ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ତୃତୀୟ ଲହରକୁ ନେଇ ବିଭିନ୍ନ ଆଇଆଇଟି ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ତଥ୍ୟ ଆକଳନ କରାଯାଇଛି। କାନପୁର ଆଇଆଇଟି ପକ୍ଷରୁ ଯେଉଁ ତଥ୍ୟ ଆକଳନ ହୋଇଛି ସେଥିରେ ତିନି ପ୍ରକାର ସମ୍ଭାବନା ବ୍ୟକ୍ତ କରାଯାଇଛି। ତୃତୀୟ ଲହର ଆସି ଚାଲିଯାଇପାରେ(ରିପଲ ଇଫେକ୍ଟ)। ଯଦି ଭାରିଏଣ୍ଟ ତା’ର ରୂପ ବଦଳାଇ ଚାଲିଲା ହୁଏତ ଅଧିକ ଲୋକ ଏହି ଲହରରେ ସଂକ୍ରମିତ ହୋଇପାରନ୍ତି। କାନପୁରର ଏହି ଆକଳନ ପରେ ଏନେଇ  ସତର୍କ କରାଇଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ।ଡାକ୍ତର ନିରୋଜ ମିଶ୍ରଙ୍କ କହିବା ଅନୁସାରେ ଅଗଷ୍ଟରେ କଟକଣା କୋହଳ ହେବା ଅନୁଚିତ। ତୃତୀୟ ଲହର ନଭେମ୍ବର ସୁଦ୍ଧା ଆସିବାନେଇ ଆକଳନ କରାଯାଉଥିବାରୁ ନଭେମ୍ବର ପୂର୍ବରୁ ରାଜ୍ୟରେ ସଂପୂର୍ଣ୍ଣ ଟିକାକରଣ କରିବା ପାଇଁ ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍ତି। ତେବେ କରୋନାର ତୃତୀୟ ଲହରକୁ ନେଇ ଆଇଆଇଟି ଖଡ଼ଗପୁର ଯେଉଁ ଆକଳନ କରିଛି ସେହି ଆକଳନ କହୁଛି ଯେ, ତୃତୀୟ ଲହର ଏତେ ବଡ଼ ଧରଣର ହୋଇନପାରେ। କାନପୁର ଓ ହାଇଦ୍ରାବାଦ ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍-୧୯ର ଗାଣିତିକ ମଡେଲ ମଧ୍ୟ ଏହିପରି ଏକ ସମ୍ଭାବନା ରହିଛି।କାନପୁର ଆଇଆଇଟି ପ୍ରଫେସର ମନିନ୍ଦ୍ର ଅଗୱାଲଙ୍କ ନେତୃତ୍ୱରେ ପ୍ରସ୍ତୁତ ମଡେଲ ଅନୁସାରେ ଅତି ଖରାପ ସ୍ଥିତି ଆସିଲେ ବି ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସର୍ବାଧିକ ଦୈନିକ ୨ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି। ଏହିଭଳି ବିଭିନ୍ନ ଆଶଙ୍କା ରହିଥିବାରୁ କୋଭିଡ ଗାଇଡଲାଇନ କଡାକଡି ପାଳନ କରିବାକୁ କାନପୁର ଆଇଆଇଟି ମଡେଲରେ କୁହାଯାଇଛି।ଏହି ସ୍ଥିତିରେ ଟିକା ହିଁ ବଡ଼ ଭରସା। ଯେତେ ଶୀଘ୍ର ଲୋକଙ୍କୁ ଟିକା ଦିଆଯାଇପାରିବ କରୋନାକୁ ଦୂରରେ ରଖିହେବ। ତୃତୀୟ ୱେଭରେ ଶିଶୁମାନଙ୍କ ପ୍ରତି ବିପଦ ଥିବାରୁ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ। ତୃତୀୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ତେବେ ସବୁ କିଛି ନିର୍ଭର କରେ ଲୋକଙ୍କ କୋଭିଡ ନିୟମ ମାନିବା ଉପରେ।

Comment