ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଚାଲିଥିବା ବୈଠକ ଶେଷ ହୋଇଛି। କଶ୍ମୀର ପ୍ରସଙ୍ଗରେ ୠଷ୍‌ ଭାରତ ସପକ୍ଷରେ ରହିଥିବା ବେଳେ ଚୀନ୍‌ ପାକିସ୍ତାନ ସହ ସ୍ୱର ମିଳାଇଛି।

ବୈଠକ ଶେଷ ହେବା ପରେ ଚୀନ୍‌ ରାଷ୍ଟ୍ରଦୂତ କହିଥିଲେ, ‘‘ଭାରତ ଯେଉଁ ସମ୍ବିଧାନ ସଂଶୋଧନ କରିଥିଲା ସେଥିରେ ଜମ୍ମୁ କଶ୍ମୀରର ଭୌଗୋଳିକ ସ୍ଥିତି ବଦଳିଯାଇଛି। କଶ୍ମୀରର ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ରହିଛି। କୌଣସି ଦେଶ ଏକ ତରଫା ନିଷ୍ପତ୍ତି ନେବା ଠିକ୍ ନୁହେଁ। ଏକତରଫା ନିଷ୍ପତ୍ତି ନେବା ବେଆଇନ୍।’’

ଏପଟେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଅକବରୁଦ୍ଦିନ୍ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ‘‘ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିବା ହେଉଛି ଭାରତର ଆଭ୍ୟନ୍ତରୀଣ ମାମଲା। ଜମ୍ମୁ କଶ୍ମୀରର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଭାରତ ଏହି ପଦକ୍ଷେପ ନେଇଛି।’’

ସେ ଆହୁରି କହିଥିଲେ ଯେ ଜମ୍ମୁ କଶ୍ମୀରରୁ ସରକାର ଧିରେ ଧିରେ କଟକଣା କୋହଳ କରୁଛନ୍ତି। ପାକିସ୍ତାନୀ ଆତଙ୍କବାଦୀ ଏଠି ସବୁବେଳେ ହିଂସା ସୃଷ୍ଟି କରୁଥିଲେ। ହିଂସା ଦ୍ୱାରା କେବେ ବି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଆଲୋଚନା କରିବା ପୂର୍ବରୁ ପ୍ରଥମେ ପାକିସ୍ତାନକୁ ଆତଙ୍କବାଦ ରୋକିବାକୁ ପଡ଼ିବ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଆଲୋଚନା କରିବାକୁ ଦାବି କରିଥିଲା ଚୀନ। ଚୀନ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଥିବାରୁ ଏହି ଦାବିକୁ ଅଗ୍ରାହ୍ୟ କରିପାରି ନାହିଁ ଜାତିସଂଘ। ଏଣୁ କଶ୍ମୀରକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ରୁଦ୍ଧଦ୍ୱାର ବୈଠକ ବସିଥିଲା।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ପ୍ରସଙ୍ଗରେ ଭାରତକୁ ୠଷ ସମର୍ଥନ କରି ଆସୁଛି। କଶ୍ମୀର ଭାରତ-ପାକିସ୍ତାନର ମାମଲା। ଏଣୁ ଏହି ପ୍ରସଙ୍ଗ ଉପରେ ଉଭୟ ଦେଶ ଭିତରେ ଦ୍ୱିପାକ୍ଷିକ ଆଲୋଚନା ହେବା ଦରକାର ବୋଲି ୠଷ କହି ଆସୁଛି। ଏହାସହ ୩୭୦ ଉଛେଦକୁ ୠଣ ଆଇନସିଦ୍ଧ ବୋଲି କହିଥିଲା।

କଶ୍ମୀର ପ୍ରସଙ୍ଗକୁ ନେଇ ୧୯୭୧ରେ ଜାତିସଂଘ ସୁରକ୍ଷା ପରିଷଦରେ ବୈଠକ ବସିଥିଲା। ଏବେ ଦ୍ୱିତୀୟ ଥର ପାଇଁ ବୈଠକ ବସିଛି। ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟ ସଂଖ୍ୟା ହେଉଛି ୧୫। ୫ ସ୍ଥାୟୀ ଏବଂ ୧୦ ଅସ୍ଥାୟୀ ସଦସ୍ୟ ଅଛନ୍ତି।

ଆମେରିକା, ୠଷ୍‌, ଚୀନ, ବ୍ରିଟେନ ଏବଂ ଫ୍ରାନ୍ସ ସ୍ଥାୟୀ ସଦସ୍ୟ ରହିଥିବା ବେଳେ ବେଲଜିୟମ, କୋଟ୍‌ ଡିବୋଏର୍‌, ଡୋମିନିକ ରିପବ୍ଲିକ, ଇକ୍ୱଟୋରିୟଲ ଗୁଏନି, ଜର୍ମାନୀ, ଇଣ୍ଡୋନେସିଆ, କୁଏତ, ପେରୁ, ପୋଲାଣ୍ଢ ଏବଂ ଦକ୍ଷିଣ ଆଫ୍ରିକା ଅସ୍ଥାୟୀ ସଦସ୍ୟ ରହିଛନ୍ତି।

Comment