ଓଡ଼ିଶାଲାଇଭ ବ୍ୟୁରୋ

କାରଗିଲ ବିଜୟକୁ ୨୦ ବର୍ଷ ପୂରିଛି। ଏହି ଅବସରରେ ସାରା ଦେଶ କାରଗିଲ ବିଜୟ ଦିବସ ପାଳନ କରୁଛି। ଏହାସହ ଆଜି ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନରେ ମଧ୍ୟ କାରଗିଲ ବିଜୟ ଦିବସ ପାଳିତ ହୋଇଛି। ୧୨୦ ବାଟାଲିୟନ ପରିସରରେ ଥିବା ଅମର ଯବାନ ସ୍ମାରକୀ ନିକଟରେ ଯବାନମାନେ ଏକତ୍ରୀତ ହୋଇ ସହିଦଙ୍କ ଶ୍ରଦ୍ଧାଞ୍ଜଳୀ ଦେବା ସହ ଏହି ଦିବସକୁ ପାଳନ କରିଛନ୍ତି।

ଏହି ବିଜୟ ଦିବସରେ ଲେଫ୍ଟନାଣ୍ଟ ଜେନେରାଲ ଜେ.କେ. ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଳା ଅର୍ପଣ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଅନେକ ପୂର୍ବତନ ସେନା ଅଧିକାରୀ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।

Salam Sahid

“ସେନାରେ ଯୋଗଦେବା ସବୁବେଳେ ଜଣେ ସୈନିକ ପାଇଁ ଗର୍ବର କଥା। ଯେଉଁ ବୀର ଯୋଦ୍ଧାମାନେ ଦେଶପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ତାଙ୍କୁ ଦେଶ ସବୁବେଳେ ମନେପକାଇବ” ବୋଲି କହିଥିଲେ ଲେଫ୍ଟନାଣ୍ଟ ଜେନେରାଲ ଜେ.କେ. ମହାନ୍ତି।

ସେହିପରି ୧୨୦ ବାଟାଲିୟନର ଇନଫାଣ୍ଟାରୀ ମୁଖ୍ୟ କର୍ଣ୍ଣେଲ ଶଶି କହିଥିଲେ, “କାରଗିଲ ବିଜୟ ସାରା ଭାରତ ପାଇଁ ଏକ ସ୍ମରଣୀୟ ଦିନ, କାରଣ ସେଦିନ ଭାରତୀୟ ସେନାର ପରାକ୍ରମ ସାରା ବିଶ୍ଵ ଦେଖିଥିଲା। ଏହି ଦିବସକୁ ସାରା ବିଶ୍ଵ ଆଜି କାରଗିଲ ବିଜୟ ଦିବସ ରୂପେ ପାଳନ କରୁଛି।“

ଏହି ବିଜୟ ଦିବସ ପାଳନ ସହ ଭାରତ-ପାକିସ୍ତାନ କାରଗିଲ ଯୁଦ୍ଧରେ ସହିଦ ବୀର ସୈନିକଙ୍କ ପତ୍ନୀମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ସ୍ୱାମୀ ଦେଶପାଇଁ ସହିଦ ହେବା ବଡ ଗର୍ବର କଥା ଏବଂ ବର୍ତ୍ତମାନର ଯୁବପିଢ଼ି ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ସେନାରେ ସାମିଲ ହେବା ନିହାତି ଆବଶ୍ୟକ ବୋଲି କହିଥିଲେ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପତ୍ନୀ।

Comment