ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁରରେ ଲାଞ୍ଚ ନେବା ମାମଲାରେ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ସାଢେ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜୟପୁର ଭିଜିଲାନ୍ସ କୋର୍ଟ। ୨୦୧୨ ମସିହାରେ ଗୁଣୁପୁର ବ୍ଲକର ବିଡିଓ(ବ୍ଲକ ମଙ୍ଗଳ ଅଧିକାରୀ) ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତେବେ ଶନିବାର ଜୟପୁର ଭିଜିଲାନ୍ସ କୋର୍ଟ ଏହି ମାମଲାର ରାୟ ଦେଇ ସାଢେ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

କନ୍ଧମାଳ ଜିଲ୍ଲାର କେ ନୂଆଗାଁ ଗ୍ରାମର ଗୋଦାବରିଶ ସେଠୀ ରାୟଗଡ଼ା ଜିଲ୍ଲା ଗୁଣୁପୁରର ବିଡିଓ ୨୦୧୨ ମସିହାରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଗୁଣୁପୁର ବ୍ଲକର ଶ୍ୟାମ ଶବରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଗୋଦାବରିଶ।

ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଶ୍ରୀକାନ୍ତ ମିଶ୍ର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟର ଶୁଣାଣି କରିଛନ୍ତି। ରାୟରେ ଅଭିଯୁକ୍ତ ଗୋଦାବରିଶ ସେଠିଙ୍କୁ ସାଢେ ୩ ବର୍ଷ ଜେଲ ଦଣ୍ଡ ସହ ୪୦ ହଜାର ଟଙ୍କା ଆର୍ଥିକ ଜୋରିମାନାର ଦଣ୍ଡାଦେଶ ଶୁଣାଇଛନ୍ତି।

ଠିକ୍‌ ସମୟରେ ଅର୍ଥ ପୈଠ କରାନଗଲେ ୬ ମାସର ଅତିରିକ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହା ପରେ ଦୋଷୀ ଗୋଦାବରିଶ ସେଠୀଙ୍କୁ ରାୟଗଡ଼ା ଜେଲକୁ ପଠାଇ ଦିଆଯାଇଛି।

Comment