ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି। ପ୍ରତିଦିନ ପାକିସ୍ତାନ ଭାରତକୁ ନୂଆ ନୂଆ ଧମକ ଦେଉଛି। ପରମାଣୁ ଯୁଦ୍ଧର ଧମକ ପରେ ବୁଧବାର ପାକିସ୍ତାନ ଇଣ୍ଟରନ୍ୟାସନାଲ ଫ୍ଲାଇଟ ପାଇଁ  ଏୟାରସ୍ପେସ୍‌ ବନ୍ଦ କରିଛି। ବର୍ତ୍ତମାନ କରାଚୀରୁ ୩ଟି ରୁଟ୍‌ରେ ବିମାନ ଚଳାଚଳ ବନ୍ଦ କରିଛି ପାକିସ୍ତାନ।

ଆସନ୍ତା ୩୧ ତାରିଖ ଯାଏଁ କରାଚିର ଏହି ୩ଟି ରୁଟ ବନ୍ଦ ରହିବ। ଏନେଇ ପାକିସ୍ତାନ ବେସାମରିକ ବିମାନ ଚଳାଚଳ ଅଥରିଟି ପକ୍ଷରୁ ନୋଟିସ ଜାରି କରାଯାଇଛି। ମାତ୍ର କାହିଁକି ଏୟାରସ୍ପେସ ବନ୍ଦ କରାଯାଇଛି ସେନେଇ ସ୍ପଷ୍ଟୀକରଣ ଦିଆଯାଇନି। ପାକିସ୍ତାନର ଏହି ନିଷ୍ପତ୍ତି ଫଳରେ ଏବେ ପାକିସ୍ତାନ ଆକାଶମାର୍ଗରେ ଭାରତର କୌଣସି ବିମାନ ଉଡ଼ିପାରିବ ନାହିଁ।

ଏୟାରସ୍ପେସ ବନ୍ଦ କରିବାକୁ ଧମକ ଦେଇଥିଲା ପାକିସ୍ତାନ

‘‘ଭାରତ ପାଇଁ ପାକିସ୍ତାନ ଏହାର ବାୟୁ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ଯୋଜନା କରୁଛି। ଏଥିସହିତ ଆଫାଗାନିସ୍ତାନକୁ ସ୍ଥଳ ଭାଗରେ ବାଣିଜ୍ୟ ମାର୍ଗକୁ ମଧ୍ୟ ପାକିସ୍ତାନ ବନ୍ଦ କରିବା ନେଇ ଚିନ୍ତା କରୁଛି’’, ମଙ୍ଗଳବାର ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫୱାଦ ହୁସେନ୍ ଏକ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଇମ୍ରାନ ଦେଇଥିଲେ ପରମାଣୁ ଯୁଦ୍ଧ ଧମକ

‘‘କଶ୍ମୀର ପ୍ରସଙ୍ଗରେ ତାଙ୍କ ଦେଶ ‌ଯେକୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନାହିଁ। ଧାରା ୩୭୦କୁ ହଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଭୁଲ୍‌ କରିଛନ୍ତି‘‘,  ଇମ୍ରାନ ଖାନ ଧମକ ଦେଇ ଏଭଳି କହିଥିଲେ।

Comment