ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ନେଇ ଚର୍ଚ୍ଚା। ସିନା ବୋରା ହତ୍ୟାକାଣ୍ଡରେ ତାଙ୍କର କ’ଣ ରହିଛି ସମ୍ପର୍କ?

ଆଇଏନ୍‌ଏକ୍ସ ମିଡିଆ ମାମଲାକୁ ନେଇ ସାରା ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ ଗିରଫ ହେବା ପରେ ୨୦୦୭ ମସିହାର ଏହି ମାମଲା ପୁଣି ତାଜା ହୋଇଛି।

କେବଳ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନକୁ ଆଧାର କରି ସିବିଆଇ ଚିଦାମ୍ବରମ୍‌ଙ୍କୁ ଗିରଫ କରିଛି। ତେବେ ଏହି ଇନ୍ଦ୍ରାଣୀ ମୁଖାର୍ଜୀ କିଏ ଏବଂ କାହିଁକି ତାଙ୍କୁ ନେଇ ଏତେ ହଲ୍ଲାପଟା ଜାଣନ୍ତୁ।

ଆଇଏନ୍‌ଏକ୍ସ ମିଡିଆକୁ କେମିତି ଆସିଲେ ଇନ୍ଦ୍ରାଣୀ?

ଆଗଧାଡ଼ିର ମହିଳା ଉଦ୍ୟୋଗୀଙ୍କ ନାଁ ଆସିଲେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ନାଁ ଚର୍ଚ୍ଚା ହୁଏ। ଏଚ୍‌ଆର୍‌ କନସଲଟାଣ୍ଟରୁ କ୍ୟାରିଅର ଆରମ୍ଭ କରିଥିବା ଇନ୍ଦ୍ରାଣୀ ମିଡିଆ ଜଗତରେ ପ୍ରବେଶ କରିଥିଲେ। ସ୍ୱାମୀ ପିଟର ମୁଖାର୍ଜୀଙ୍କ ସହ ମିଶି ୨୦୦୬-୦୭ରେ ଇନ୍ଦ୍ରାଣୀ ଆଇଏନ୍‌ଏକ୍ସ ମିଡିଆ ଗ୍ରୁପ୍ ଖୋଲିଥିଲେ। ୨୦୦୬ରେ ଆଇଏନ୍‌ଏକ୍ସ ଗ୍ରୁପ୍‌ର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିଲେ ଇନ୍ଦ୍ରାଣୀ।

ଆଇଏନ୍‌ଏକ୍ସ ମିଡିଆରେ ପିଟର ଏବଂ ଇନ୍ଦ୍ରାଣୀଙ୍କର ୫୦ ପ୍ରତିଶତ ଅଂଶୀଦାର ଥିଲା। ଆଉ କିଛି ଘରୋଇ ସଂସ୍ଥା ଏହି ଗ୍ରୁପ୍‌ର ଅଧା ଅଂଶୀଦାର ଥିଲେ।

୨୦୦୬ରେ ଆଇଏନ୍‌ଏକ୍ସ ଗ୍ରୁପ୍‌ ମିଡିଆ ଜଗତରେ ହଲ୍‌ଚଲ୍‌ କରିଥିଲା। ଭଲ ଦରମା ଦେଇ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲା।

୨୦୦୭ରେ ଆଇଏନ୍‌ଏକ୍ସ ଗ୍ରୁପ୍‌ ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲ 9x, ହିନ୍ଦୀ ମ୍ୟୁଜିକ ଚ୍ୟାନେଲ 9xm ଶୁଭାରମ୍ଭ କରିଥିଲା। ୨୦୦୮ରେ ଇଂରାଜୀ ନ୍ୟୁଜ ଚ୍ୟାନେଲ News x ଲଞ୍ଚ୍‌ ହୋଇଥିଲା।

ଏହାପରେ ଆଇଏନ୍‌ଏକ୍ସ ମିଡିଆ ତିନୋଟି ଆଞ୍ଚଳିକ ମ୍ୟୁଜିକ ଚ୍ୟାନେଲ, ସିଟି ବେସ୍‌ଡ ଚ୍ୟାନେଲ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ତାହା ସମ୍ଭବ ହୋଇ ନଥିଲା। ୨୦୦୭-୦୮ରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଆଇଏନଏକ୍ସ ମିଡିଆ କ୍ଷତି ସହିଥିଲା। ଅନ୍ୟ ଅଠଶୀଦାରମାନେ ଆଉ ଟଙ୍କା ଖର୍ଚ୍ଚ କରିବାକୁ ଆଗ୍ରହ ପ୍ରକାଶ କଲେନି। ବିଜ୍ଞାପନଦାତାମାନେ ସେମାନଙ୍କ ବକେୟା ଦେଇ ପାରିଲେ ନାହିଁ। ଫଳରେ ୨୦୦୯ ସୁଦ୍ଧା ଆଇଏନଏକ୍ସ ମିଡିଆ କମ୍ପାନି ୮୦୦ କୋଟି ଟଙ୍କାର କ୍ଷତି ସହିଥିଲା। ଶେଷରେ ଇନ୍ଦ୍ରାଣୀ ଏବଂ ପିଟର ଏହି କମ୍ପାନିରୁ ଓହରି ଯାଇଥିଲେ।

୨୦୧୦ରେ ଇନ୍ଦ୍ରାଣୀ ଏବଂ ପିଟର ତାଙ୍କ ସେୟାର ବିକ୍ରି କରିଥିଲେ।

ଆଇଏନ୍‌ଏକ୍ସରେ ବିଦେଶୀ ପୁଞ୍ଜି

ଆଇଏନ୍‌ଏକ୍ସ ମିଡିଆ ଯେଉଁ ସମୟରେ କାୟା ବିସ୍ତାର କରିଥିଲା ସେତେବେଳେ କେନ୍ଦ୍ରରେ ସରକାରରେ ଥିଲା କଂଗ୍ରେସ ନେତୃତ୍ୱାଧୀନ ଉପା। ପି ଚିଦାମ୍ବରମ୍‌ ଥିଲେ ଅର୍ଥ ମନ୍ତ୍ରୀ। ସେତେବେଳେ ମିଡିଆ ବିଦେଶୀ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଥିଲା। ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନଥିଲେ ଆଇଏନ୍‌ଏକ୍ସ ମିଡିଆର ସହ ପ୍ରତିଷ୍ଠାତା ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀ।

ଆଇଏନ୍‌ଏକ୍ସ ମିଡିଆରେ ସେତେବେଳେ ୩୦୫ କୋଟି ଟଙ୍କା ବିଦେଶୀ ପୁଞ୍ଜି ନିବେଶ ହୋଇଥିବା ଅଭିଯୋଗ ହୋଇଥିଲା। ପି ଚାଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ମାଧ୍ୟମରେ ଆଇଏନ୍‌ଏକ୍ସ ମିଡିଆ ଏହି ଫାଇଦା ହାସଲ କରିଥିବା କୁହାଗଲା।

ଏଫ୍‌ଆଇପିବିର ବିନା ଅନୁମତିରେ ଏହି ପୁଞ୍ଜି ନୁବେଶ ହେବା ଖବର ପ୍ରଚାରିତ ହେବା ପରେ ଅଡୁଆରେ ପଡ଼ିଥିଲା ଆଇଏନ୍‌ଏକ୍ସ ମିଡିଆ କମ୍ପାନି। ଶେଷରେ ଇଡି ସ୍କାନରକୁ ଆସିଥିଲା। ବହୁ ଚର୍ଚ୍ଚିତ ୨ ଜି ସ୍ପେକ୍ଟ୍ରମ ଦୁର୍ନୀତିର ତଦନ୍ତ ବେଳେ ହିଁ ଆଇଏନ୍‌ଏକ୍ସ ମିଡିଆ ମାମଲା ସାମ୍ନାକୁ ଆସିଥିଲା।

Comment