ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶେଷ ଲଢ଼େଇରେ ବାଜି ମାରି ପାରିଲେନି ବିଜୟ।

ରାଉଣ୍ଡ ଯେତିକି ବଢୁଛି ପାଟକୁରା ଚିତ୍ର ସେତିକି ସ୍ପଷ୍ଟ ହେଉଛି। ପାଟକୁରାରେ ବିଜୁ ଜନତା ଦଳ ବଡ଼ ବିଜୟ ଆଡ଼କୁ ମୁହାଁଇଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପାଟକୁରା ମହାଯୁଦ୍ଧରେ ପରାଜିତ ହେବା ସ୍ପଷ୍ଟ ହୋଇଯାଇଛି। ୧୭ତମ ରାଉଣ୍ଡ ସୁଦ୍ଧା ବିଜେଡି ୮୯ ହଜାର ୩୮୯ ଭୋଟ ପାଇଥିବା ବେଳେ ବିଜୟ ୭୨ ହଜାର ୧୫୫ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨ ହଜାର ୧୬ ଖଣ୍ଡ ଭୋଟ ପାଇଛନ୍ତି।

ଏଣୁ ଏହି ଚିତ୍ର କହୁଛି ବିଜେଡି ପାଟକୁରା ଦଖଲ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ଏହି ଲଢ଼େଇ ବିଜୟଙ୍କ ପାଇଁ ଶେଷ ଲଢ଼େଇ ହୋଇଥିବାରୁ ବିଜୟ ପାଟକୁରାରେ ଅନୁକମ୍ପା ଭୋଟ ପାଇବେ ବୋଲି ଚର୍ଚ୍ଚା ହେଉଥଲା। କିନ୍ତୁ ସେମିତି କିଛି ଘଟିଲା ନାହିଁ। ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ବିଜୟଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ।

ବିଜୟ କେବଳ ୧୧ ଏବଂ ୧୭ତମ ରାଉଣ୍ଡରେ ଆଗରେ ରହିଥିଲେ। ହେଲେ ସାବିତ୍ରୀଙ୍କ ଭୋଟକୁ କାଟିବାରେ ସମର୍ଥ ହୋଇ ନଥିଲେ ଅଭିଜ୍ଞ ନେତା ବିଜୟ ମହାପାତ୍ର। ଆଶ କରାଯାଉଥିଲା ଗରଦପୁର ବ୍ଲକ ବିଜୟଙ୍କ ଗଡ଼ ହୋଇଥିବାରୁ ଏଠାରେ ସେ ଅଧିକ ଭୋଟ ପାଇବେ। କିନ୍ତୁ ବିଜୟ ଏଠି ବି ଫେଲ୍ ମାରିଛନ୍ତି। ଗତ ଦୁଇ ମାସ ତଳେ ଗରଦପୁର ବ୍ଳକରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୧୮୦୦ରୁ ଅଧିକ ଭୋଟ ପାଇଥିବା ବେଳେ ବିଜୟ ଏଠି ଭୋଟ ପାଇବାରେ ଫେଲ ମାରିଛନ୍ତି।

ବାଜି ଜିତି ପାରିଲେନି ବିଜୟ

ଗତ ୧୯ ବର୍ଷ ହେଲା କ୍ଷମତାଠାରୁ ଦୂରରେ ଥିବା ବିଜୟ ମହାପାତ୍ରଙ୍କ ପାଇଁ ଚଳିତ ନିର୍ବାଚନ ଶେଷ ଲଢ଼େଇ ବୋଲି କୁହାଯାଉଥିଲା। ବିଜେଡିରୁ ବିଦା ହେବା ପରେ ବିଜୟ ରାଜନୀତିରେ ଅନେକ ପରୀକ୍ଷା ଦେଇଛନ୍ତି। ହେଲେ ସବୁଠି ବିଫଳ ହୋଇ ଆସିଥିବାରୁ ଏଥର ବାଜି ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜୟଙ୍କ ଭାଗ୍ୟ ସାଥ୍ ଦେଲାନି।

BJବିଜେଡିରୁ ବିଦା ହେବା ପରେ ବିଜୟ ଓଜିପି ନାଁରେ ରାଜନୀତିକ ଦଳ ଗଠନ କରି ରାଜନୀତିରେ ପରୀକ୍ଷା ଦେଇଥିଲେ। ହେଲେ ସେ ପରୀକ୍ଷାରେ ପାସ୍‌ କରିପାରି ନଥିଲେ ବିଜୟ। ୨୦୦୪ରେ ବିଜୟ ପାଟକୁରାରୁ ଓଜିପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

ଓଜିପିରେ ଭାଗ୍ୟ ପରୀକ୍ଷା ପରିବା ପରେ ବିଜୟ ଏନସିପରେ ସାମିଲ ହୋଇ ରାଜ୍ୟ ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ତାଙ୍କ ଭାଗ୍ୟ ସାଥ୍ ଦେଲାନି। ଯେଉଁ ବିଜେଡିଠାରୁ ପ୍ରତିଶୋଧ ନେବାବୁ ବିଜୟ ଚାହୁଁଥିଲେ ସେହି ଦଳ ସହ ଏନସିପି ୨୦୦୪ରେ ଆସନ ବୁଝାମଣା କରିଥିଲା। ଫଳରେ ବିଜୟ ଏନସିପି ଛାଡ଼ିଥିଲେ।

୨୦୦୯ରେ ବିଜେଡିଠାରୁ ଦୂରେଇ ଥିବା ବିଜେପିରେ ସାମିଲ ହୋଇଥିଲେ ବିଜୟ। ବିଜେପି ଟିକେଟରେ ବିଜୟ ପୁଣି ପାଟକୁରାରୁ ୨୦୦୯ ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜିତ ହୋଇଥିଲେ। ୨୦୧୪ରେ ମହାକାଳପଡ଼ାରୁ ନିର୍ବାଚନ ଲଢ଼ି ପରାଜିତ ହେବା ପରେ ବିଜୟ ୨୦୧୯ରେ ପୁଣି ପୁରୁଣା ମଇଦାନ ପାଟକୁରା ଫେରିଥିଲେ।

ଯେଉଁ ଆସନରୁ ବିଜୟ ପ୍ରଥମେ ବିଧାନସଭାକୁ ଯାଇଥିଲେ ସେହି ଆସନରେ ଏବେ ବିଜୟ ଶେଷ ଲଢ଼େଇ ଲଢ଼ିଥିଲେ।

କଂଗ୍ରେସର ଅମାନତ ଉଡ଼ିଲା

ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଥିବା ବେଳେ ପାଟକୁରା ନିର୍ବାଚନରେ ଦଳ ଅମାନତ ହାରିଛି। ପ୍ରତି ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ପରାଜିତ ହେବାକୁ ପଡ଼ିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ୧୬ତମ ରାଉଣ୍ଡ ସୁଦ୍ଧା ମାତ୍ର ୨ ହଜାର ୧୬ ଖଣ୍ଡ ଭୋଟ ପାଇଛନ୍ତି।

Comment