ଓଡ଼ିଶାଲାଇଭ୍ ବ୍ୟୁରୋcorona case

କରୋନା ମହାମାରୀ ସମଗ୍ର ବିଶ୍ଵରେ ତାଣ୍ଡବ ରଚିଥିବାବେଳେ ଗତ କିଛି ଦିନ ହେବ ଶକ୍ତିଶାଳୀ ଆମେରିକାରେ ଏହା ପୁଣିଥରେ ମୁଣ୍ଡ ଟେକିଥିବା ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ଏବେ ଆମେରିକାରେ ଟିକାକରଣକୁ ଜୋରଦାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଯାବତ୍ ଆମେରିକାର  ୭୦ ପ୍ରତିଶତ ଲୋକଙ୍କୁ ଟିକା ଦିଆ ସରିଲାଣି।

ସରକାରୀ ତଥ୍ୟ ଅନୁସାରେ ଏବେ ଆମେରିକାରେ ଦୈନିକ ସଂକ୍ରମଣ ହାରାହାରି ୧ଲକ୍ଷ ରହିଛି। କରୋନାର ଡେଲ୍ଟା ଭାରିଏଣ୍ଟ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଡେଲ୍ଟା ଭାରିଏଣ୍ଟ ବେଶ କ୍ଷୀପ୍ର ଗତିରେ ଜଣଙ୍କଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ। ବର୍ତ୍ତମାନ ଏହି ଭାରିଏଣ୍ଟ ଆମେରିକା ସରକାରଙ୍କ ନିଦ ହଜାଇ ଦେଇଛି।ଜୁନ୍‌ ମାସରେ ଆମେରିକାରେ ଦୈନିକ ୧୧ ହଜାର ଲୋକ ସଂକ୍ରମିତ ହେଉଥିଲେ। କିନ୍ତୁ ଏବେ ଦୈନିକ ସଂକ୍ରମଣ ୧,୦୭,୧୪୩ରେ ପହଞ୍ଚିଛି। ଆମେରିକାରେ ୨୦୨୦ ନଭେମ୍ବର ମାସରେ ଦୈନିକ ସଂକ୍ରମଣ ହାରାହାରି ୧ ଲକ୍ଷ ରହିଥିଲା। ଏବର୍ଷ ଜାନୁଆରୀ ମାସରେ ସେଠାରେ କରୋନାର ପିକ୍ ଦେଖିବାକୁ ମିଳିଥିଲା ଓ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ପାର କରିଥିଲା। ପରେ ଜୁନ୍‌ ମାସରେ କରୋନା ନିୟନ୍ତ୍ରଣକୁ ଆସିଥିଲା। ହେଲେ ୬ ସପ୍ତାହ ପରେ ପୁଣି ଦୈନିକ ସଂକ୍ରମଣ ୧ ଲକ୍ଷ ପାର କରିଯାଇଛି।corona case-2ତଥ୍ୟ ଅନୁସାରେ ଆମେରିକାରେ ସଂକ୍ରମଣ ସହ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି। ଦୁଇ ସପ୍ତାହ ତଳେ ଦୈନିକ ମୃତ୍ୟୁହାର ୨୫୦ ରହୁଥିବାବେଳେ ଏବେ ଏହା ୫୦୦ରେ ପହଞ୍ଚିଛି। ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବିଶେଷ କରି ଦକ୍ଷିଣ ଭାଗରେ ସଂକ୍ରମଣ ଅଧିକ ରହିଥିବାରୁ ହସ୍ପିଟାଲଗୁଡ଼ିକରେ ବେଡ୍‌ର ଅଭାବ ଦେଖିବାକୁ ମିଳିଲାଣି।

ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସେଠାକାର ଜନସାଧାରଣଙ୍କୁ ଶ୍ରୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛନ୍ତି। ଏଥିସହ ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ ମଧ୍ୟ କହିଛନ୍ତି। ସୂଚନା ଥାଉକି, ଆମେରିକାରେ ୨୦୨୦ ଡିସେମ୍ବର ୧୪ତାରିଖରୁ ଟିକାକରଣ ଆରମ୍ଭ କରାଯାଇଥିଲା।

Comment