ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସହ ଯୁଦ୍ଧ କରିବ ପାକିସ୍ତାନ। ଏକଥା ଭାରତ କହୁନି, କଶ୍ମୀର ପ୍ରସଙ୍ଗରେ ଚାରିଆଡୁ ନିରାଶ ହେବା ପରେ ପାକିସ୍ତାନ ଏହା କହୁଛି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବାରମ୍ବାର ଝଟ୍‌କା ଖାଇବା ପରେ ଭାରତ ସହିତ ଯୁଦ୍ଧ କରିବାକୁ ସଜବାଜ ହେଉଛି। ଏହାର ପ୍ରମାଣ ହେଉଛି ବୁଧବାର ବିଳମ୍ବିତ ରାତିରେ ହୋଇଥିବା ବାଲିଷ୍ଟିକ ମିସାଇଲ ପରୀକ୍ଷଣ।

କରାଚି କ୍ଷେପଣାସ୍ତ୍ର ଘାଟିରେ ବାଲିଷ୍ଟିକ ମିସାଇଲ୍‌ ‘ଘଜନାଭି’ ପରୀକ୍ଷଣ ହୋଇଥିବା ପାକିସ୍ତାନ ଦାବି କରୁଛି। ଏହି ମିସାଇଲ୍ ପରୀକ୍ଷା କରି ପାକିସ୍ତାନ ନିଜର ଶକ୍ତି ଦେଖାଇଛି। ଏହାସହ ନିଜ ନୌସେନା ଏବଂ ବାୟୁସେନା ମଧ୍ୟ ଆଲର୍ଟ ରଖିଛି।

ପାକିସ୍ତାନ ରେଳ ମନ୍ତ୍ରୀ ମଧ୍ୟ ଭାରତ ସହିତ ଯୁଦ୍ଧର ସମୟ ନିର୍ଦ୍ଧାରଣ କରି ସାରିଛନ୍ତି। ଅକ୍ଟୋବରରୁ ନଭେମ୍ବର ଭିତରେ ଯୁଦ୍ଧ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଯଦି ପାକିସ୍ତାନ ଯୁଦ୍ଧ କରେ ତାହାଲେ ଭାରତ ତାକୁ ପୂରା ନାମ ଦେବ ବୋଲି କୁହାଯାଉଛି।

କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ-ଭାରତ ଭିତରେ ଅନେକ ଥର ଯୁଦ୍ଧ ହୋଇଛି। ଯୁଦ୍ଧର ପରିଣାମ କ’ଣ ହୋଇଛି ତାହା ସମସ୍ତେ ଜାଣିଛନ୍ତି। ପାକିସ୍ତାନ ଭାରତଠାରୁ ସବୁ ଯୁଦ୍ଧରେ ପରାଜିତ ହେବା ପରେ ଏବେ ପୁଣି ଥରେ ଯୁଦ୍ଧ କରିବାକୁ ସଜବାଜ ହେଉଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ସୀମାନ୍ତରେ ଅସ୍ତ୍ରବିରତୀ ଉଲ୍ଲଂଘନ କରି ଚାଲିଛି। ଗତ ୨୫ ଦିନ ଭିତରେ ୨୨୨ ଥର ଅସ୍ତ୍ରବିରତୀ ଉଲ୍ଲଂଘନ କରି ଭାରତୀୟ ସୀମାକୁ ଗୁଳି ମାଡ଼ କରି ଚାଲିଛି ପାକିସ୍ତାନ। ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି। ପାକିସ୍ତାନ ଚାହୁଁଛି ଯେ ଭାରତ କିଛି ପଦକ୍ଷେପ ନେଉ ଏବଂ ଯୁଦ୍ଧ କରିବାର ପରିସ୍ଥିତି ସୃଷ୍ଟି କରୁ। ହେଲେ ଭାରତ ମୁହାଁମୁହିଁ ଯୁଦ୍ଧ କରିବା ବଦଳରେ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଘେରିବା ପାଇଁ ଉଦ୍ୟମ କରୁଛି। ହେଲେ ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରିପାରୁନି। ଖାଲି ଯୁଦ୍ଧ ଧମକ ଦେଇ ଚାଲିଛି।

‘‘ଯୁଦ୍ଧକୁ ନେଇ ପାକିସ୍ତାନ କେବଳ ବାହାସ୍ଫୋଟ ମାରୁଛି। ପାକିସ୍ତାନରେ ଯେଉଁମାନେ ନେତୃତ୍ୱ ନେଉଛନ୍ତି ସେମାନେ ନିଜ ଦେଶର ଲୋକଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିଦିନ ଏଭଳି ନୂଆ ନୂଆ ମନ୍ତବ୍ୟ ଦେଉଥିବା ମନେହେଉଛି। ଏଣୁ ପାକିସ୍ତାନ କେବେ ବି ଯୁଦ୍ଧ କରିବ ନାହିଁ। ଯଦି ପାକିସ୍ତାନ ଯୁଦ୍ଧ କରେ ତାହାଲେ ପାକିସ୍ତାନକୁ ଦୃଢ଼ ଜବାବ ଦେବ ଭାରତ। ପାକିସ୍ତାନ ଅପେକ୍ଷା ଭାରତର ସାମରିକ ଶକ୍ତି ସୁଦୃଢ଼ ଅଛି। ତାଛଡ଼ା ଅନ୍ତର୍ଜାତୀୟ ସ୍ତରରେ ଭାରତର ସମ୍ପର୍କ ଭଲ ରହିଛି। ପାକିସ୍ତାନ କେବଳ ଦେଖେଇ ହେବା ପାଇଁ ଯୁଦ୍ଧ କଥା କହୁଛି’’, କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ଶ୍ରୀ ରଥ ଆହୁରି କହିଛନ୍ତି ଯେ ପାକିସ୍ତାନକୁ ଏବେ ପିଓକେ ଭୟ ଘାରିଛି। ଏଣୁ ନିଜର ଆତ୍ମରକ୍ଷା ପାଇଁ ପାକିସ୍ତାନର ନେତୃବୃନ୍ଦ ଏଭଳି ମନ୍ତବ୍ୟ ଦେଉଛନ୍ତି। ତାଛଡ଼ା ବର୍ତ୍ତମାନ ସ୍ଥିତିରେ କୌଣସି ରାଷ୍ଟ୍ରରେ ଯୁଦ୍ଧ ହେବା ଠିକ୍‌ ନୁହେଁ।

ଅଗଷ୍ଟ ୫ରେ ରାଜ୍ୟସଭା ଏବଂ ୬ ତାରିଖରେ ଲୋକସଭାରେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହେବା ପରେ ଧାରା ୩୭୦ ଉଛେଦ ହୋଇଥିଲା। ଏହାପରେ ପାକିସ୍ତାନ ଛାତି ଧଡ୍‌ ଧଡ୍‌ ହୋଇଥିଲା। କାରଣ କଥା କଥାକେ କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି କରୁଥିଲା। ୩୭୦ ଉଛେଦ ହେବା ପରେ ପାକିସ୍ତାନର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା।

୩୭୦ ଉଛେଦ ହେବା ପରେ ଇମ୍ରାନ ସରକାର ପାକିସ୍ତାନ ସଂସଦରେ ଡାକିଥିଲେ ମିଳିତ ଅଧିବେଶନ। ଏହି ଅଧିବେଶନରେ ଇମ୍ରାନ ଭାରତର ଆଭିମୁଖ୍ୟକୁ ନିନ୍ଦା କରିଥିଲେ। ଧାରା ୩୭୦ ଉଛେଦକୁ ଏକତରଫା ନିଷ୍ପତ୍ତି କରି ପାକ୍ ବୈଦେଶିକ ମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦକୁ ଚିଠି ଲେଖିଥିଲେ।

ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ପାକିସ୍ତାନ ଚିଠିର ଉତ୍ତର ଦେଇଥିଲେ। କହିଥିଲେ କଶ୍ମୀର ହେଉଛି ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଏଣୁ ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିବା ଅନୁଚିତ।

ଏହାପରେ ପୁଣି ପାକିସ୍ତାନ କୁଟତୀନକ ଚାଲ୍‌ ଖେଳିଥିଲା। ଚୀନର ସହାୟତା ଲୋଡ଼ିଥିଲା ପାକ୍‌। ଚୀନ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଭ୍ୟ ହୋଇଥିବାରୁ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲା।

ଚୀନର ଦାବି ଅନୁସାରେ ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ୱାର ବୈଠକ ବସିଥିଲା। ହେଲେ ୠଷ୍‌ ଭାରତକୁ ସମର୍ଥନ କରିବାରୁ ଚୀନର ଦାବି ଅଗ୍ରାହ୍ୟ ହୋଇଥିଲା। ପାକିସ୍ତାନ ହଟହଟା ହୋଇଥିଲା।

ଇମ୍ରାନ ଖାନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ହେଲେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ସବୁ ଗଣିତ ବଦଳି ଯାଇଥିଲା। ଟ୍ରମ୍ପକୁ ମୋଦି ସାକ୍ଷାତ କରି କଶ୍ମୀର ପ୍ରସଙ୍ଗରେ ବୁଝାଇଥିଲେ। ଶେଷରେ ଟ୍ରମ୍ପ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଇମ୍ରାନଙ୍କୁ ଆଉ ଏକ ଝଟ୍‌କା ଲାଗିଥିଲା। ସବୁଆଡୁ ନିରାଶ ହେବା ପରେ ପାକିସ୍ତାନ ଏବେ ଯୁଦ୍ଧ କଥା କହୁଛି।

‘‘ପ୍ରକୃତରେ ଦେଖିବାକୁ ଗଲେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷା ସେଭଳି କିଛି ଗୁରୁତ୍ୱ ନୁହେଁ। ଗଣମାଧ୍ୟମରେ ହଟଚମଟ ସୃଷ୍ଟି କରିବା ପାଇଁ ପାକିସ୍ତାନ ଏଭଳି ନାଟକ ପରିବେଷଣ କରୁଛି। ବାସ୍ତବ କ୍ଷେତ୍ରରେ ଅନେକ ଦେଶ କଶ୍ମୀର ମାମଲାରେ ଭାରତକୁ ସମର୍ଥନ କରିବା ପରେ ପାକିସ୍ତାନ ହତୋତ୍ସାହିତ ହୋଇ ଏଭଳି ପଦକ୍ଷେପ ନେଇଛି। କଶ୍ମୀର ଘଟଣାକୁ ଆନ୍ତର୍ଜାତିକକରଣ ପାଇଁ ପାକିସ୍ତାନ ଏକ ଯୁଦ୍ଧର କାଳ୍ପନିକ ପରିବେଶ ସୃଷ୍ଟି କରିଛି’’, କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ ଭାସ୍କର ପରିଚ୍ଛା।

ଶ୍ରୀ ପରିଚ୍ଛା ଆହୁରି କହିଛନ୍ତି ଯେ ପାକିସ୍ତାନ ସେନା ପକ୍ଷରୁ ସୀମାନ୍ତରେ ବ୍ୟାପକ ସୈନ୍ୟ ମୁତୟନ ମଧ୍ୟ କରାଯାଇଛି। ଗୁଇନ୍ଦା ଖବର ଅନୁସାରେ ପାକିସ୍ତାନ ପକ୍ଷରୁ ୩୦୦ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପଠାଇବାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପରିସ୍ଥିତିରେ ପାକିସ୍ତାନକୁ କଡ଼ା ଜବାବ ଦିଆଯିବ ବୋଲି ଭାରତ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚାରିଆଡ଼ୁ ହତାଶ ହେବା ପରେ ପାକିସ୍ତାନ ଏବେ ପରମାଣୁ ଯୁଦ୍ଧର ଧମକ ଦେଇଛି। ତେଣେ ପାକିସ୍ତାନର ଆଭ୍ୟନ୍ତରୀଣ ଅବସ୍ଥା ଖୁବ୍ ଖରାପ ଓ ସେ ଦେଶର ଅର୍ଥନୀତି ଦେବାଳିଆ ହୋଇ ପଡ଼ିଛି।

‘‘ଭାରତ ପାକିସ୍ତାନ ମଧ୍ୟରେ ପଞ୍ଚମ ଓ ଶେଷ ଥର ପାଇଁ ଯୁଦ୍ଧ ହେବ ବୋଲି ଇମ୍ରାନ ଖାନ୍‌ଙ୍କ ରେଳ ମନ୍ତ୍ରୀ ଶେଖ ରସିଦ ଯାହା କହିଛନ୍ତି ତାକୁ ହାଲୁକା ଭାବରେ ବି ନିଆଯିବା ଉଚିତ ନୁହେଁ। ଭାରତ ପକ୍ଷରୁ ପାକିସ୍ତାନକୁ ଜବାବ ଦେବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସୀମାନ୍ତରେ ଆଉ ଏକ ଯୁଦ୍ଧ ହେବ ତାହାର ସମ୍ଭାବନା ବହୁତ କମ୍‌। ଯଦି ବି ପାକିସ୍ତାନ ନିଜ ଆଡୁ ତାହା କରେ ଏକ ମସ୍ତବଡ ଭୁଲ କରି ବସିବ ଏହା  ମନେ ରଖିବା ଉଚିତ’’, କହିଛନ୍ତି ଭାସ୍କର ପରିଚ୍ଛା।

Comment