ଓଡ଼ିଶାଲାଇଭ ବ୍ୟୁରୋ

ଆଜି କରିଥାନ୍ତେ ଗଣେଶ ପୂଜା। ହେଲେ ତା ପୂର୍ବରୁ ଆଖିବୁଜି ଦେଲେ ନବମ ଶ୍ରେଣୀର ଛାତ୍ରୀ ସଜଲ ବଳ। ଗଛ ପଡ଼ି ଗୁରୁତର ଆହତ ହୋଇଥିବା କେନ୍ଦ୍ରାପଡ଼ା କଜଳା ଅଞ୍ଚଳ ନବମ ଶ୍ରେଣୀ ଛାତ୍ରୀ ଶଜଲ ବଳଙ୍କ ଆଜି ମୃତ୍ୟୁ ହୋଇଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।

କେନ୍ଦ୍ରାପଡ଼ା ଜିଲ୍ଲା କଜଳା ଅଞ୍ଚଳର ଶିଶିର ବଳଙ୍କ ଝିଅ ସଜଲ ବଳ ରବିବାର ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ କଲେଜଛକ ନିକଟସ୍ଥ ଅର୍ବାନ ବ୍ୟାଙ୍କ ପରିସରରେ କଟାଯାଉଥିବା ଏକ ଝାଉଁ ଗଛ ତାଙ୍କ ଉପରେ ପଡ଼ିଯାଇଥିଲା। ଗଛଟି ଶଜଲଙ୍କ ମୁଣ୍ଡ ଉପରେ ପଡ଼ିଯିବାରୁ ସେ ଜୋର୍‌ରେ ଚିତ୍କାର କରିଥିଲେ। ଫଳରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କେନ୍ଦ୍ରପଡ଼ା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ ଓ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ତେବେ ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ସାରା କେନ୍ଦ୍ରାପଡ଼ା ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତଦେହ କଟକରୁ କେନ୍ଦ୍ରାପଡ଼ା ଆସିବା ପରେ ସ୍ଥାନୀୟ ଲୋକ ଓ ପରିବାର ଶଜଲଙ୍କ ମୃତଦେହକୁ ଅର୍ବାନ ବ୍ୟାଙ୍କ ସମ୍ମୁଖରେ ରଖି ଧାରଣାରେ ବସିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା।

ଧାରଣା ପରେ ବ୍ୟାଙ୍କର ଚାରିଟେବୁଲ ଫଣ୍ଡରୁ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଓ ମୃତ ସଜଲଙ୍କ ବଡ଼ ଭଉଣୀକୁ ଅର୍ବାନ ବ୍ୟାଙ୍କରେ ଚାକିରୀ ଦେବାକୁ ନିଷ୍ପତ୍ତି ହୋଇଛି। ଏହାସହ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୃତି ମିଳିବା ପରେ ସ୍ଥାନୀୟ ଲୋକ ଧାରଣାରୁ ଉଠିଛନ୍ତି।

Comment