ଓଡ଼ିଶାଲାଇଭ୍ ବ୍ୟୁରୋ
ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। ସେପ୍ଟେମ୍ବର ୧ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି।
ଏହି ନିୟମ ଅନୁଯାୟୀ ନାବାଳକ ତଥା ନାବାଳିକା ଗାଡ଼ି ଚଳାଇଲେ ପୂର୍ବରୁ ଜରିମାନା ନଥିଲା। କିନ୍ତୁ ଏବେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ନାବାଳକ ବା ନାବାଳିକା ଗାଡ଼ି ଚଳାଉଛନ୍ତି, ତେବେ ସେମାନଙ୍କ ଅଭିଭାବକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଅଭିଭାବକଙ୍କୁ ୨୫ ହଜାର ଟଙ୍କର ଗଣିବାକୁ ହେବ। ଏହାସହ ନାବାଳିକ ବା ନାବାଳିକା ଚଳାଉଥିବା ଗାଡ଼ିର ପଞ୍ଜୀକରଣ ରଦ୍ଦ କରିଦିଆଯିବ।
ହେଲମେଟ୍ ନ ପିନ୍ଧି ଧରାପଡ଼ିଲେ ହଜାରେ, ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ହେବ।
ଏଣିକି ମଦୁଆ ଡ୍ରାଇଭର ଦେବେ ୫ଗୁଣା ଅଧିକ ଜରିମାନା। ପୂର୍ବରୁ ମଦ ପିଇ ଗାଡ଼ି ଚଲାଉଥିବା ଚାଳକଙ୍କଠୁ ୨ହଜାର ଜରିମାନା ଆଦାୟ କରାଯାଉଥିଲା। ବର୍ତ୍ତମାନ ସଂଶୋଧିତ ଆଇନ ବିଲରେ ପରିଣତ ହେଲେ ତାହା ୨ହଜାର ପରିବର୍ତ୍ତେ ୧୦ହଜାର ହୋଇଯିବ। ମଦୁଆ ଚାଳକଙ୍କ ଯୋଗୁଁ ଅଧିକ ଦୁର୍ଘଟଣା ହେଉଥିବାରୁ ତାଙ୍କ ପାଇଁ ଅଧିକ ଜରିମାନା କରାଯାଇଛି।
କାର ଓ ଅନ୍ୟ ଚାରି ଚକିଆ ଯାନରେ ସିଟବେଲ୍ଟ ନପିନ୍ଧିଲେ ଦେବେ ପୂର୍ବାପେକ୍ଷା ୧୦ଗୁଣା ଜରିମାନା। ପୂର୍ବରୁ ଏହି ଜରିମାନା ୧୦୦ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୧ହଜାର କରାଯିବ।
ଗାଡି ଚଲାଇଲା ବେଳେ ଗୋଟେ ହାତରେ ଫୋନ ଧରି କଥା ହେଲେ ଓ ହେଲମେଟରେ ଫୋନ ପୂରାଇ କଥା ହେଲେ ଦେବେ ଜରିମାନା। ଫୋନରେ ଗପିଲେ, ଓଭରଟେକ ଓ ରଙ୍ଗ ରୁଟରେ ଗଲେ ଏଣିକି ଦେବେ ୫ଗୁଣା ଜରିମାନା। ପୂର୍ବରୁ ଏହି ଜରିମାନା ୧ହଜାର ଥିବାବେଳେ ଏହା ଏବେ ୫ହଜାରରେ ପହଞ୍ଚିଛି।
ବିନା ଲାଇସେନ୍ସ ଓ ବେପରୁଆ ଗାଡ଼ି ଚାଳକ ହେଇଯାଆନ୍ତୁ ସାବଧାନ। ଏଣିକି ବିନା ଲାଇସେନ୍ସରେ ଧରା ପଡ଼ିଲେ ଦେବେ ବଡ଼ ଆକାରର ଜରିମାନ। ପୋଲିସମାନେ ଏହି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜରିମାନା ରାଶି ୫୦୦ରୁ ୫ହଜାରକୁ ବୃଦ୍ଧି କରାଯାଇଛି।
ବୀମା ନଥିଲେ ୨ ହଜାର, ଆମ୍ବୁଲାନ୍ସ ବା କୌଣସି ଜରୁରୀକାଳୀନ ଯାନକୁ ନ ଛାଡ଼ିଲେ ୧୦ ହଜାର ଟଙ୍କା ଜରିମାନା।
ସେହିପରି ସର୍ବସାଧାରଣ ଯାନବାହନ ବା ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଅଧିକ ଯାତ୍ରୀଙ୍କୁ ନେଲେ ଯାତ୍ରୀ ପିଛା ହଜାରେ ଟଙ୍କା ଜରିମାନା ଦେବାକୁ ପଡ଼ିବ।