ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଶୀ ନୃତ୍ୟରେ ବିଭୋର ହେଲେ ଦର୍ଶକ।

ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଦ୍ୱିତୀୟ ସନ୍ଧ୍ୟାରେ ବଂଶୀ, ମାଣ୍ଡୋଲିନ ଓ ବେହେଲା ବାଦନ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ଼ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା।

ପାରସ ନାଥଙ୍କ ଦ୍ୱାରା ବଂଶୀ, ୟୁ ରାଜେସଙ୍କ ଦ୍ୱାରା ମାଣ୍ଡୋଲିନ ଓ ଦୀପକ ପଣ୍ଡିତଙ୍କ ଦ୍ୱାରା ବେହେଲା ବାଦନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ସମନ୍ୱୟରେ ଦେଖିବାକୁ ମିଳିଥିଲା ଏକ ଚମତ୍କାର କାର୍ଯ୍ୟକ୍ରମ।ସେମାନଙ୍କୁ ତବଲାରେ ସହଯୋଗ କରିଥିଲେ ପ୍ରଶାନ୍ତ ସୋନାଗ୍ରା।

ଦ୍ୱିତୀୟ କାର୍ଯ୍ୟକ୍ରମଟି ଥିଲା ଗୁରୁ ପିତାମ୍ବର ବିଶ୍ୱାଳଙ୍କ ସୁରଭି ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶଣ। ସେମାନଙ୍କ ପ୍ରସ୍ତୁତିରେ ଥିଲା ‘ସୂର୍ଯ୍ୟାଷ୍ଟକମ’। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୂର୍ଗା ଚରଣ ରଣବୀର, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ, ତାଳ ସଂଯୋଜନା କରିଥିଲେ ନିରଞ୍ଜନ ପାତ୍ର। ଦଳଗତ ନୃତ୍ୟ ପରିବେଶଣରେ ସାହାଯ୍ୟ କରିଥିଲେ ଗୁରୁ ପିତାମ୍ବର ବିଶ୍ୱାଳ।

ସନ୍ଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଗୁରୁ ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ। ସେମାନଙ୍କର ପ୍ରସ୍ତୁତିରେ ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶୀ ନୃତ୍ୟାଭିନୟ ‘ଅହିଂସା’।

ଏହି ଓଡ଼ିଶୀ ନୃତ୍ୟକୁ ଦର୍ଶକମାନଙ୍କ ସାମ୍ନାକୁ ଆଣିଥିଲେ ଗୁରୁ ଅରୁଣା ମହାନ୍ତି। ଯାହାର ସଂଳାପ ପ୍ରସ୍ତୁତ କରିଥିଲେ କେଦାର ମିଶ୍ର ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ। ଏକ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ଭିତ୍ତିକ ପରିବେଶଣକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ଉପଭୋଗ କରିଥିଲେ।

ଆଜି ସନ୍ଧ୍ୟା ଉତ୍ସବର ଅତିଥି ଥିଲେ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦ୍ୟାସା ଶତପଥୀ ଏବଂ ସୃଜନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ।

LEAVE A REPLY

Please enter your comment!
Please enter your name here