ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଛି। ଗୁରୁବାର ଦିନ ଦେଶ ଏହି ରେକର୍ଡ ଭାଙ୍ଗିଛି। ଆମେରିକା, ବ୍ରାଜିଲ ପରେ ତୃତୀୟ ଦେଶ ଭାବରେ ଭାରତରେ ଚାରି ଲକ୍ଷରୁ ଅଧିକ ଲୋକ ଏହି ମହାମାରୀରେ ଆଖି ବୁଜିଛନ୍ତି। ତେଣେ ଆମେରିକାରେ ଛଅ ଲକ୍ଷରୁ ଅଧିକ ଲୋକ କରୋନା ଯୋଗୁଁ  ମୃତ୍ୟୁବରଣ କରିଥିବାବେଳେ ବ୍ରାଜିଲରେ ୫.୨ଲକ୍ଷ, ମେକ୍ସିକୋରେ ୨.୩ ଲକ୍ଷ ଏବଂ ପେରୁରେ ୧.୯ ଲକ୍ଷଙ୍କ ମୃତ୍ୟୁ ଘଟିଛି। ଭାରତ ତଳକୁ ରୁଷିଆ, ବ୍ରିଟେନ, ଇଟାଲୀ, ଫ୍ରାନ୍ସ ଏବଂ କଲମ୍ବିଆ ଆଦି ଦେଶ ରହିଥିବା ସୂଚନା ମିଳିଛି।ଉଲ୍ଲେଖ କରିବାର ବିଷୟ ଯେ, ଭାରତ ଏବଂ ବ୍ରାଜିଲରେ କୋଭିଡ ସଂକ୍ରମଣ କ୍ରମଶଃ ହ୍ରାସ ଦେଖା ଯାଉଥିବାବେଳେ ବ୍ରିଟେନ, ରୁଷିଆ, ଆମେରିକା, ମେକ୍ସିକୋ, ଥାଇଲ୍ୟାଣ୍ଡ ଆଦି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କୋଭିଡ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ରହିଛି, ତଥାପି ଯଦି ଦଶଲକ୍ଷ ଲୋକଙ୍କ ହିସାବ ନିଆଯାଏ ମୃତକଙ୍କ ସଂଖ୍ୟା ମାତ୍ର ୨୮୭ ରହିଛି। ଉଚ୍ଚ ସଂକ୍ରମଣ ସତ୍ତ୍ୱେ ଏତେ କମ ସଂଖ୍ୟାରେ ଲୋକ ପ୍ରାଣ ହରାଇବା ଉଲ୍ଳେଖନୀୟ।ଫ୍ରାନ୍ସ, ଆମେରିକା, ରୁଷିଆ ଆଦି ଉନ୍ନତ ଦେଶରେ ଦଶ ଲକ୍ଷରେ ମୃତକଙ୍କ ସଂଖ୍ୟା ପାଖାପାଖି ଏକ ହଜାର। ଆହୁରି ମଧ୍ୟ, ଭାରତରେ କେସ ଫାଟାଲିଟି ଅନୁପାତ ଯଥେଷ୍ଟ କମ। ଏହା ୧.୩ ପ୍ରତିଶତ ଯାହାକି ସାନ୍ତ୍ୱନା ପ୍ରଦାନକାରୀ। ତେବେ କରୋନା ମହାମାରୀର ବିଭୀଷିକାକୁ ଲକ୍ଷ୍ୟ କଲେ ସଂଖ୍ୟାରେ ଆମେ ଅଟକି ଯିବା ଉଚିତ ହେବନାହିଁ। ବର୍ତ୍ତମାନ ସମୟରେ କରୋନା ବିରୁଦ୍ଧରେ ଏକ ମାତ୍ର ଅସ୍ତ୍ର ହେଉଛି ଟିକା। ଜୁନ ୨୧ ତାରିଖରୁ ଦେଶରେ ଏକକ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ହେଲେ ଟିକାଦାନ ଠିକ ଭାବରେ ଚାଲିନାହିଁ ବୋଲି ରିପୋର୍ଟ ଆସୁଛି।ଓଡ଼ିଶା ସମେତ ଅନେକ ରାଜ୍ୟରେ ଟିକା ଠିକ ସମୟରେ ପହଞ୍ଚି ପାରୁନଥିବାରୁ ଏଥିରେ ବ୍ୟାଘାତ ସୃଷ୍ଟି ହୋଇଥିବା ଖବର ବରାବର ଆସୁଛି। ଦିନକୁ ୬୬ଲକ୍ଷ ଟିକା ଦେବା ଲକ୍ଷ୍ୟ ରଖାଯାଇଥିଲେ ହେଁ ଏହା ୩୫ଲକ୍ଷ ପାଖାପାଖି ରହୁଛି। ଭାରତ ସରକାରଙ୍କ ଟାର୍ଗେଟ ହେଉଛି ଡିସେମ୍ବର ମାସ ଶେଷ ସୁଦ୍ଧା ୯୫କୋଟି ଲୋକଙ୍କୁ ଟୀକା ଦେବା। ବର୍ତ୍ତମାନ ଅନେକ ପ୍ରକାର ଟିକା ଭାରତକୁ ଆସିଲାଣି। ତାଛଡ଼ା ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଟିକା ଉତ୍ପାଦନ କ୍ଷମତା ବୃଦ୍ଧ କରିଛନ୍ତି। ଏଣୁ ବର୍ଷ ଶେଷ ସୁଦ୍ଧା ଦେଶର ଅଧିକାଂଶ ଲୋକ ଟିକା ନେଇସାରିଥିବେ। ଯାବତୀୟ ଦୋଷ ଦୁର୍ବଳତା ସତ୍ତ୍ୱେ ସମସ୍ତଙ୍କୁ ମିଳିମିଶି କୋଭିଡକୁ ପରାସ୍ତ କରିବା ପାଇଁ ହେବ ଏହା ନିଃସନ୍ଦେହ।

Comment