ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ଓ ମିନେରାଲ ଏକ୍ସପ୍ଲୋରେସନ କମ୍ପାନି ଲିମିଟେଡର (ଏମିସିଏଲ) ମିଳିତ ସହଯୋଗରେ ଏକ ଯୌଥ ଉଦ୍ୟୋଗ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ) ପ୍ରତିଷ୍ଠା କରାଯିବ।

କାବିଲ ପ୍ରତିଷ୍ଠା କରିବା ପାଇଁ ଏହି ତିନି କମ୍ପାନି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ନାଲ୍‌କୋ  ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ, ଏଚ୍‌ସିଏଲର ଅଧ୍ୟକ୍ଷ ସନ୍ତୋଷ ଶର୍ମା ଏବଂ ଏମ୍‌ଇସିଏଲର ଅଧ୍ୟକ୍ଷ ଡକ୍ଟର ରଞ୍ଜିତ ରଥଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା।

କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କାବିଲ ଗଠନ କରାଯିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଘରୋଇ ବଜାରକୁ ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଖଣିଜ ଦ୍ରବ୍ୟର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା। କାବିଲ ଦେଶର ଖଣିଜ ନିରାପତା ସୁନିଶ୍ଚିତ କରିବା ସହିତ ରପ୍ତାନି ଉପରେ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟକୁ ବାସ୍ତବ ରୂପ ଦେବ।

ଭାରତରେ ମୂଲ୍ୟବାନ ଖଣିଜ ଦ୍ରବ୍ୟର ଆବଶ୍ୟକତା ପୂରଣ କରିବା ଏବଂ ବାଣିଜ୍ୟିକ ଉପଯୋଗ ଲାଗି ବିଦେଶରେ ଏସବୁ ଖଣିଜ ଦ୍ରବ୍ୟ ଠାବ କରିବା, ଅଧିଗ୍ରହଣ, ଉତ୍ତୋଳନ, ବିକାଶ, ଖନନ ଓ ପ୍ରକ୍ରିୟାକରଣ କରିବା ଲାଗି କାବିଲ କାର୍ଯ୍ୟ କରିବ।

ଖଣିଜ ସମ୍ପଦ ଉତ୍ସ ଥିବା ଦେଶରେ ବାଣିଜ୍ୟିକ ସୁଯୋଗ, ଜିଟୁଜି ସହଭାଗିତା କିମ୍ବା ଖଣିଜ ଦ୍ରବ୍ୟର ଉତ୍ତୋଳନ ଓ ଖଣିଜ ସମ୍ପତିରେ ରଣନୈତିକ ଅଧିଗ୍ରହଣ ତଥା ନିବେଶ ଜରିଆରେ ଏସବୁ ଖଣିଜ ଦ୍ରବ୍ୟ ଓ ଧାତୁ ସଂଗ୍ରହ କରାଯିବ। ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ଖଣି ସମୃଦ୍ଧ ରାଷ୍ଟ୍ର ସହ ସହଭାଗିତା ସ୍ଥାପନ କରିବାରେ ଏହି ନୂଆ କମ୍ପାନି ସହାୟକ ହେବ।

Comment