ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହଙ୍ଗା ପଡ଼ିଲା ବିଧାୟକଙ୍କୁ ଦୁର୍ବ୍ୟବହାର, ରାଜ୍ୟ ଚିକିତ୍ସା ପାଣ୍ଠିରୁ ବାଦ ପଡ଼ିଲା କଳିଙ୍ଗ ହସ୍ପିଟାଲ।

କଳିଙ୍ଗ ହସ୍ପିଟାଲକୁ ବଡ଼ ଝଟକା। ବିଧାୟକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର ମାମଲାରେ ରାଜ୍ୟ ଚିକିତ୍ସା ପାଣ୍ଠିରୁ ବାଦ ପଡ଼ିଲା କଳିଙ୍ଗ ହସ୍ପିଟାଲ। ଏନେଇ ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘୋଷଣା କରିଛନ୍ତି।

ଗତ ଜୁନ ୨୯ ତାରିଖରେ କେନ୍ଦୁଝର ଜିଲ୍ଲା ନାରଦପୁର ଗାଁର ବାସୁଦେବ ବାରିକଙ୍କ ପୁଅର କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଚିକିତ୍ସା ପାଇଁ ଟଙ୍କା ପଇଠ ହୋଇଥିବା ବେଳେ ଅଧିକ ଟଙ୍କା ଦାବି କରି ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଅର୍ଥ ଦାବି କରି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ମନା କରିଥିଲେ।

ଏବାବଦରେ ଅଭିଯୋଗ ଆସିବା ପରେ ବିଜେପି ବିଧାୟକ ମୋହନ ମାଝୀ କଳିଙ୍ଗ ହସ୍ପିଟାଲ ଯାଇ ମୃତ ଦେହ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରିଥିବା ମୋହନ ମାଝୀ ଅଭିଯୋଗ କରିଥିଲେ। ଏହି ଖବର ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ପାଇଁ ୪ଜଣିଆ ଟିମ ଗଠନ କରିଥିଲେ।

୪ଜଣିଆ ଟିମ୍‌ର ତଦନ୍ତ ରିପୋର୍ଟ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ମନ୍ତ୍ରୀ ନବଦାସ। ଶନିବାର ବିଧାନସଭାରେ କଳିଙ୍ଗ ହସ୍ପିଟାଲକୁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ବାହାର କରିବା ଘୋଷଣା କରିଛନ୍ତି।

Comment