ଓଡ଼ିଶାଲାଇଭ୍ ବ୍ୟୁରୋ
ଲଙ୍ଗୁଳି, ମଙ୍ଗୁ ଏବଂ ରଘୁନନ୍ଦନ ପାଠାଗାର ଉଚ୍ଛେଦ ସୁରୁଖୁରୁରେ ହେବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ବେଳେ ପ୍ରସାଶନକୁ ନାକେଦମ୍ ହେବାକୁ ପଡ଼ିଛି। ଦୀର୍ଘ ୫୦୦ ବର୍ଷର ଐତିହ୍ୟ ଏହି ମଠକୁ ପ୍ରଶାସନ ଭାଙ୍ଗିବା ବେଳେ ନାକେଦମ୍ ହେବାକୁ ପଡ଼ିଥିଲା।
ପୁରୀ ଶ୍ରୀମନ୍ଦୀର ଚାରିପଟୁ ୭୫ ମିଟରରେ ଏହି ମଠ ବି ଆସୁଛି। କିନ୍ତୁ ମଠ ବିପଦସଙ୍କୁଳ ଅବସ୍ଥାରେ ନାହିଁ ଦର୍ଶାଇ ମଠ ମହନ୍ତ ଏହି ଉଚ୍ଛେଦକୁ ବିରୋଧ କରିଛନ୍ତି।
୧୪୦୨ ମସିହାରେ ନିର୍ମିତ ହୋଇଥିଲା ବଡ଼ ଆଖଡ଼ା ମଠ। ରାଜ୍ୟ ବାହାରେ ଥିବା କେତେକ ନାଗା ସାଧୁଙ୍କ ସହାୟତାରେ ଏହି ମଠ ନିର୍ମାଣ ହୋଇଥିଲା। ସେବେଠୁ ସେମାନଙ୍କ ସହାୟତାରେ ଏହି ମଠ ପରିଚାଳିତ ହୋଇ ଆସୁଛି।
ସେତେବେଳେ ମୋଗଲମାନେ ବାରମ୍ବାର ଶ୍ରୀମନ୍ଦିର ଉପରେ ଆକ୍ରମଣ କରୁଥିଲେ। ସେହି ସମୟରେ ଏହି ମଠକୁ ନିର୍ମାଣ କରାଯାଇଥିଲା।
ସେ ସମୟରେ ଅଯୋଧ୍ୟାରେ ବାସ କରୁଥିବା ପ୍ରାୟ ୫୦ ହଜାର ନାଗା ସାଧୁ ପୁରୀରେ ଆସି ଅବସ୍ଥାପନ କରିଥିଲେ। ଏହି ନାଗା ସାଧୁମାନେ ଦୀର୍ଘ ୧୪ ବର୍ଷ ଯାଏଁ ଶ୍ରୀମନ୍ଦିରକୁ ମୋଗଲମାନଙ୍କ ଆକ୍ରମଣରୁ ରକ୍ଷା କରିଥିଲେ। ସେତେବେଳେ ଏହି ମଠ ନିର୍ମାଣ କରାଯାଇ ବୈଶମ୍ୟ ନାଗା ସାଧୁ ମଠ ନାମରେ ପରିଚିତ ଥିଲା। ପରେ ଏହାର ନାମ ବଡ଼ ଆଖଡ଼ା ମଠରେ ନାମିତ ହୋଇଥିଲା।
ରଥଯାତ୍ରା ଓ ଦୋଳପୂର୍ଣ୍ଣିମା ସହ ବଡ଼ ଆଖଡ଼ା ମଠର ରହିଛି ବିଶେଷ ସମ୍ପର୍କ। ଗୁଣ୍ଡିଚା ମନ୍ଦିର ଡାହାଣ ପାର୍ଶ୍ଵରେ ରହିଥିବା ବିସ୍ତୃତ ଜାଗାରେ ନାଗା ସାଧୁମାନେ ରହୁଥିଲେ। ରଥଯାତ୍ରା ସମୟରେ ଏହି ସାଧୁମାନେ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିଲେ। ବଡ଼ଦାଣ୍ଡରେ ବାଲି ଥିବାରୁ ରଥ ଟାଣିବାରେ ଅସୁବିଧା ହେଉଥିଲା। ତେଣୁ ହାତୀମାନେ ଠାକୁରଙ୍କ ରଥକୁ ଭିଡି ନେଉଥିଲେ।
ବଡ଼ ଦେଉଳ ସହିତ ବି ମଠର ବିଭିନ୍ନ ପରମ୍ପରା ଜଡ଼ିତ ହୋଇ ରହିଛି। ଦୀର୍ଘ ବହୁ ବର୍ଷ ଧରି ମହାପ୍ରଭୁଙ୍କର ବିଭିନ୍ନ ସେବା କାର୍ଯ୍ୟରେ ଲିପ୍ତ ହୋଇ ରହିଛି ବଡ଼ ଆଖଡ଼ା ମଠ। ଦଶହରା ଦିନ ତିନି ଆଖଡ଼ାର ତିନି ନିଶାଣ ବଡ଼ ଦେଉଳ ସମ୍ମୁଖରେ ଥିବା ଗରୁଡ଼ ସ୍ତମ୍ଭ ଆଗରେ ଠିଆ ହୁଅନ୍ତି। ଏହାପରେ ଜଗନ୍ନାଥଙ୍କ ମଣ୍ଡପରେ ଥିବା ପୂଜାପଣ୍ଡା ତିନି ନିଶାଣକୁ ତିନି ଗୋଟି ଆଜ୍ଞାମାଳ ପ୍ରଦାନ କରନ୍ତି।
ଆଜ୍ଞାମାଳ ଗ୍ରହଣ କରି ମନ୍ଦିରର ଦକ୍ଷିଣ ଦ୍ଵାର ଦେଇ ମନ୍ଦିର ପରିକ୍ରମା ସାରି ବଡ଼ ଆଖଡ଼ାକୁ ଫେରିଥାଆନ୍ତି ତିନି ନିଶାଣ। ନବମୀ ସନ୍ଧ୍ୟାରେ ବି ଆଖଡ଼ାର ତିନ ନିଶାଣଙ୍କ ଆଡ଼ପ ମଣ୍ଡପ ଦର୍ଶନ ପରେ ସାଧାରଣ ଜନତାଙ୍କୁ ଦର୍ଶନ ସୁଯୋଗ ମିଳେ। ଯଦିଓ ପ୍ରଶାସନ ଦ୍ଵାରା ଏହି ୫୦୦ ବର୍ଷ ପୁରାତନ ପରାମ୍ପରାକୁ ପୂର୍ବଭଳି ଅଗ୍ରାଧିକାର ଦିଆଯାଉନାହିଁ, ତଥାପି ମଠ ଦ୍ୱାରା ଆଜି ବି ଏହି ନୀତିକୁ ସେହିଭଳି ପାଳନ କରାଯାଉଛି।