ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ

  • ୨୦୧୯ ସେପ୍ଟେମ୍ବର ୫ରୁ ଜିଓ ଫାଇବର୍ ସେବା
  • ତା’ ସାଙ୍ଗକୁ ଜିଓ ସେଟଅପ୍ ବକ୍ସ ଆଣିବ ଡିଜିଟାଲ୍ ଟିଭିରେ ଚମକ
  • ଭିଆର୍ ଓ ଏଆର୍‌କୁ ମିଶାଇ ଜିଓର ଅତ୍ୟାଧୁନିକ ମିକ୍ସଡ ରିୟାଲିଟି (ଏମଆର୍) ଫିଚର୍
  • ୨୦୨୦ ଜାନୁଆରି ସୁଦ୍ଧା ଜିଓ ଫାଇବର ମାଧ୍ୟମରେ ଆଇଓଟି ସେବା ମିଳିବ
  • ଭାରତୀୟ ଡିଜିଟାଲ୍ ଜୀବନକୁ ପ୍ରଭାବିତ କରିବାକୁ ଯାଉଛି ଜିଓ

ଟେଲିଫୋନ୍ ବା ମୋବାଇଲ୍ ସେବା, ଇଣ୍ଟରନେଟ୍, ଏବଂ ଗେମିଂଠାରୁ ଆରମ୍ଭକରି ଓଟିଟି (ଓଭର୍ ଦ ଟପ୍) ସେବା ପର୍ଯ୍ୟନ୍ତ ଆଧୁନିକ ଜୀବନର ସବୁ ବିଭାଗକୁ ଏବେ ପ୍ରଭାବିତ କରିବାକୁ ଯାଉଛି ମୁକେଶ ଅମ୍ବାନିଙ୍କ ଜିଓ। ଜିଓ ଫୋନ୍, ଜିଓ ଟିଭି ପରେ ଏବେ ଜିଓ ଫାଇବର୍ ସେବାକୁ ବ୍ୟାପକ କରି ରିଲାଏନ୍ସ ଇଣ୍ଡଷ୍ଟ୍ରି କେବଳ ଦେଶର ସର୍ବବୃହତ ଅତ୍ୟାଧୁନିକ କମ୍ପାନି ହେବାର ସୁଯୋଗ ଲାଭ କରିନାହିଁ ବରଂ ଆଜିର ଡିଜିଟାଲ୍ ସେବା କ୍ଷେତ୍ରକୁ ପ୍ରଭାବିତ କରିବାକୁ ପ୍ରସ୍ତୁତ।

ଜିଓ ମୋବାଇଲ୍ ସେବାକୁ ଏହି ସେପ୍ଟେମ୍ବର ୫ ତାରିଖରେ ପୂରୁଛି ୩ ବର୍ଷ । ଏହି ଅବସରରେ ରିଲାଏନ୍ସ ଜିଓ ଫାଇବର୍ ସେବା ଆରମ୍ଭ କରିବାକୁ ଯାଉଛି। ଭାରତର ଘରେ ଘରେ ଉନ୍ନତମାନର ବ୍ରଡବ୍ୟାଣ୍ଡ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସିଏମଡି ମୁକେଶ୍ ଅମ୍ବାନି। ସୋମବାର ଦିନ ରିଲାଏନ୍ସର ବାର୍ଷିକ ଅଧିବେଶନ ବେଳେ ସେ ଏହି ଘୋଷଣା କରିଛନ୍ତି।

ବର୍ତ୍ତମାନ ଦେଶରେ ଜିଓ ପାଖରେ ୩କୋଟି ୪୦ଲକ୍ଷରୁ ଅଧିକ ଗ୍ରାହକ ରହିଛନ୍ତି। ପ୍ରତି ମାସରେ ପ୍ରାୟ ୧କୋଟି ମୋବାଇଲ୍ ଗ୍ରାହକ ଜିଓ ସହିତ ଯୋଡ଼ି ହେଉଛନ୍ତି। ଏହାଫଳରେ ଜିଓ ଆଜି ଭାରତର ସର୍ବବୃହତ ମୋବାଇଲ୍ ସେବା ପ୍ଲାଟଫର୍ମ ହୋଇପାରିଛି। ସେହିପରି ଜିଓ ଆଜି ପୃଥିବୀର ଦ୍ଵିତୀୟ ବୃହତ ପ୍ଲାଟଫର୍ମର ମାନ୍ୟତା ପାଇପାରିଛି।

ବାର୍ଷିକ ଅଧିବେଶନ ଅବସରରେ ସୂଚନା ଦେଇ ମୁକେଶ ଅମ୍ବାନି କହିଛନ୍ତି ଯେ ଜିଓ ଅଧୀନରେ ତାଙ୍କ କମ୍ପାନି ସାଢ଼େ ୩ଲକ୍ଷ କୋଟି ଟଙ୍କା  ନିବେଶ କରି ଡିଜିଟାଲ୍ ଭିତ୍ତିଭୂମି ତିଆରି କରିଛନ୍ତି। ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ଏହି ନେଟଓ୍ୱାର୍କ ‘୫ଜି ରେଡି’ ରହିଛି। ଏବେ ଆଉ ଏକ ପାଦ ଆଗକୁ ଯାଇ ରିଲାଏନ୍ସ ଫାଇବର୍ ଅପଟିକ୍ସ କନେକ୍ସନ୍ ମାଧ୍ୟମରେ ଘର ଏବଂ ଛୋଟ ବଡ଼ ବ୍ୟାବସାୟିକ ଅନୁଷ୍ଠାନକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେବାକୁ ଯାଉଛି।

ସେପ୍ଟେମ୍ବର ୫ରେ ମିଳିବ ‘ଜିଓ ଗିଗାଫାଇବର’

ଆଜି ମୁକେଶ ଅମ୍ବାନିଙ୍କ ଘୋଷଣା ସହ ଭାରତର ଡିଜିଟାଲ୍  କ୍ଷେତ୍ରରେ ଆସିଛି ଏକ ନୂଆ ହଲଚଲ୍। ସେପ୍ଟେମ୍ବର ୫ରୁ ଯେଉଁ ଫାଇବର୍ ସଂଯୋଗ ଦିଆଯିବ ତାହାର ସ୍ପିଡ୍ ୧୦୦ ଏମବିପିଏସ୍‌ରୁ ୧୦୦୦ ଏମବିପିଏସ୍ ବା ଏକ ଜିବିପିଏସ୍ ରହିବ। ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ମାସିକ ୭୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ଏହି ସେବା ପାଇପାରିବେ। ଡିଜିଟାଲ୍ ଇଣ୍ଡିଆର ସମ୍ପ୍ରସାରଣ ପାଇଁ ଜିଓ ଫାଇବର୍ ଏକ ଗେମ୍ ଚେଞ୍ଜର ହେବ ବୋଲି ମୁକେଶ ପରୋକ୍ଷରେ ସୂଚନା ଦେଇଥିଲେ।

ଏହି ଜିଓ ଫାଇବର୍ ମାଧ୍ୟମରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କମ୍ୟୁନିକେସନ୍ ଏବଂ ଇଣ୍ଟରନେଟ୍ ସେବା ପାଇପାରିବେ। ତା’ ମଧ୍ୟରେ ରହିଛି ଲ୍ୟାଣ୍ଡଲାଇନ୍ ଫୋନ୍, ମଲ୍ଟି ପ୍ଲାଟଫର୍ମ ଭିଡ଼ିଓ କନଫରେନ୍ସି ଓ ଡିଜିଟାଲ୍ ସେଟଅପ୍ ବକ୍ସ ଇତ୍ୟାଦି। ଅର୍ଥାତ୍ ଟେଲିଫୋନ୍, ଇଣ୍ଟରନେଟ୍ ଟେଲିଭିଜନ୍ ଭଳି ପ୍ରମୁଖ ସେବା କ୍ଷେତ୍ରରେ ଜିଓ ଫାଇବର୍ ଏକ ନୂଆ ଆନ୍ଦୋଳନ ସୃଷ୍ଟି କରିବାକୁ ଯାଉଛି।

ଆଜି ବାର୍ଷିକ ସମ୍ମିଳନୀ ବେଳେ ମୁକେଶ୍, ପୁଅ ଆକାଶ, ଝିଅ ଇଶା ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରେସିଡେଣ୍ଟ କିରଣ ଥୋମାସଙ୍କୁ ମଞ୍ଚକୁ ଡାକିଥିଲେ। ଆଗାମୀ ଦିନରେ ଜିଓ ଫାଇବର୍ କିଭଳି ଭାବେ ଲୋକଙ୍କ ଡିଜିଟାଲ୍ ଜୀବନକୁ ପ୍ରଭାବିତ କରିବ ସେ ବାବଦରେ ଉପସ୍ଥାପନ କରିଥିଲେ। ଜିଓ ଫାଇବରର ଅତ୍ୟାଧୁନିକ ଡିଜିଟାଲ୍ ସେବା ମଧ୍ୟରେ ରହିଛି  ମିକ୍ସଡ ରିୟଲିଟି (ଏମଆର୍) ଯାହାକି ଅଗମେଣ୍ଟେଡ୍ ରିୟାଲିଟି (ଏଆର୍) ଏବଂ ଭର୍ଚୁଆଲ୍ ରିୟାଲିଟିର (ଭିଆର୍) ଏକ ମିଶ୍ରଣ। ସେମାନେ ଏମଆର୍ ହେଡସେଟ୍ ଲଗାଇ ଉପସ୍ଥିତ ରିଲାଏନ୍ସ ପରିବାରକୁ ସପିଂ ଏବଂ ଶିକ୍ଷାକ୍ଷେତ୍ରରେ ନୂଆ ଡିଜିଟାଲ୍ ଅନୁଭବର ଚିତ୍ର ଉପସ୍ଥାପନ କରିଥିଲେ।

ଏହି ଅବସରରେ ଏକ ମଲ୍ଟି ଡିଭାଇସ୍ ଏବଂ ମଲଟି ଷ୍ଟେସନ୍ ଭିଡ଼ିଓ କଲିଂ କରି ରିଲାଏନ୍ସ ଇଣ୍ଡଷ୍ଟ୍ରି ଉପସ୍ଥିତ ଦର୍ଶକମାନଙ୍କୁ ଚମକାଇ ଦେଇଥିଲା। ଏହି ଭିଡ଼ିଓ କନଫରେନ୍ସିଂ ବେଳେ ବମ୍ବେରେ ଚାଲିଥିବା ରିଲାଏନ୍ସର ବାର୍ଷିକ ସମ୍ମିଳନୀ ସହ ଫ୍ରାନ୍ସ, ଆମେରିକା ଏବଂ ଭାରତର ଅନ୍ୟ ସ୍ଥାନରେ ଥିବା ଥୋମାସଙ୍କ ପରିବାର ଏବଂ ଜଣେ ବନ୍ଧୁଙ୍କୁ ଯୋଡ଼ାଯାଇଥିଲା।

ଆଗାମୀ ଦିନରେ ଜିଓ ଫାଇବର୍ ମାଧ୍ୟମରେ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି) ସେବା ଯୋଗାଇଦେବା ସମ୍ପର୍କରେ ଆଜି ମୁକେଶ୍ ସୂଚନା ଦେଇଛନ୍ତି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ଲୋକମାନେ ୨୦୦କୋଟିରୁ ଅଧିକ ସଂଖ୍ୟାରେ ବିଭିନ୍ନ ପ୍ରକାର ଆଇଓଟି ଡିଭାଇସ୍ ବ୍ୟବହାର କରୁଥିବାର ଆକଳନ କରାଯାଇଛି। ତା’ ଭିତରୁ ୫୦ ଭାଗ ଡିଭାଇସକୁ ଜିଓ ଫାଇବର୍ ମାଧ୍ୟମରେ ଯୋଡ଼ିବା ଲାଗି ରିଲାଏନ୍ସ ପରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

୫ କୋଟି ଲୋକଙ୍କୁ ମିଳିବ ଜିଓ ଫାଇବର ସେବା

ଜାନୁଆରୀ ୨୦୨୦ରୁ ଜିଓ ଫାଇବର୍ ମାଧ୍ୟମରେ ଏହି ସେବା ଆରମ୍ଭ ହେବ। ଏହା ମାଧ୍ୟମରେ ବାର୍ଷିକ ୨୦,୦୦୦ କୋଟି ଟଙ୍କାର ଆୟ ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲକ୍ଷ୍ୟ ରଖିଛି।

ଗତବର୍ଷ ରିଲାଏନ୍ସର ବାର୍ଷିକ ସମ୍ମିଳନୀ ବେଳେ ରିଲାଏନ୍ସ ଗିଗା ଫାଇବର୍ କଥା ଉଠାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁକେଶ। ଏହାପରେ ପରୀକ୍ଷାମୂଳକ ଭାବେ ୧୬୦୦ ସହରରେ ପ୍ରାୟ ୫ଲକ୍ଷ ଗ୍ରାହକକଙ୍କୁ ଜିଓ ଫାଇବର୍ କନେକ୍ସନ୍ ଦିଆଯାଇଥିଲା। ପ୍ରତ୍ୟେକ ପରିବାର ମାସିକ ପ୍ରାୟ ୧୦୦ ଜିବି ଡାଟା ବ୍ୟବହାର କରୁଥିବା ଜିଓ ପକ୍ଷରୁ ହିସାବ କରାଯାଇଛି।

ଆଗାମୀ ଦିନରେ ସେହି  ୧୬୦୦ ସହରରେ ପ୍ରାୟ ୫ କୋଟି ଗ୍ରାହକଙ୍କ ପାଖରେ ଜିଓ ଫାଇବର୍ ପହଞ୍ଚାଇବା ପାଇଁ କମ୍ପାନି ଲକ୍ଷ୍ୟ ରଖିଛି। ତା’ ମଧ୍ୟରେ ଦେଢ଼ କୋଟିରୁ ଅଧିକ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନଙ୍କୁ ଜିଓ ଫାଇବର୍ ମାଧ୍ୟମରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି ମୁକେଶ୍ ଅମ୍ବାନି କହିଛନ୍ତି।

Comment