ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମାଓବାଦୀମାନେ ଆଜିଠୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୟପୁର-ମାଲକାନଗିରି ମଧ୍ୟରେ ବସ୍ ଚଳାଚଳ ଠପ୍ ହୋଇଛି।

ଅବିଭକ୍ତ କୋରପୁଟ ଜିଲ୍ଲାରେ ୩୪ ରୁ ଅଧିକ ସରକାରୀ ବସ ଚଳାଚଳକୁ  ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି। ଜୟପୁର ଜୋନର  ୧୭ଟି ରୁଟରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ମାଲକାନଗିରି ରୁଟରେ ୨୦ଟି ସରକାରୀ ବସ୍ ଚଳାଚଳ ବନ୍ଦ ରଖାଯାଇଥିବା ବେଳେ ପାରଳାଖେମୁଣ୍ଡି-ଫୁଲବାଣି ରୁଟରେ ୪ଟି ବସ୍ ବନ୍ଦ କରାଯାଇଛି। ଆନ୍ଧ୍ରର ଆରକୁ,    ଗୁପ୍ତେଶ୍ୱର ରୁଟ,  କୋଟିଆ ରୁଟ୍, ପାବତିପୁରମ ରୁଟ୍, କାଶିପୁର, ଭଦ୍ରାଚଳମ, ଗୁଣୁପୁର ରୁଟରେ ଓ  ଭାୟା ରାୟଗଡା ଦେଇ ଯାଉଥିବା ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ୱରକୁ ଯାଉଥିବା ବସକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି।  ଏହି ବସ୍‌ ସେବା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ଡିଟିଏମ ଚିତ୍ତ ରଞ୍ଜନ ସାହୁ ପ୍ରକାଶ କରିଛନ୍ତି।

ଜିଲ୍ଲା ପୋଲିସ ତରଫରୁ ସୀମାନ୍ତ ଅଞ୍ଚଳକୁ ସିଲ୍ କରିବା ସହ କୋମ୍ବିଂ ଅପରେସନ୍ ଜୋରଦାର କରାଯାଇ  ଜିଲ୍ଲାର ସମସ୍ତ ଥାନାକୁ  ହାଇଆଲର୍ଟ ଜାରି କରାଯାଇଛି।  ମାଓବାଦୀଙ୍କ ସହିଦ ସପ୍ତାହ ନେଇ  ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ବୈପାରିଗୁଡା, ପଟାଙ୍ଗି ଅଞ୍ଚଳରେ ସୁରକ୍ଷା ବାହନି ତରଫରୁ କଡ଼ା ନଜର ରଖାଯାଇଛି।

Comment