୍ଲେଖ କରାଯାଇଛି ବେଲୁଚିସ୍ତାନରେ ଗୋଟିଏ ସ୍ଥାନ  ଯାହାର ନାମ ‘ହିଂଗଳାଜ।’ ଏଇଠି ହିଁ ମା ହିଙ୍ଗୁଳା ଦେବୀଙ୍କୁ ମହିଳାମାନେ ପୂଜା କରୁଥିଲେ ବୋଲି ଅନି ତାଙ୍କ ପୁସ୍ତକରେ ଲେଖିଛନ୍ତି। ଏହାକୁ ବର୍ତ୍ତମାନ କୁହାଯାଉଛି ‘ନନି ପିର’। ଏହି ପୀଠଟି ହେଉଛି ପାର୍ବତୀଙ୍କ ଏକାବନଟି ପୀଠ ମଧ୍ୟରୁ ଗୋଟିଏ।

ହିଂଗଳାଜର ଭୌଗୋଳିକ ଅବସ୍ଥିତିକୁ ବର୍ଣ୍ଣନା କରିବାକୁ ଯାଇ ସେ ଲେଖିଛନ୍ତି ଯେ ଏଠି ପହଞ୍ଚିବା ଅତ୍ୟନ୍ତ କଠିନ। ମାଇଲ ମାଇଲ ଧରି ଅପନ୍ତରା ରାସ୍ତାରେ ଯିବା ପରେ ଏହି ହିଙ୍ଗୁଳା ପୀଠରେ ପହଞ୍ଚିହେବ। ଦକ୍ଷିଣ ଭାରତର ମାଲାବାର ଅଞ୍ଚଳରୁ ବାହାରିଥିବା ଏହି ଉପକୂଳ ରାସ୍ତା ରାଜସ୍ଥାନ ଦେଇ ଇରାନର ସମୁଦ୍ର କୂଳବର୍ତ୍ତୀ ସହରରେ ଲାଗିଥିବା କଥା ସେ ଉଲ୍ଲେଖ କରିଛନ୍ତି।

ଅନି ଯେହେତୁ ଜଣେ ସାମ୍ବାଦିକ ଥିଲେ ସେ ଏହି ପୁସ୍ତକରେ ପାକିସ୍ତାନର ସାମ୍ପ୍ରତିକ ଅବସ୍ଥା ସମ୍ପର୍କରେ ବି ଅନେକ କଥା ଲେଖିଛନ୍ତି। ସିନ୍ଧି ଓ ବେଲୁଚିଙ୍କ ଭିତରେ ଥିବା ସମ୍ପର୍କ,ସିଆ ଓ ସୁନିଙ୍କ ଭିତରେ ବରାବର ଘଟୁଥିବା ସଂଘର୍ଷ, ଜମାଏ ତ ଉଲେମା ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଇତ୍ୟାଦି। ପୁସ୍ତକରେ ଲେଖା ଯାଇଛି କିପରି ଔଧ ମହିଳାମାନେ ମାଟି ଓ ଚାଳର ଘର ତିଆରି କରନ୍ତି, ମାଲକି ନାମକ ସହର ଯେଉଁଠି ହଜାର ହଜାର କବର ଦେଖିବାକୁ ମିଳିଥାଏ, କିଛି ଅଞ୍ଚଳର ମହିଳା କିପରି କ୍ୟାପଷ୍ଟାନ୍ ସିଗାରେଟ ପିଅନ୍ତି, ରୋଗ ଭଲ କରିବା ପାଇଁ ପକ୍ଷୀ ଗାଧୁଆ ପାଣି କିପରି ବ୍ୟବହାର କରାଯାଏ ଓ ସବୁଠାରୁ ମଜା ବେନଜୀର ଭୁଟୋଙ୍କ ସ୍ୱାମୀ ଆସିଫ ଅଲି ଜର୍ଦାରୀଙ୍କୁ କାହିଁକି ‘ମିଷ୍ଟର ଟେନ ପରସେଣ୍ଟ’ କୁହାଯାଏ।

ସୀତା ଅଣ୍ଡର ‘ଦି କ୍ରେସେଣ୍ଟ ମୂନ୍ – ଏ ଉମ୍ୟାନସ୍ ସର୍ଚ୍ଚ ଫର୍ ଫେଥ ଇନ ପାକିସ୍ତାନ‘ର ଲେଖିକା ଅନି ଅଲି ଖାଁ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ମାଧ୍ୟମରେ ମାଷ୍ଟର୍ସ କରିଥିଲେ ଓ ପାକିସ୍ତାନର ଜଣେ ବିଚକ୍ଷଣ ସାମ୍ବାଦିକ ଓ ଫୋଟୋଗ୍ରାଫର ଭାବରେ ନିଜକୁ ପ୍ରମାଣିତ କରି ପାରିଥିଲେ।

ଦୁର୍ଭାଗ୍ୟର ବିଷୟ ପୁସ୍ତକଟି ପ୍ରକାଶ ପାଇବା ପୂର୍ବରୁ ଗତ ବର୍ଷ ଅନିଙ୍କର କରାଚିଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା ଓ ତାଙ୍କର ଘନିଷ୍ଠ ବନ୍ଧୁମାନଙ୍କ ସହାୟତାରେ ଏବେ ପୁସ୍ତକଟି ପ୍ରକାଶ ପାଇଛି।

Comment