ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରେ ପ୍ରସଙ୍ଗରେ କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ କଶ୍ମୀରରେ ଧାରା ୩୭୦କୁ ନେଇ ଯେଉଁ ସ୍ଵତନ୍ତ୍ରତା ଦିଆଯାଉଥିଲା ତାହା ଉଚ୍ଛେଦ କରାଯାଇଛି। ଏହାଫଳରେ ଜମ୍ମୁ କଶ୍ମୀର ରାଜ୍ୟ ମନ୍ୟତା ହରାଇଛି। ଏହାସହ ଜମ୍ମୁ କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଛି।
ତେବେ ଏଭଳି ଏକ ବଡ଼ ନିଷ୍ପତ୍ତିକୁ ଅନେକ ରାଜନୈତିକ ଦଳ ଓ ବ୍ୟକ୍ତିମାନେ ସମର୍ଥନ କରିବା ସହ ଅନ୍ୟ କେତକ ବିରୋଧ ମଧ୍ୟ କରିଛନ୍ତି। ଆସନ୍ତୁ ଜାଣିବା ୩୭୦ ଧାରା ଉଚ୍ଛେଦକୁ କିଏ ସମର୍ଥନ ଓ କିଏ ବିରୋଧ କରୁଛନ୍ତି।
ସମର୍ଥନ
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, “କଶ୍ମୀର ପାଇଁ ଏଭଲି ଏକ ବଡ଼ ପଦକ୍ଷେପକୁ ମୁଁ ସମର୍ଥନ କରୁଛି। ଜମ୍ମୁ କଶ୍ମୀର ଲୋକଙ୍କ ଶାନ୍ତି ଓ ସମୃଦ୍ଧି ପାଇଁ ମୁଁ ପ୍ରାର୍ଥନା କରୁଛି।”
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, “କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ମୁଁ ତାଙ୍କ ସହିତ ଅଛି। ଏହାକୁ ମୁଁ ସମର୍ଥନ କରୁଛି। ଆଶା କରୁଛି ଏହି ନିଷ୍ପତ୍ତି ପରେ କଶ୍ମୀରରେ ଶାନ୍ତି ଫେରି ଆସିବ ଓ ରାଜ୍ୟର ବିକାଶ ହେବ।”
ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନି କହିଛନ୍ତି, “ମୁଁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ଖୁସି ଅଛି। ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବାର ଦାବି ଆମର ରହିଥିଲା ଯାହାକି ଆଜି ସଫଳ ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଦେଶକୁ ଶକ୍ତି ମିଳିବ। ଏନେଇ ମୁଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।”
ବିରୋଧ
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରେନ୍ଦ୍ର ସିଂ କହିଛନ୍ତି, “ମୋଦି ସରକାର ବିନା ଆଇନ ସହାୟତାରେ ଏଭଳି ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ଏଭଳି ବଡ଼ ନିଷ୍ପତ୍ତିକୁ ବିନା ଆଇନର ସହୟତା ନେଇ କରିବା ଭୁଲ।”
ମେହବୁବା ମୁଫତି କହିଛନ୍ତି, ”ଆଜି ଲୋକତନ୍ତ୍ର ପାଇଁ କଳା ଦିନ। ୧୯୪୭ରେ ଦୁଇ ରାଷ୍ଟ୍ର ମଧ୍ୟରେ ବୁଝାମଣା ପାଇଁ ହୋଇଥିବା ଆଇନକୁ ଭାରତ ସରକାର ଏକତରଫା କରି ନିଷ୍ପତ୍ତି ନେବା ଭୁଲ୍। ଏହି ନିଷ୍ପିତ୍ତି ଗଣତନ୍ତ୍ରକୁ ହତ୍ୟା କଲା ଭଳି ହୋଇଛି।”
ଗୁଲାମ ନବି ଆଜାଦ କହିଛନ୍ତି, “ବିଜେପି ସରକାର ଗଣତନ୍ତ୍ରକୁ ହତ୍ୟା କରିଛି। ସମ୍ଵିଧାନକୁ ଚିରିବାକୁ ଉଦ୍ୟମ କରିଥିବା ୨ଜଣ ସାଂସଦଙ୍କୁ ମଧ୍ୟ ମୁଁ ନିନ୍ଦା କରୁଛି।”
ଏହି ବିଲକୁ ଆଞ୍ଚଳିକ ଦଳ ବିଜେଡି, ଏଆଇଡିଏମ୍କେ, ଶିବସେନା ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ବିଜେପିର କଡ୍ଡା ବିରୋଧି ବିଏସପି ମଧ୍ୟ ଏହାକୁ ସମର୍ଥନ କରିଛି। ଏହାଛଡ଼ା ଅନ୍ୟ ଆଞ୍ଚଳିକ ଦଳ ଡିଏମକେ, ଏମଡିଏମକେ ଓ ଜେଡିୟୁ ଏହାକୁ ବିରୋଧ କରିଥିଲେ।


















