ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୁରୀ ଚାଲିଥିବା ଉଚ୍ଛେଦ କାର୍ଯ୍ୟକୁ ନାପସନ୍ଦ କଲେ ତଥାଗତ।

ଦୀର୍ଘ ଦିନର ନୀରବତା ପରେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ତଥାଗତ ସତପଥୀ। ଏଥର ସେ କୌଣସି ରାଜନୀତିକ ପ୍ରସଙ୍ଗକୁ ନେଇ ନୁହେଁ, ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟକୁ ନେଇ ତଥାଗତ ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ରେ ତଥାଗତ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନାହାନ୍ତି।

‘‘ପୁରୀ ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ବେଆଇନ ନୁହେଁ। ଏହା ନିଶ୍ଚିତ ଭାବେ ଆମ ସଂସ୍କୃତି ବିରୋଧୀ ଏବଂ ଦାୟିତ୍ୱହୀନତାର ପରିଚୟ ଦେଉଛି। ଶହ ଶହ ବର୍ଷର ପୁରୁଣା ମଠ ଓ କୋଠାକୁ ସଂରକ୍ଷଣ କରିବା ବଦଳରେ ଏହାକୁ ଭାଙ୍ଗି ଦିଆଯାଉଛି। ରୋମ୍‌ ଭଳି ସଂରକ୍ଷଣ ନକରି ବନାରସ ଷ୍ଟାଇଲରେ ଉଚ୍ଛେଦ କରାଯାଉଛି’’, ଏହା ଲେଖିଛନ୍ତି ତଥାଗତ।

ଗତ ଦୁଇଦିନ ତଳେ ମଠ ଉଚ୍ଛେଦକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପୁରୀରେ ଯେଉଁଭଳି ଉଚ୍ଛେଦ ଚାଲିଛି ତାହା ଠିକ୍ ନୁହେଁ ବୋଲି କହିଥିଲେ ଶଙ୍କରାଚାର୍ଯ୍ୟ। ଏ ସମ୍ପର୍କିତ ଖବରକୁ ତଥାଗତ ନିଜ ଟୁଇଟ୍‌ରେ ଆଟାଚ୍‌ କରି ସରକାରଙ୍କୁ ଘେରିଥିବା କୁହାଯାଉଛି।

ଗତ ସପ୍ତାହେ ହେଲା ପୁରୀରେ ଯେଉଁ ଉଚ୍ଛେଦ ଚାଲିଛି ତାହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ହିଁ ହେଉଛି। ପୁରୀ ଜିଲ୍ଲା ପ୍ରଶାସନ ଏହି ଉଚ୍ଛେଦକୁ ଜୋରଦାର କରିଛି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀ ସହରକୁ ସୁନ୍ଦର ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

ପୁରୀରେ ଚାଲିଥିବା ଉଚ୍ଛେଦକୁ ଶାସକ ଦଳର କୌଣସି ନେତା ବିରୋଧ କରି ନଥିବା ବେଳେ ତଥାଗତ ସୋସିଆଲ ମିଡିଆରେ କାହିଁକି ତୀର ମାରିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୯ ନିର୍ବାଚନ ପାଇଁ ଯେତେବେଳେ ଟିକେଟ ବଣ୍ଟନ ହେଉଥିଲା ସେତେବେଳେ ହିଁ ତଥାଗତ ନିଜ ଆଡୁ ଟିକେଟକୁ ନା କହିଥିଲେ। ନିର୍ବାଚନ ରାଜନୀତିରୁ ଦୂରେଇ ରହିଥିଲେ। ଏହାପରଠୁ ତଥାଗତ ଚର୍ଚ୍ଚାକୁ ଆସି ନଥିଲେ।

ନିର୍ବାଚନ ରାଜନୀତିରୁ ଦୂରେଇ ରହିଥିବା ତଥାଗତ ଆଜିଯାଏଁ ବିଜେଡି ଛାଡ଼ି ନାହାନ୍ତି। ସେ ଏବେ ବି ବିଜେଡିର ଜଣେ ବରିଷ୍ଠ ନେତା। ତଥାଗତ ଯେଉଁ ଦଳରେ ଅଛନ୍ତି ସେହି ଦଳ ନେତୃତ୍ୱରେ ସରକାର ଚାଲିଛି। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ପଞ୍ଚମ ପାଳିର ସରକାର ପୁରୀ ସହରର ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହୁଛନ୍ତି। ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ କରୁଛନ୍ତି। ହେଲେ ଶାସକ ଦଳର ନେତା ତଥାଗତ ସତପଥୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀରେ ଯେଉଁ ଉଚ୍ଛେଦ ଚାଲିଛି ତାହାକୁ ସେ ନାପସନ୍ଦ କରିଛନ୍ତି। ସିଧାସଳଖ ନହେଲେ ବି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଭୁଲ୍ କହିଛନ୍ତି ରାଜ୍ୟ ସରକାର।

LEAVE A REPLY

Please enter your comment!
Please enter your name here