ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚର ଦ୍ଵିତୀୟ ଦିନରେ ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଓ୍ଵେଷ୍ଟଇଣ୍ଡିଜ ଦଳ। ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଓ୍ଵେଷ୍ଟଇଣ୍ଡିଜ ୭ ଓ୍ଵିକେଟ ହରାଇ ୮୭ ରନ କରିଛି। ତେବେ ବୁମରା ଗୋଟିଏ ଦିନରେ ୬ ଓ୍ଵିକେଟ ହାସଲ କରି ଓ୍ଵେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି।

ପ୍ରଥମେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଓ୍ଵେଷ୍ଟଇଣ୍ଡିଜ ଦଳ। ଆରମ୍ଭରୁ ଭାରତ ଭଲ ଆରମ୍ଭ କରି ପାରିନଥିଲା। ପ୍ରଥମରୁ ଲୋକେଶ ରାହୁଲ ୧୩ ରନ କରି ପାଭିଲିୟନ ଫେରିଯାଇଥିଲେ। ପରବର୍ତ୍ତୀ ଓ୍ଵିକେଟରେ ଯୋଗ ଦେଇଥିବା ଚେତେଶ୍ଵର ପୂଜାରା ମଧ୍ୟ ବିଫଳ ହୋଇଥିଲେ। ହେଲେ ତୃତୀୟ ଓ୍ଵିକେଟରେ ୟୋଗ ଦେଇ ବିରାଟ କୋହଲି ଓ ମୟଙ୍କ ଅଗ୍ରଓ୍ଵାଲ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ।

ଦଳୀୟ ସ୍କୋର ୧୫୩ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ୫୫ ରନ କରି ଆଉଟ ହୋଇଯାଇଥିଲେ। ପରେ ଆଜ୍ୟିଙ୍କ ରାହାଣେ ମଧ୍ୟ ବିଫଳ ହୋଇଥିଲେ। ପରେ ବିରାଟ କୋହଲିଙ୍କ ସହ ହନୁମା ବିହାରୀ ପାଳି ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୨୦୨ ହୋଇଥିବା ବେଳେ ବିରାଟ ବ୍ୟକ୍ତିଗତ ୭୬ ରନ କରି ଆଉଟ ହୋଇଥିଲେ। ଏହା ପରେ ହନୁମା ବିହାରୀଙ୍କ ଦମଦାର ଶତକ ଓ ଇଶାନ୍ତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଦଳ ୪୧୬ ରନ କରିଥିଲା।

ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ବୁମରା ଓ୍ଵେଷ୍ଟଇଣ୍ଡିଜର ଟପ ଅର୍ଡରର ୫ଟି ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ଦଳକୁ ଧରାଶାୟୀ କରିଥିଲେ। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କୌଣସି ବି ବ୍ୟାଟ୍ସମ୍ୟାନ ସପଳ ହୋଇ ପାରିନଥିଲେ। ଫଳରେ ଦଳ ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ୭ ଓ୍ଵିକେଟ ହରାଇ ୮୭ ରନ କରିଛି।

Comment