ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍ ବିଶ୍ୱଦ୍ୟାଳୟକୁ ମିଳିଛି ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ର ମାନ୍ୟତା। ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଓ ପୂର୍ବ ଭାରତର ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ୍‌କୁ ଏହି ମାନ୍ୟତା ମିଳିଛି।

କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯିବ। ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ସୂଚନା ଦେଇଛନ୍ତି।

“ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ” ମାନ୍ୟତା କିଟ୍ ବିଶ୍ୱବିଦ୍ୟାଳୟକୁ ଏକ ସଫଳ ଅନୁଷ୍ଠାନର ସ୍ୱୀକୃତି ଦେଇଛି। ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ମାନ୍ୟତା ପାଇବାରେ କିଟ୍ ହେଉଛି ସର୍ବ କନିଷ୍ଠ ଅନୁଷ୍ଠାନ।

 

ମାତ୍ର ୫ହଜାର ଟଙ୍କା ଭଡ଼ା ଘରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଦିନେ ‘ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ଭଳି ବିଶ୍ୱସ୍ତରୀୟ ମାନ୍ୟତା ପାଇପାରିଛି ବୋଲି କହି ଖୁସି ପ୍ରକଟ କରିଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏନ୍.ଗୋପାଳସ୍ଵାମୀ ଅଧ୍ୟକ୍ଷତାରେ ୫ଜଣ ଶିକ୍ଷାବିତଙ୍କୁ ନେଇ ଏକ ଉଚ୍ଚସ୍ଥରୀୟ ବିଶେଷଜ୍ଞ କମିଟି ଗଠନ ହୋଇଥିଲା। ଏହି ମାନ୍ୟତା ପାଇଁ ଆବେଦନ କରିଥିବା ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ନିଜର ଅନୁଷ୍ଠାନ ସଂପର୍କରେ ସମସ୍ତ ବିବରଣୀ ପ୍ରଦାନ କରିବାକୁ ନୂଆଦିଲ୍ଲୀରୁ ଚିଠି ଦିଆଗଲା।

କମିଟି ଚୟନ କରିଥିବା ୧୦ଟି ଘରୋଇ ଶିକ୍ଷାନୁଷ୍ଠାନ ଓ ୧୦ଟି ସରକାରୀ ଶିକ୍ଷାନୁଷ୍ଠାନକୁ “ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ” ମାନ୍ୟତା ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟ ୟୁଜିସିକୁ ସୁପାରିଶ କରାଯାଇଥିଲା। ଏହି ଭିତ୍ତିରେ ମନ୍ତ୍ରାଳୟ ପକ୍ଷରୁ ଦେଶର ୫ଟି ଘରୋଇ ଅନୁଷ୍ଠାନ ଓ ୫ଟି ସରକାରୀ ଶିକ୍ଷାନୁଷ୍ଠାନକୁ “ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ” ମାନ୍ୟତା ପ୍ରଦାନ କରାଯାଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଏବଂ କୁଳସଚିବ ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Comment