ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜୁନିଅର ଓ ସିନିଅର ବର୍ଗରେ କୁଇଜ୍ କାର୍ଯ୍ୟକ୍ରମ
  • ଲଢ଼ିବେ ଜୁନିଅରରେ ୪୩, ସିନିଅରରେ ୪୬ ଟିମ୍‌
  • ଗ୍ରାଣ୍ଡଫିନାଲେ ସମସ୍ତ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ

ଆସନ୍ତକାଲିଠୁ ଆରମ୍ଭ ହେଉଛି ‘ମେଟଲ୍‌ ମିଟ୍‌’ ପାଇଁ ଲଢ଼େଇ। ଓଡ଼ିଶାରୁ ପ୍ରକାଶିତ ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଏହି ବାର୍ଷିକ କୁଇଜ୍ କାର୍ଯ୍ୟକ୍ରମରେ ଶନିବାର ପ୍ରିଲିମ୍ସ ପ୍ରତିଯୋଗିତା ହେବାକୁ ଥିବା ବେଳେ ରବିବାର ଦିନ ହେବ ଗ୍ରାଣ୍ଡ ଫିନାଲେ।

ଚଳିତ ବର୍ଷ ସିନିଅର ବର୍ଗରେ ୪୬ଟି ଟିମ୍‌ ଭାଗ ନେଉଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ, ପେସାଦାର ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ପ୍ରମୁଖ କଲେଜର ଛାତ୍ରଛାତ୍ରୀ।

ସେହିପରି ଜୁନିଅର ବର୍ଗରେ ୪୩ଟି ଟିମ୍‌ ଏଥର ଲଢ଼େଇରେ ସାମିଲ ହେବେ। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବାଲେଶ୍ୱର ଓ ରାଉରକେଲା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ ପ୍ରତିଷ୍ଠିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ।

ଅଗଷ୍ଟ ୪ ତାରିଖରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେର ବିଭିନ୍ନ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯିବ। ଅପରାହ୍‌ଣ ୨ଟାରୁ ଜୁନିଅର ବର୍ଗ ଏବଂ ସନ୍ଧ୍ୟା ୬ଟାରୁ ସିନିଅର ବର୍ଗର ଚୂଡ଼ାନ୍ତ ପ୍ରତିଯୋଗିତା ପ୍ରସାରିତ ହେବ। ସେହିପରି ରାତି ୮ଟାରେ ହେବାକୁ ଥିବା ପୁରସ୍କାର ପ୍ରଦାନ ସମାରୋହର ମଧ୍ୟ ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

୨୦୧୬ ମସିହାରେ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି କୁଇଜ୍ କାର୍ଯ୍ୟକ୍ରମ ଏବେ ଓଡ଼ିଶା ତଥା ରାଜ୍ୟ ବାହାରେ ଏକ ନୂଆ ପରିଚୟ ହାସଲ କରିବାକୁ ଯାଉଛି। ‘ମେଟଲ୍ ମିଟ୍’ ୨୦୧୯ ସଂସ୍କରଣରେ ୩୫୦ରୁ ଅଧିକ କୁଇଜ୍ ପ୍ରତିଯୋଗୀ ଭାଗ ନେଉଛନ୍ତି।

ପ୍ରତି ଟିମ୍‌ରେ ୪ ଜଣ ପ୍ରତିଯୋଗୀ ଅଛନ୍ତି। ପ୍ରିଲିମ୍ସ ରାଉଣ୍ଡରେ ପ୍ରତି ବର୍ଗ ପାଇଁ ପାଇନାଲିଷ୍ଟ ବଛା ଯାଇଥାଏ। ଏହି କ୍ରମରେ ଚୂଡ଼ାନ୍ତ ପର୍ଯ୍ୟାୟ କୁଇଜ୍ ପ୍ରତିଯୋଗିତା ପାଇଁ ପ୍ରତ୍ୟେକ ବର୍ଗରେ ୮ଟି ଟିମ୍‌ ଭାଗ ନେଇଥାନ୍ତି। ସେମାନଙ୍କ ମଧ୍ୟରୁ ପ୍ରତି ବର୍ଗରେ ଶ୍ରେଷ୍ଠ ୩ଟି ଟିମ୍‌କୁ ଯଥାକ୍ରମେ ୧ ଲକ୍ଷ, ୫୦ ହଜାର ଓ ୨୫ ହଜାର ଟଙ୍କାର ନଗଦ ପୁରସ୍କାର ଦିଆଯାଇଥାଏ।

ଏହି କୁଇଜରେ ଜୁନିୟର୍ ବର୍ଗରେ ହାଇସ୍କୁଲ୍ ଏବଂ ଯୁକ୍ତ ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି। ସେହିପରି ଯୁକ୍ତ ୩ ବା ତା’ଠାରୁ ଉପର ଶ୍ରେଣୀର ଛାତ୍ରଛାତ୍ରୀ ସିନିୟର୍ ବର୍ଗରେ ଯୋଗ ଦେଇଥାନ୍ତି। ମେଟଲ୍ ମିଟ୍ କୁଇଜ୍ କାର୍ଯ୍ୟକ୍ରମରେ ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ, ମେଡିକାଲ୍ କଲେଜ୍, ଇଞ୍ଜିନିୟରିଂ କଲେଜ୍, ମ୍ୟାନେଜମେଣ୍ଟ କଲେଜ୍ ତଥା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇ ଆସୁଛନ୍ତି।

ସିନିୟର୍ ବର୍ଗରେ ଥିବା ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଅଛନ୍ତି ଆଇଆଇଟି ଭୁବନେଶ୍ୱର, ଏମ୍‌ସ ଭୁବନେଶ୍ୱର, ସିଇଟି, ସିଲିକନ୍ ଇନଷ୍ଟିଚ୍ୟୁଟ୍, କିଟ୍ ବିଶ୍ୱବିଦ୍ୟାଳୟ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓୟୁଏଟି, ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଏନଆଇଟି ରାଉରକେଲା, ବିର୍ଲା ଗ୍ଲୋବାଲ୍ ୟୁନଭର୍ସିଟି, ରେଭେନ୍ସା ବିଶ୍ୱବିଦ୍ୟାଳୟ ଇତ୍ୟାଦି।

ସେହିପରି ଜୁନିୟର୍ ବର୍ଗରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ଡିଏଭି ଚନ୍ଦ୍ରଶେଖରପୁର, ଡିଏଭି ୟୁନିଟ୍ -୮, ରୁଚିକା, ଓଡିଏମ୍ ପବ୍ଲିକ୍ ସ୍କୁଲ୍ ଆଦି ରହିଛନ୍ତି।

ଗତ ୩ ବର୍ଷ ଧରି ମେଟଲ୍ ମିଟ୍ କୁଇଜ୍‌କୁ ପରିଚାଳନା କରୁଥିଲେ କୁଇଜ୍ ମାଷ୍ଟର ଭେଙ୍କଟେଶ୍ ଯେ କି ଭେଙ୍କି ନାଁରେ ପରିଚିତ। ଚଳିତ ବର୍ଷ କୁଇଜ ମାଷ୍ଟର ଅଜୟ ପୁନିଆଙ୍କ ମୁକାବିଲା କରିବେ ଓଡ଼ିଶାର ଏହି ମେଧାବୀ ଛାତ୍ରଛାତ୍ରୀମାନେ। ଅଜୟ ଜଣେ ଜାତୀୟସ୍ତରର କୁଇଜ୍ ମାଷ୍ଟର। ତେଣୁ ସେ ଏଥର ମେଟଲ୍ ମିଟ୍‌ର ପ୍ରତିଯୋଗୀମାନଙ୍କୁ ଏକ କଡ଼ା ମୁକାବିଲା କରିବାର କ୍ଷେତ୍ର ପ୍ରସ୍ତୁତ କରିପାରିବେ ବୋଲି କହିଛନ୍ତି ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ଶତପଥୀ।

ଏହି ଅବସରରେ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମେଟଲ୍ ମିଟ୍‌ର ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି।

ଚଳିତ ବର୍ଷ ମେଟଲ୍ ମିଟ୍‌ର ପାର୍ଟନରମାନଙ୍କ ମଧ୍ୟରେ ରହିଛନ୍ତି ଟିମ୍ ଏବଂ ଏକ୍ସପୋଜ୍ ଆଡଭର୍ଟାଇଜିଂ। ସେହିପରି ରାଜ୍ୟର ଆଗଧାଡ଼ିର ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ଡିଜିଟାଲ୍ ମିଡିଆ ପାର୍ଟନର୍ ରହିଛି।

ଏହି କାର୍ଯ୍ୟକ୍ରମରେ କୁଇଜର ପ୍ରତିଯୋଗୀମାନଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଫିସିଆଲ୍ ଏବଂ ନିମନ୍ତ୍ରିତ ଅତିଥିମାନେ ଯୋଗଦେବେ।

ଏହି ଅବସରରେ ଓଡ଼ିଶାଲାଇଭ୍ ଟିମ୍‌ ପକ୍ଷରୁ ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।

Comment