ଓଡ଼ିଶାଲାଇଭ୍ ବ୍ୟୁରୋ

୨୦ ବର୍ଷ ତଳେ ଏକ ଛାତି ଥରା ଯୁଦ୍ଧ ଦେଖିଥିଲା ଭାରତ। କାରଗିଲ୍‌ର ଉଚ୍ଚ ପାହାଡ଼ରେ ମୁହାଁମୁହିଁ ହୋଇଥିଲେ ଭାରତୀୟ ସେନା ଏବଂ ଅନୁପ୍ରବେଶକାରୀ। ଗୁଳି ଗୋଳା ଶବ୍ଦରେ ଗର୍ଜି ଉଠିଥିଲା କାରଗିଲ୍‌। କେତେ ଭାରତୀୟ ଯବାନ କାର୍‌ଗିଲରେ ସହିଦ ହୋଇଥିବା ବେଳେ ଆଉ କିଛି ଯବାନ ଆହତ ହୋଇଥିଲେ। ୨୦ ବର୍ଷ ପରେ କାରଗିଲ ବିଜୟ ଦିବସ ଅବସରରେ କାରଗିଲ ଯୁଦ୍ଧର ସ୍ମୃତି ପୁଣି ତାଜା ହୋଇଛି।

କାରଗିଲ୍‌ରେ କେମିତି ହୋଇଥିଲା ଯୁଦ୍ଧ ଏବଂ କ’ଣ ଥିଲା ଏହି ଯୁଦ୍ଧ ପଛର କାହାଣୀ ତାକୁ ନେଇ କାରଗିଲ ବିଜୟ ଦିବସ ଅବସରରେ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ଉପସ୍ଥାପନା।

କାରଗିଲ୍ ଯୁଦ୍ଧର ମୂକସାକ୍ଷୀ ଗରକୌନ ଗାଁ

ଭାରତ-ପାକିସ୍ତାନ ସୀମାର ଏକ ଛୋଟିଆ ଗାଁ ହେଉଛି ଗରକୌନ। ଏହି ଗାଁରେ ରହୁଥିଲେ ପ୍ରାୟ ୬୦୦ରୁ ୭୦୦ ଲୋକ। ଏଠାକାର ବାସିନ୍ଦାଙ୍କର ମୁଖ୍ୟ ଜୀବିକା ହେଉଛି କୃଷି ଏବଂ ଚମରୀ ଗାଈ ପାଳନ। ଚମରୀ ଗାଈ ପାଳନ କରି ଏଠାକାର ଅଧିକାଂଶ ଲୋକ ଗୁଜୁରାଣ ମେଣ୍ଟାଇଥାନ୍ତି। ଗାଁ ନିକଟରେ ଥିବା ପାହାଡ଼ ପାଦ ଦେଶରେ ଚମରୀ ଗାଈ ବୁଲିଥାନ୍ତି।

୧୯୯୯ ମସିହା ମେ’ ୨ ତାରିଖ। ଏହି ଦିନ ଗରକୌନ ଗାଁର ତାସି ନାମକ ଜଣେ ଯୁବକ ଚମରୀ ଗାଈ ନେଇ ପାହଡ଼ ନିକଟକୁ ଯାଇଥିଲେ ଚରାଇବାକୁ। ହେଲେ ଗୋଟେ ଚମରୀ ଗାଈ ତାଙ୍କର ସେହିଦିନ ହଜି ଯାଇଥିଲା। ଆଖ ପାଖ ଅଞ୍ଚରେ ତାସି ତାଙ୍କ ଚମରୀ ଗାଈକୁ ଖୋଜିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ।

ଗାଈଟି କାଳେ ପାହାଡ଼ ଉପରକୁ ଚାଲି ଯାଇଥିବ ସେନେଇ ତାସି ଗାଈକୁ ଖୋଜିବା ପାଇଁ ପାହାଡ଼ ଉପରକୁ ଚଢ଼ିଲେ। ଗାଈ ଖୋଜିବା ପାଇଁ ସାଙ୍ଗରେ ବାଇନାକୁଲାର ନେଇଥିଲେ ତାସି। ପାହାଡ଼ ପାଖକୁ ଯାଇ ବାଇନାକୁଲରରେ ଗାଈକୁ ଠାବ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ତାସିଙ୍କ ବାଇନାକୁଲର ଗାଈକୁ ଠାବ କରିବା ବଦଳରେ ଆଉ କିଛି ଦେଖିଥିଲା। କିଛି ଅଜଣା ଲୋକ ମୁହଁରେ କପଡ଼ା ଗୁଡ଼ାଇ ବନ୍ଧୁକ ଧରି ପାହାଡ଼ ଉପରେ ପଥର ହଟାଇ ରହିଥିବା ଦେଖିଥିଲେ। ଏହା ଦେଖି ତାସିଙ୍କ ମନରେ ଭୟ ସୃଷ୍ଟି ହେଲା ଏବଂ ସନ୍ଦେହ ମଧ୍ୟ।

ସେ ଏକା ନିଶ୍ୱାସରେ ପାହାଡ଼ରୁ ଧାଇଁଥିଲେ ଭାରତୀୟ ସେନା ରହୁଥିବା କ୍ୟାମ୍ପ ନିକଟକୁ। ତାସି ପାହାଡ଼ ଉପରେ ଯାହା ଦେଖିଲେ ସେକଥା ସେ ଜଣେ ଭାରତୀୟ ସୈନିକଙ୍କୁ କହିଥିଲେ। କିନ୍ତୁ ସୈନିକ ତାଙ୍କ କଥାକୁ ସହଜରେ ବିଶ୍ୱାସ କରି ନଥିଲେ। ଶେଷରେ ତାସି ତାଙ୍କ ବାପା, ମା’ଙ୍କ ନିୟମ ପକାଇବା ପରେ ସୈନିକ ଜଣକ ବିଶ୍ୱାସ କରିଥିଲେ।

ଦିଲ୍ଲୀରେ ପହଞ୍ଚିଲା କାରଗିଲ ଖବର

୧୯୯୯ ମେ’ ୬ ତାରିଖ। କାରଗିଲ ଖବର ପହଞ୍ଚିଲା ଦିଲ୍ଲୀରେ। ସେତେବେଳେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଥିଲେ ଜର୍ଜ ଫର୍ଣ୍ଣାଣ୍ଡିଜ୍। ପ୍ରତିରକ୍ଷା ମନ୍ତ୍ରାଳୟ କାରଗିଲକୁ ନେଇ ଚିନ୍ତାରେ ପଡ଼ିଥିଲେ। କାରଗିଲ ସୀମାରେ କିଏ ଏବଂ କାହିଁକି ଅନୁପ୍ରବେଶ କଲା ତାକୁ ନେଇ ଛାନଭିନ ଆରମ୍ଭ କଲା ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ। ପାକିସ୍ତାନୀ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଜାଣିବାକୁ ପାଇଥିଲା। ପରେ ଆରମ୍ଭ ହୋଇଥିଲା ମିଶନ କାରଗିଲ୍।

୧୯୯୯ ମେ’ ୮ରେ କାରଗିଲରେ କ’ଣ ଚାଲିଛି ତାହା ଜାଣିବା ପାଇଁ ଭାରତୀୟ ସେନାର ଆଉ କିଛି ଯବାନଙ୍କୁ ପଠାଯାଇଥିଲା କାର୍‌ଗିଲ୍। ହେଲେ ଶ୍ରତୁ କେଉଁ ସ୍ଥାନରେ ଏବଂ କେମିତି ଅବସ୍ଥାରେ ଅଛନ୍ତି ତାର ଖବର କିନ୍ତୁ ଭାରତ ପାଖରେ ନଥିଲା। ହେଲେ ଅତି ସତର୍କତାର ସହ ଭାରତୀୟ ସେନା କାରଗିଲରେ ପହଞ୍ଚି ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିଥିଲେ।

ଭାରତୀୟ ସେନା କ୍ୟାମ୍ପ ଉପରେ ଆଟାକ୍‌

ଭାରତୀୟ ସେନା କାରଗିଲ ସୀମାରେ ପହଞ୍ଚିବା ଖବର ଅନୁପ୍ରବେଶକାରୀ ଜାଣି ପାରିଥିଲେ। ଏନେଇ ଅନୁପ୍ରବେଶକାରୀମାନେ ଆହୁରି ସତର୍କ ହୋଇ ଯାଇଥିଲେ। ଭାରତୀୟ ସେନାଙ୍କ ଉପରେ କଡ଼ା ନଜର ରଖିଥିଲେ ଅନୁପ୍ରବେଶକାରୀ। ଏହାସହ ଅନୁପ୍ରବେଶକାରୀମାନେ କାରଗିଲରେ ଘଟୁଥିବା ଟିକିନିକି ଖବର ଇସଲାମବାଦରେ ଥିବା ଗଡ୍‌ଫାଦରମାନଙ୍କୁ ଜଣାଉଥିଲେ। ଭାରତୀୟ ସେନାର ସଜବାଜକୁ ଦେଖି ଗଡ୍‌ଫାଦରମାନେ ଅଧିକ ସଜାଗ ହୋଇ ଯାଇଥିଲେ। ଭାରତୀୟ ସେନାକୁ ପାନେ ଦେବା ପାଇଁ ଇସଲାମବାଦରୁ ଗୋଟି ଚାଳନା ଆରମ୍ଭ ହେଲା।

୧୯୯୯ ମେ’ ୯ ତାରିଖରେ ପାକିସ୍ତାନ ସୀମାରୁ ପ୍ରଥମ ଆକ୍ରମଣ ହୋଇଥିଲା। ପାକିସ୍ତାନ ସୀମାରୁ ଆସିଥିବା ଗୋଳାରେ କାରଗିଲ ଜିଲ୍ଲା ମୁଖ୍ୟଳୟରେ ଥିବା ଅସ୍ତ୍ରଶସ୍ତ୍ର ଭଣ୍ଡାର ଛାରଖାର ହୋଇଗଲା। ପ୍ରାୟ ୧୦୦ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଗଲା।

ପାକିସ୍ତାନକୁ ଜବାବ ଦେବା ପାଇଁ ଭାରତର ରଣନୀତି

ଅସ୍ତ୍ରଶସ୍ତ୍ର ଭଣ୍ଡାର ଜଳିଯିବା ପରେ ଭାରତ ଆଉ ଚୁପ୍ ହୋଇ ବସିଲାନି। ପାକିସ୍ତାନକୁ ଜବାବ ଦେବା ପାଇଁ ପ୍ରସ୍ତୁତ ହେଲା ରଣନୀତି। କାରଗିଲ୍ରେ ଏମିତି କାହିଁକି ହେଉଛି ଭାରତର ବୈଦେଶିକ ମନ୍ତ୍ରାଳୟ କିଛି ବୁଝିବା ଆଗରୁ ଭାରତୀୟ ସେନା ପାକିସ୍ତାନକୁ ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇଥିଲା।

ଦୋସ୍ତି ବୁଝିଲାନି ପାକିସ୍ତାନ

କାର୍‌ଗିଲ ସୀମା ଅଶାନ୍ତ ହେବାର ତିନି ମାସ ପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ବସ୍‌ରେ ଲାହୋର ଯାତ୍ରା କରିଥିଲେ। ବାଜପେୟୀଙ୍କୁ ପାକିସ୍ତାନ ଭବ୍ୟ ସ୍ୱାଗତ କରିଥିଲା। ପାକିସ୍ତାନୀ ସେନାର ତୋପ ବାଜପେୟୀଙ୍କୁ ସଲାମୀ ଦେଇଥିଲା।

ଭାରତ-ପାକିସ୍ତାନ ଭିତରେ ଥିବା ବିବାଦ ସମାଧାନ ପାଇଁ ବାଜପେୟୀ ପାକିସ୍ତାନକୁ ବନ୍ଧୁତାର ହାତ ବଢ଼ାଇଥିଲେ। ଆଲୋଚନା ମାଧ୍ୟମରେ ବିବାଦ ସମାଧାନ କରିବାକୁ ଉଭୟ ଦେଣ ମଧ୍ୟରେ ଲାହୋର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଉଭୟ ଦେଶ ଏଥିରେ ସହମତି ପ୍ରକାଶ କରିଥିଲେ। କିନ୍ତୁ ବାଜପେୟୀଙ୍କ ବସ୍‌ ଯାତ୍ରାର ତିନି ମାସ ପରେ ଚିତ୍ର ଓଲଟିଗଲା।

ଭାରତ ବଢ଼ାଇଥିବା ବନ୍ଧୁତାର ହାତକୁ ପାକିସ୍ତାନ ଭଲ ଜବାବ ଦେଲା। ପାକିସ୍ତାନ ସେନାର ଯେଉଁ ତୋପ ବାଜପେୟୀଙ୍କୁ ଲାହୋରରେ ସ୍ୱାଗତ କରିଥିଲା ସେହି ତୋପ କାରଗିଲରେ ଭାରତୀୟ ଯବାନଙ୍କୁ ଲହୁଲୁହାଣ କରିଦେଲା।

ପାକିସ୍ତାନ ସେନାର ଆଉ ଏକ ବର୍ବରତା

ଭାରତୀୟ ସୀମାରେ ଅନୁପ୍ରବେଶକାରୀଙ୍କୁ ଜବାବ ଦେବା ପାଇଁ ଭାରତ ଆଉ ୨ ପ୍ଲାଟୁନ ସେନା କାରଗିଲ ପଠାଇଥିଲା। ଏହାର ନେତୃତ୍ୱ ନେଇଥିଲେ କ୍ୟାପଟେନ ସୌରଭ କାଳିଆ। କାରଗିଲ ଆର୍ମି କ୍ୟାମ୍ପରେ ପହଞ୍ଚି ଅନୁପ୍ରବେଶକାରୀଙ୍କୁ କେମିତି ଜବାବ ଦିଆଯିବ ସେନେଇ ରଣନୀତି ପ୍ରସ୍ତୁତ କରିଥିଲେ ଏହି କ୍ୟାପଟେନ। ରାତିରେ କ୍ୟାମ୍ପରେ ବିଶ୍ରାମ ନେଉଥିବା ବେଳେ ହଠାତ ପାକିସ୍ତାନ ପକ୍ଷରୁ ଏହି ଦୁଇ ଯବାନଙ୍କର ଅପହରଣ କରାଯାଇଥିବା ଅଭିଯୋଗ ଆସିଲା। ଅପହରଣ କରି ଏହି ଦୁଇ କ୍ୟାପେଟନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ଖାଲି ସେତିକି ନୁହେଁ, କାରଗିଲ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ନୂଆ ବିଲ୍ଡିଂକୁ ଟାର୍ଗେଟ କରିଥିଲା ପାକିସ୍ତାନ। ସୀମା ଆରପଟୁ ଗୁଳି ଆସିଲା ଏବଂ କାର୍‌ଗିଲ୍ ପ୍ରଶାସନର ନୂଆ ବିଲ୍ଡିଂକୁ ଧୂଳିସାତ୍‌ କରିଦେଲା। ଭାରତ ଏହାର ଜବାବ ଦେଲା। ପାକିସ୍ତାନ ସୀମାକୁ ଗୁଳି ଓ ତୋପ ମାଡ଼ କଲା ଭାରତୀୟ ସେନା।

ଅନୁପ୍ରବେଶକାରୀ କେଉଁଠି କ୍ୟାମ୍ପ କରିଛନ୍ତି ତାକୁ ଠାବ କରିବା ପାଇଁ ଭାରତ ପକ୍ଷରୁ ଉଦ୍ୟମ କରାଗଲା। ପାଟ୍ରୋଲିଂ ଜୋରଦାର କରାଗଲା। ମସ୍କୋରୁ ବାଟାଲିକ୍ ଭିତରେ ୧୨୨ କିଲୋମିଟର ମଧ୍ୟରେ ଅନୁପ୍ରବେଶକାରୀମାନେ ବଙ୍କର ତିଆରି କରିଥିବା ପତ୍ତା ମିଳିଲା।

ଦ୍ରାସ୍, କ୍ରାସକର, ବାଟାଲିକ୍, ମସ୍କୋଠାରୁ ୧୦ କିଲୋମିଟର ଭିତରକୁ ପଶି ଆସିଥିଲେ ଅନୁପ୍ରବେଶକାରୀ। କାରଗିଲ୍‌ର ଉତ୍ତର ଦିଗ ପଟେ ଥିବା ଉଚ୍ଚ ପାହାଡ଼ ଉପରେ ମଧ୍ୟ ଅନୁପ୍ରବେଶକାରୀମାନେ ଆଡ୍ଡା ଜମାଇଥିଲେ।

ମେ’ ୨୧ରେ ବଡ଼ ପଦକ୍ଷେପ ନେଲା ଭାରତ

୧୯୯୯ ମେ’ ୨୧ରେ ପଡ଼ ପଦକ୍ଷେପ ନେଇଥିଲା ଭାରତ। ସ୍ଥଳସେନା ମୁଖ୍ୟ ବି ପି ମଲ୍ଲିକ କାରଗିଲର ତାଜା ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହାସହ ୨୩ ତାରିଖରେ ସେ କାରଗିଲ ପରିଦର୍ଶନରେ ଯାଇଥିଲେ। ସ୍ଥିତି ଯାଞ୍ଚ କରିବା ପରେ ସ୍ଥଳ ସେନା ମୁଖ୍ୟ ବାୟୁସେନା ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଏୟାରଷ୍ଟ୍ରାଇକ କରିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ବାଜପେୟୀଙ୍କ ନିର୍ଣ୍ଣାୟକ ଭୂମିକା, ବାୟୁସେନାର ଏୟାରଷ୍ଟ୍ରାଇକ

୧୯୯୯ ମେ’ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ନୂଆଦିଲ୍ଲୀରେ କାର୍‌ଗିଲ୍‌ର ତାଜା ସ୍ଥିତିକୁ ନେଇ ବାଜପେୟୀ ଗଣମାଧ୍ୟମରେ କହୁଥିବା ବେଳେ ଏପଟେ ବାୟୁସେନା ଏୟାରଷ୍ଟ୍ରାଇକ ପାଇଁ ପ୍ରସ୍ତୁତି ଚଳାଇଥିଲା। ଶ୍ରୀନଗର ଏବଂ ପଠାନକୋଟ୍‌ ଏୟାରବେସ୍‌ରୁ ଏୟାରଷ୍ଟ୍ରାଇକ ପାଇଁ ମିଶନ ଆରମ୍ଭ ହୋଇଥିଲା।

୨୬ ତାରିଖରେ ଶ୍ରୀନଗର ଏବଂ ପଠାନକୋଟ୍ ଏୟାରବେସ୍‌ରୁ ମିଗ୍‌-୨୧, ମିଗ୍‌-୨୭ ଏବଂ ଏମ୍‌-୧୭ ଦ୍ରାସ ସେକ୍ଟର ଅଭିମୁଖେ ଉଡ଼ାଣ ଭରିଥିଲା। ଦ୍ରାସ ସେକ୍ଟରରେ ଲୁଚିଥିବା ଅନୁପ୍ରବେଶକାରୀଙ୍କ ଉପରେ ସିଧା ଆଟାକ୍ କରିଥିଲା ଭାରତୀୟ ବାୟୁସେନାର ଲଢୁଆ ବିମାନ।

ଗୋଟିଏପଟେ ଭାରତୀୟ ବାୟୁସେନା ଅନୁପ୍ରବେଶକାରୀଙ୍କ ଉପରେ ଆଟାକ୍ କରି ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ସ୍ଥଳ ସେନା ମଧ୍ୟ ପାକିସ୍ତାନ ସୀମା ପଟକୁ ଗୁଳି ଗୋଳା ଛାଡୁଥିଲା। ଏହି ଆକ୍ରମଣରୁ ଭାରତ ମିଶନ ‘ବିଜୟ’ର ଶୁଭାରମ୍ଭ କରିଥିଲା।

ଭାରତୀୟ ବାୟୁସେନା ପାଇଲଟ ବନ୍ଦୀ

ଭାରତୀୟ ବାୟୁସେନା ମେ’ ୨୭ରେ ଆଉ ଏଢୁଆ ପଦକ୍ଷେପ ନେଇଥିଲା। ବାୟୁସେନାର ଲେଫ୍ଟନାଣ୍ଟ ଜେନେରାଲ ନଚିକେତା ମିଗ୍‌-୨୭ ଉଡ଼ାଣ କରିଥିଲେ। ହେଲେ ପାହାଡ଼ିଆ ଅଞ୍ଚଳରେ ପାକିସ୍ତାନ ସେନା ନଚିକେତାଙ୍କ ବିମାନକୁ ଗୁଳି ଚଳାଇଥିଲେ। ଫଳରେ ନିୟନ୍ତ୍ରଣ ହରାଇ ବିମାନ ନଷ୍ଟ ହୋଇଥିଲା ଏବଂ ନଚିକେତା ପାରାଚ୍ୟୁଟ ସାହାଯ୍ୟରେ ପାକିସ୍ତାନ ସୀମା ପଟକୁ ଓହ୍ଲାଇ ପଡ଼ିଥିଲେ। ନଚିକେତାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିଥିଲେ। ହେଲେ ଭାରତୀୟ ଶିବିରକୁ ଏନେଇ କୌଣସି ଖବର ନଥିଲା।

ନଚିକେତାଙ୍କ ସନ୍ଧାନ ପାଇଁ ମିଗ୍-୨୧ ବିମାନ ନେଇ ବାହାରିଥିଲେ ବାୟୁସେନାର ଅନ୍ୟତମ ଲିଡର ଏ ଆହୁଜା। ପାକିସ୍ତାନର ଷ୍ଟ୍ରିଙ୍ଗର ମିସାଇଲ ମିଗ୍-୨୧ ବିମାନକୁ ନଷ୍ଟ କରି ଦେଇଥିଲା। ଆହୁଜା ପାରାଚ୍ୟୁଟ ସାହାଯ୍ୟରେ ତଳକୁ ଓହ୍ଲାଉଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା।

ଏହାକୁ ସହଜରେ ଗ୍ରହଣ କରି ନଥିଲା ଭାରତା ମେ’ ୨୭ ସନ୍ଧ୍ୟାରେ ରହିଁ ଭାରତୀୟ ବାୟୁସେନାର ଏକାଧିକ ଲଢୁଆ ବିମାନ ଟାଇଗର ହିଲ୍ ଅଭିମୁଖେ ଯାଇ ଜୋରଦାର ବୋମା ଫିଙ୍ଗିଥିଲେ।

୨୯ ମେ’ ସୁଦ୍ଧା ଭାରତୀୟ ଯବାନମାନେ ବଟାଲିକ୍, ଦ୍ରାସ ଏବଂ ମସ୍କୋ ସେକ୍ଟରର କିଛି ସ୍ଥାନରୁ ଅନୁପ୍ରବେଶକାରୀଙ୍କୁ ତଡ଼ି ତ୍ରିରଙ୍ଗା ଉଡ଼ାଇଥିଲେ।

କାର୍‌ଗିଲ୍‌ ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

ଭାରତୀୟ ସୀମାରେ ପ୍ରବେଶ କରିଥିବା ଅନୁପ୍ରବେଶକାରୀଙ୍କୁ ତଡ଼ିବା ଭାରତୀୟ ସେନାଙ୍କ ଚାଲେଞ୍ଜ ହୋଇଯାଇଥିଲା। ଦିନ ଯେତିକି ବଢ଼ୁଥିଲା ଭାରତୀୟ ସେନାଙ୍କ ଭିତରେ ଉତ୍ସାହ ସେତିକି ବଢୁଥିଲା। ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ଅଭିଯାନ ଆରମ୍ଭ ହେଲା। କାରଗିଲରେ ଥିବା ପାହାଡ଼ରେ ଅନୁପ୍ରବେଶକାରୀମାନେ ବଙ୍କର ତିଆରି କରି ପାହାଡ଼ ତଳେ ଥିବା ଭାରାତୀୟ ଯବାନଙ୍କ ଉପରେ ଆକ୍ରମଣ କରୁଥିଲେ। ପାହାଡ଼ ଚଢ଼ିବା ଭାରତୀୟ ସେନାଙ୍କ ପାଇଁ ଚାଲେଞ୍ଜ ଥିଲା।

ହେଲେ ଏହି ଚାଲେଞ୍ଜକୁ ଗ୍ରହଣ କରି ଭାରତୀୟ ଯବାନମାନେ ବିଭିନ୍ନ ଟିମ୍‌ରେ ଭାଗ ଭାଗ ହୋଇ ପାହାଡ଼ ଉପରୁ ଚଢ଼ିଥିଲେ। ଅନୁପ୍ରବେଶକାରୀଙ୍କ ଗୁଳିରେ କେତେବେଳେ ଭାରତୀୟ ଯବାନ ଟଳି ପଡୁଥିଲେ ତ ପୁଣି କେତେବେଳେ ଭାରତୀୟ ସେନାଙ୍କ ଗୁଳିରେ ଅନୁପ୍ରବେଶକାରୀ ଟଳୁଥିଲେ। ଗୋଟିଏପଟେ ସ୍ଥଳସେନା ପକ୍ଷରୁ ଜୋରଦାର ଆଟାକ୍ ହେଉଥିବା ବେଳେ ଅନ୍ୟପଟେ ବାୟୁସେନା ମଧ୍ୟ ଜୋରଦାର ହମଲା କରିଥିଲା। ପ୍ରାୟ ୬୦ ଦିନର ଯୁଦ୍ଧ ପରେ ଜୁଲାଇ ୨୬ରେ କାରଗିଲର ଉଚ୍ଚା ପାହାଡ଼ରେ ଭାରତୀୟ ସେନା ତ୍ରିରଙ୍ଗା ଉଡ଼ାଇଥିଲେ।

କାରଗିଲ ଯୁଦ୍ଧରେ ୫୨୭ ଯବାନ ସହିଦ ହୋଇଥିବା ବେଳେ ୧୩୬୩ ଯବାନ ଆହତ ହୋଇଥିଲେ। ପାକିସ୍ତାନର ପ୍ରାୟ ୩ ହଜାର ସୈନିକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

କାହିଁକି କାର୍‌ଗିଲ୍ ଯୁଦ୍ଧ?

୧୯୯୯ ପୂର୍ବରୁ ୧୯୭୧ରେ ହୋଇଥିଲା ଭାରତ-ପାକିସ୍ତାନ ଯୁଦ୍ଧ। ଏହି ଯୁଦ୍ଧରେ ପାକିସ୍ତାନକୁ ମାତ୍ ଦେଇଥିଲା ଭାରତ। ପାକିସ୍ତାନ ବିପକ୍ଷରେ ବଡ଼ ବିଜୟ ହାସଲ କରିଥିଲା ଭାରତ। ୧୯୭୧ ଯୁଦ୍ଧର ପ୍ରତିଶୋଧ ନେବାକୁ ପାକିସ୍ତାନ ସୁଯୋଗ ଖୋଜୁଥିଲା। ୧୯୯୯ରେ ଆତଙ୍କବାଦୀମାନେ କାରଗିଲ ସୀମାରେ ଅନୁପ୍ରବେଶ କରିଥିଲେ ଏବଂ ଏହା ପଛରେ ପାକ୍ ସେନାର ହାତ ରହିଥିବା କୁହାଗଲା। ପାକିସ୍ତାନ ସେନା ଆତଙ୍କବାଦୀଙ୍କ ପଛରେ ରହି ଭାରତକୁ ବରବାଦ କରିବାକୁ ଗୋଟି ଚାଳନା କରୁଥିବା ଅଭିଯୋଗ ହୋଇଥିଲା। କାର୍‌ଗିଲ୍ ଏବଂ ଦ୍ରାସ ସେକ୍ଟରକୁ କବ୍‌ଜା କରିବାକୁ ଚାହୁଁଥିଲା ପାକିସ୍ତାନ। ଏହାସହ ସିମ୍‌ଲା ଚୁକ୍ତିକୁ ଭାଙ୍ଗି କାଶ୍ମୀରକୁ ଅନ୍ତର୍ଜାତୀୟ ମଞ୍ଚକୁ ଆଉ ଥରେ ଆଣିବାକୁ ଚାହୁଁଥିଲା ପାକିସ୍ତାନ। କାଶ୍ମୀରକୁ କବ୍‌ଜା କରିବା ପାଇଁ ଉଦ୍ୟମ କରିଥିଲା ପାକ୍‌।

Salam Sahid

ଅନୁପ୍ରବେଶକାରୀଙ୍କ ଟାର୍ଗେଟରେ ଥିଲା ଲେହ-ଶ୍ରୀନଗର ରାଜପଥ। ଏହି ରାସ୍ତା ଦେଇ କାରଗିଲ ଓ କାଶ୍ମୀର କ୍ୟାମ୍ପକୁ ଆସୁଥିଲା ଅସ୍ତ୍ରଶସ୍ତ୍ର। ଏଣୁ ଏହି ରାଜପଥକୁ ଚୁରମାର୍ କରିବା ପାଇଁ ଅନୁପ୍ରବେଶକାରୀ ଯୋଜନା କରିଥିଲେ। ଏହାସହ କାରଗିଲକୁ ଯାତାୟତ ବି ଠପ୍ ହୋଇ ଯାଇଥାନ୍ତା। କାରଗିଲ ଏବଂ ଦ୍ରାସ ସେକ୍ଟରକୁ କବ୍‌ଜା କରି ଏଠାରେ ନିୟନ୍ତ୍ରଣ ରେଖା କରିବାକୁ ଯୋଜନା କରିଥିଲା ପାକିସ୍ତାନ।

Comment