ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନ ତଳେ ଭୟଙ୍କର ବନ୍ୟା ପରିସ୍ଥିତିର ସାମ୍ନା କରିବା ପରେ ବଲାଙ୍ଗିରବାସୀ ଏବେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଦୁଇ ଦିନ ହେବ ବଲାଙ୍ଗିରରେ ବର୍ଷା ହୋଇନି। ଫଳରେ ଜମି ରହିଥିବା ପାଣି ସ୍ତର ହ୍ରାସ ପାଇବା ଧୀରେ ଧୀରେ ନିଷ୍କାସିତ ହେବାରେ ଲାଗିଛି।

ବଲାଙ୍ଗିରରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏବଂ ରାଜସ୍ୱ ତଥା ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବଲାଙ୍ଗିର ଗସ୍ତ କରିଥିଲେ। ପରିସ୍ଥିତି ସ୍ୱାଭାବିକ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପ୍ରବଳ ବର୍ଷା ଯୋଗୁଁ ଗତ ଦୁଇ ଦିନ ଧରି ସମଗ୍ର ବଲାଙ୍ଗିର ସହର ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ରହିଥିଲା ଏବଂ ମୁଖ୍ୟତଃ ସହରର ପ୍ୟାଲେସ ଲାଇନ, ରେଳଷ୍ଟେସନ, ବରପାଲି ପଡା, ରାମେଶ୍ୱର ନଗର, ଗୋକୁଳଧାମ, ତାଲପାଲି ପଡା, କୋଶଲ ନଗର, ସୁଦ ପଡା, ସାଲେ ପାଲି, ମନୋହରପୁର, ମହାଲକ୍ଷ୍ମୀ ନଗର, ଟିକିରା ପଡା, ସାଗର ପଡା ଅଞ୍ଚଳ ଜଳମଗ୍ନ ହୋଇ ଯାଇଥିଲା ।

ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ସହରର ରାସ୍ତାଘାଟ ପ୍ରଭାବିତ ହେବାସହ ବିଜୁଳି ସଂଯୋଗ ମଧ୍ୟ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ବନ୍ୟା ପରିସ୍ଥିତିକୁ ଦେଖି ସହରରେ ୨୧ଟି ରିଲିଫ କେନ୍ଦ୍ର ଖୋଲାଯାଇଥିଲା ଏବଂ ପ୍ରାୟ ୧୫ ହଜାର ଲୋକ ସେଠାରେ ଆଶ୍ରୟ ନେଇଥିଲେ।

ଏହାଛଡା ଜିଲ୍ଲାର ଅନ୍ୟ କେତେକ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଥିଲା ଏବଂ ପ୍ରାୟ ୧୯ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ୫୯ଟି ରିଲିଫ କେନ୍ଦ୍ରରେ ରଖାଯାଇଥିଲା। ଗତ କିଛି ଦିନର ଅବିରତ ବର୍ଷା ଯୋଗୁଁ ଜିଲ୍ଲାରେ ପ୍ରବାହିତ ହେଉଥିବା ଖାଡଙ୍ଗ, ତେଲ, ସୁକତେଲ ଏବଂ ବାରଭାଇ ନଦୀ ଜଳସ୍ତର ବୃଦ୍ଧି ପାଇଥିଲା ଏବଂ ସହର ଭିତରେ ପ୍ରବାହିତ ହେଉଥିବା ଲକ୍ଷ୍ମୀ ଜୋର ଜଳ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ବର୍ଷା ବନ୍ଦ ରହିଥିବାରୁ ବଲାଙ୍ଗିରରେ ସ୍ଥିତି ସ୍ୱାଭାବିକ ହେଉଛି।

Comment