ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦିନକ ପରେ ସରିବ ଆଂଶିକ ଲକଡାଉନ୍ କଟକଣା ଅବଧି। ତାପରେ ରାଜ୍ୟ କଟକଣା ମୁକ୍ତ ହେବ କି ପୁଣିଥରେ କିଛି ସାମଗ୍ରୀ ଓ ଦୋକାନକୁ ବାଦ ଦିଆଯାଇ ଆଂଶିକ ଲକଡାଉନ୍ ଘୋଷଣା କରାଯିବ ତାହାକୁ ନେଇ ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ। ଏହାରି ଭିତରେ ଏତେ କଠୋର ନିୟମ ସତ୍ତ୍ୱେ ଅନ୍ୟ ଅଞ୍ଚଳ ଅପେକ୍ଷା ଟୁଇନ ସିଟିରେ ଅଧିକ ରହିଛି ପଜିଟିଭ୍ ହାର। ଯାହାକୁ ନେଇ ଚିନ୍ତାରେ ପ୍ରଶାସନ। ତେଣୁ ଏହି ଦୁଇ ସହର ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର।ସେ କହିଛନ୍ତି, “ରାଜ୍ୟର ଅନେକ ଜିଲ୍ଲାରେ ସଂକ୍ରମଣ କମିଥିଲେ ମଧ୍ୟ ଏଯାବତ୍ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। କଟକ, ଭୁବନେଶ୍ଵର, ବାଲେଶ୍ଵର, ମୟୂରଭଞ୍ଜ ଭଳି କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ। ଵିଶେଷ କରି ଭୁବନେଶ୍ୱର ଓ କଟକ ସହରର ସଂକ୍ରମଣ କେମିତି କମିବ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ।”

ସେ ଆଉ ମଧ୍ୟ କହିଛନ୍ତି, “ପଡ଼ୋଶୀ ରାଜ୍ୟ ଛତିଗଡ଼ରେ ପୁଣିଥରେ ସଂକ୍ରମଣ ଉପରମୁହାଁ ହୋଇଛି। ତେଣୁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ନଜର ରଖିଛି ପ୍ରଶାସନ। କୋଭିଡ୍ କଟକଣା କୋହଳ ହେବା ପରେ ବି କିଛିଟା କଟକଣାକୁ ଗୁରୁତ୍ଵ ଦିଆଯିବ। ଏଥିସହ ପଶ୍ଚିମବଙ୍ଗ ସୀମାରେ ଥିବା ଜିଲ୍ଲାଗୁଡ଼ିକ ଉପରେ ମଧ୍ୟ ସ୍ଵତନ୍ତ୍ର ନଜର ରଖାଯାଇଛି। ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବେ।”ଅନ୍ୟପଟେ  ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୨୦୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯୨ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୮୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏବେ ପଜିଟିଭ୍ ହାର କମିବାରେ ଲାଗିଛି। ତୃତୀୟ ଲହର ଆସୁ କିମ୍ବା ନଆସୁ ସର୍ଭିଲାନ୍ସ ଏବଂ ଟିକାକରଣ ପ୍ରକ୍ରିୟା ଜାରି ରହିବ କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦଶେକ ବିଜୟ ମହାପାତ୍ର।

Comment