ଓଡ଼ିଶାଲାଇଭ୍ ବ୍ୟୁରୋ

ବାବା ସାରଥିଙ୍କ ବାରିମୂଳ ଆଶ୍ରମରେ ଲାଗିଲା ଇଡି ନୋଟିସ୍‌।

ବାବା ସାରଥିଙ୍କ ବାରିମୂଳ ଆଶ୍ରମ ଜମି କିଣାବିକା ହୋଇପାରିବନି। ଏହାସହ ଆଶ୍ରମ ଆଖପାଖରେ ଥିବା ୨୬ଟି ପ୍ଲଟ ମଧ୍ୟ କିଣାବିକା ହୋଇପାରିବ ନାହିଁ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବାରିମୂଳ ଆଶ୍ରମରେ ନୋଟିସ୍ ଝୁଲାଇଛି। ଏସବୁ ଜମିରେ ଅନଧିକାର ପ୍ରବେଶ ଉପରେ ରୋକ ଲଗାଇଛି ଇଡି।

ଇଡିର ଉପ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ସାରଥି ଆଶ୍ରମକୁ ଆସି ଏହି ନୋଟିସ୍ ଜାରି କରିଛନ୍ତି।

୩ ବର୍ଷ ୩୫୦ ଦିନ ଜେଲରେ ରହିବା ପରେ ସାରଥି ଜେଲରୁ ମୁକୁଳିଛନ୍ତି। ସାରଥିଙ୍କୁ ପୂଜାର୍ଚ୍ଚନା କରିବା ସହ ସତ୍‌ସଙ୍ଗ କରିବାକୁ ଭକ୍ତମାନେ ପୁଣି ତତ୍ପର ହୋଇ ଉଠିଲେଣି। କାଳେ ପୁଣି ବାରିମୂଳ ଆଶ୍ରମରେ ଭକ୍ତମାନଙ୍କ ଗହଳ ଚହଳ ଲାଗିବ ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ତତ୍ପର ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ଠକେଇ ଏବଂ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ସାରଥି ଗିରଫ ହୋଇଥିଲେ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସାରଥି ମାମଲାର ତଦନ୍ତ କରୁଛି। ଏତେ ସବୁ ସମ୍ପତି ଠୁଳ କରିବାରେ ସାରଥି କିପରି ସମର୍ଥ ହେଲା ତାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରଭୁକ୍ତ ରହିଛି। ବାରିମୂଳ ଆଶ୍ରମ ଇଡି ନିୟନ୍ତ୍ରଣରେ ଥିବାରୁ ଚାରି ବର୍ଷ ପୋଲିସ କର୍ମଚାରୀ ଏଠାରେ ପହରା ଦେଉଛନ୍ତି।

ତଦନ୍ତ ଶେଷ ନହେବା ଯାଏଁ ସାରଥି ଆଶ୍ରମ ସମେତ ପାଖ ଅଞ୍ଚଳର ୨୬ଟି ପ୍ଲଟ ବିକ୍ରି ହୋଇପାରିବ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।

Comment