ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନର ବ୍ୟବଧାନପରେ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି। କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ସେ କହିଛନ୍ତି, “ଭାରତର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। କିନ୍ତୁ ଆଗକୁ କ’ଣ ହେବ ସେକଥା କେହି କହିପାରିବେ ନାହିଁ। ଏଥିପାଇଁ ସ୍ୱାସ୍ଥ୍ୟବିଭାଗ ପ୍ରସ୍ତୁତ ରହିଛି। ହସ୍ପିଟାଲମାନଙ୍କରେ ରୋଗୀଙ୍କ ପାଇଁ ବେଡ୍‌, ଅକ୍ସିଜେନ, ମେଡିସିନ, ଭେଣ୍ଟିଲେଟର, ଆଇସିୟୁ ଆବଶ୍ୟକ ପରିମାଣରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡ଼ିଲେ ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସା ହୋଇପାରେ।”

ସେ ଆଉ ମଧ୍ୟ କହିଛନ୍ତି, “ଅଟୋ ଚାଳକ, ମାଂସ ବ୍ୟବସାୟୀ, ହୋଟେଲ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବର୍ଡରରେ ଲୋକମାନଙ୍କର ଆଣ୍ଟିଜେନ ଟେଷ୍ଟ କରିବା ସହ ଅଧିକ ଲକ୍ଷଣ ଥିଲେ ଆରଟିପିସିଆର ଟେଷ୍ଟ କରିବାକୁ ଅନୁମତି ଦିଆଯାଇଛି ।”

ରାଜ୍ୟରେ ଟିକା ପାଇଁ କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେବେନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଆଜି ରାଜ୍ୟର ୧୦ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଆସନ୍ତା ୫ ତାରିଖରୁ ଏହା ଲାଗୁ ହେବବୋଲି ସୂଚନା ମିଳିଛି।

Comment