ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: ଲାଞ୍ଚ ନେଇ ଧରାପଡ଼ିଥିବା ଥାନା ଅଧିକାରୀଙ୍କୁ ୫ ବର୍ଷ ଜେଲଦଣ୍ଡ। ବୁଧବାର ଜୟପୁର ଭିଜିଲାନ୍ସ କୋର୍ଟରେ ଏକ ଲାଞ୍ଚ ନେବା ମାମଲାର ଶୁଣାଣି ହୋଇଛି। ଭିଜିଲାନ୍ସ ଜଜ ଶ୍ରୀକାନ୍ତ ମିଶ୍ର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଥାନା ଅଧିକାରି ନୀଳକଣ୍ଠ ମହାପାତ୍ରଙ୍କୁ ଅର୍ଥ ଦଣ୍ଡ ସହ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ବର୍ତ୍ତମାନ ନୀଳକଣ୍ଠ ମହାପାତ୍ର ମୟୁରଭଞ୍ଜ ଆଇସିଏଡବ୍ଲୁ ବିଭାଗରେ ଇନ୍ସପେକ୍ଟର ଭାବେ କାଯ୍ୟ କରୁଛନ୍ତି। ସେ ହେଉଛନ୍ତି କଟକ ଜିଲ୍ଲା ତୁଳସୀପୁର ମଠ କଲୋନୀର ବାସିନ୍ଦା।

୨୦୧୦ ମସିହାରେ ନୀଳକଣ୍ଠ ମହାପାତ୍ର ରାୟଗଡ଼ା ଜିଲ୍ଲା ବିଷମକଟକ ଥାନାରେ ଆଇଆଇସି ଭାବେ ଭାବେ କାର୍ଯ୍ୟ କରୁଥିଲେ। ଆଇଆଇସି ଦାୟିତ୍ୱରେ ଥିବା ବେଳେ ସେ ଉକ୍ତ ଅଞ୍ଚଳର ରାଧାକାନ୍ତ ଦାଶଙ୍କଠାରୁ ଜମି ବିବାଦର ସମାଧାନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ ମାମଲାରେ ଫସାଇ ଜେଲ ପଠାଇବାକୁ ଧମକ ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଏନେଇ ରାଧାକାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ତେବେ ଥାନା ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌କୁ ଦେଖି ଦୌଡ଼ିବାକୁ ଲାଗିଥିଲେ। ହେଲେ ଆଇଆଇସିଙ୍କୁ ଧରିବାରେ ଟିମ୍‌ ସଫଳ ହୋଇଥିଲା। ସେବେଠାରୁ ଜୟପୁର ଭିଜିଲାନ୍ସ କୋର୍ଟରେ ଏହାର ଶୁଣାଣି ଚାଲିଥିଲା। ବୁଧବାର ଏହି ମାମଲାର ରାୟ ପ୍ରକାଶ ପାଇଛି।

କୋର୍ଟ ଅଭିଯୁକ୍ତ ନୀଳକଣ୍ଠ ମହାପାତ୍ରଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଆର୍ଥକ ଜରିମାନାରେ ଦଣ୍ଡିତ କରିଛନ୍ତି। ଅର୍ଥ ଅନାଦୟ ହେଲେ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଏମ୍‌ ବାଲାଜି ରାଓ ପରିଚାଳନା କରିଥିଲେ।

Comment