ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ‘ନିବେଶକ ଶିକ୍ଷା ଓ ସଚେତନତା’ ଉପରେ ରାଜ୍ୟସ୍ତରୀୟ ସମ୍ମିଳନୀ।

‘‘କ୍ଷୁଦ୍ର ନିବେଶକମାନଙ୍କ ପାଖରେ ପୁଞ୍ଜି ନିବେଶ ସମ୍ବନ୍ଧୀୟ ସବିଶେଷ ଜ୍ଞାନ ନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ବ୍ୟବସାୟ କରୁଥିବା ଅଧିକାଂଶ ଲୋକେ ପୁଞ୍ଜି ନିବେଶ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ଫଳରେ ସେମାନେ ବିଭିନ୍ନ ସମୟରେ ଠକାମୀର ଶିକାର ହେଉଛନ୍ତି। ଠକାମୀରେ ପଡ଼ି ସେମାନେ ସର୍ବସ୍ୱ ହରାଉଛନ୍ତି। ଏବେ ସେମାନେ ସଚେତନ ହେବାର ବେଳ ଆସିଛି’’, କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଭୁବନେଶ୍ୱରରେ ‘ନିବେଶକ ଶିକ୍ଷା ଓ ସଚେତନତା’ ଉପରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଲୋକମାନଙ୍କୁ ପୁଞ୍ଜି ନିବେଶ ପାଇଁ କିଭଳି ସଚେତନ କରାଯିବ ସେନେଇ ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ସଚିବ ଆଇ ଶ୍ରୀନିବାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେ କହିଥିଲେ, “ନିବେଶକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଉଛି। ନିବେଶକମାନଙ୍କୁ ଅଧିକ ସଚେତନ କରିବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି।”

ଶ୍ରୀନିବାସ ଆହୁରି କହିଥିଲେ ଯେ ତୃଣମୂଳ ସ୍ତରରେ କିଭଳି ଲୋକଙ୍କୁ ସମ୍ପୂର୍ଣ୍ଣ ଭାବେ ସଚେତନ କରାଯାଇପାରିବ ସେନେଇ ଆଇଇପିଏସ ସମ୍ପୂର୍ଣ୍ଣ ଧ୍ୟାନ ଦେବ। ଏନେଇ ଆଇଇପିଏସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି।

‘‘ବିକାଶ ନିମନ୍ତେ ବିନିଯୋଗ ଜରୁରୀ। ବିନିଯୋଗ ନିମନ୍ତେ କ୍ରୟ ଏବଂ କ୍ରୟ ପାଇଁ ବିକ୍ରୟ କରିବା ଜରୁରୀ। ସଠିକ୍ ନିବେଶ କରିବା ଆମମାନଙ୍କ ପାଇଁ ଏକ ବଡ ଆହ୍ୱାନ। କାରଣ ଏହି ପଦ୍ଧତିରେ ବହୁ ନିୟାମକ, ମଧ୍ୟସ୍ଥି ଏବଂ ବ୍ୟବସ୍ଥାପକ ସଂସ୍ଥାଗୁଡିକ ସଂଶ୍ଳିଷ୍ଟ। ନିବେଶକ ଶିକ୍ଷା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆମକୁ ଏକ ନେଟୱର୍କର ଆବଶ୍ୟକତା ରହିଛି। ନୂଆ ଟେକ୍ନୋଲୋଜିର ବହୁଳ ଉପଯୋଗ ଦ୍ୱାରା ଏହି କ୍ଷେତ୍ରରେ ହେଉଥିବା ଠକେଇକୁ ରୋକାଯାଇପାରିବ’’, କହିଥିଲେ ଶ୍ରୀନିବାସ।

ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଆଇସିଏଆଇର ସହଭାଗୀତାରେ ଆୟୋଜନ କରାଯାଇଥିଲା। ରାଜ୍ୟରେ ଥିବା ବିଭିନ୍ନ ବିତ୍ତୀୟ ଶିକ୍ଷାନୁଷ୍ଠାନ, ବୃତ୍ତିଗତ ଶିକ୍ଷାନୁଷ୍ଠାନ ଏବଂ ନିବେଶକ ଶିକ୍ଷା ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ନିବେଶକ ଶିକ୍ଷା ଓ ସଂରକ୍ଷଣ ପାଣ୍ଠି ପ୍ରାଧିକରଣ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଭୁବନେଶ୍ୱରରେ କରିବାକୁ ପ୍ରଥମ ଦଫାରେ ଚୟନ କରାଯାଇଥିଲା।

ସମସ୍ତଙ୍କ ସହଯୋଗରେ ଏହିପରି ଏକ ସୂଚନାଧର୍ମୀ ଓ ଉପାଦେୟ ସମ୍ମିଳନୀର ଆୟୋଜନ କରାଯାଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀ ତ୍ରିପାଠୀ ଆହୁରି କହିଥିଲେ ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଦେଶକୁ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାରେ ସାହାଯ୍ୟ କରିବ। ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର। ସମଗ୍ର ଦେଶରେ ମିଳୁଥିବା ଧାତବ ପଦାର୍ଥର ୩୦ ପ୍ରତିଶତ କେବଳ ଓଡିଶାରୁ ହିଁ ମିଳିଥାଏ। ଜନସାଧାରଣମାନଙ୍କ ମଧ୍ୟରେ ନିବେଶକ ନୀତି ଉପରେ ସଚେତନତା ସୃଷ୍ଟି ପାଇଁ ଆଇଇଏଫ୍‌ପିଏ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅତି ଉଚ୍ଚକୋଟୀର। ଗ୍ରାମୀଣ ଅର୍ଥନୀତି ବିକାଶ ଦିଗରେ ନିବେଶକ ଶିକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ନିବେଶକ ଶିକ୍ଷା ଉପରେ ସମସ୍ତଙ୍କୁ ସଚେତନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ସମୟ।

‘ସଚେତନ ଉପଭୋକ୍ତା ଜଣେ ଭଲ ନିବେଶକ’ ଶୀର୍ଷକ ବିଷୟ ଉପରେ ନୂଆଦିଲ୍ଲୀସ୍ଥିତ ଅନଇନ୍ ଫାଉଣ୍ଡେସନର ସଂସ୍ଥାପକ ପ୍ରଫେସର ବିଜନ କୁମାର ମିଶ୍ରା ନିଜର ମତ ରଖିଥିଲେ।

କର୍ପୋରେଟ୍‌ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ତଥା ଆଇଆଇଏଫ୍‌ପିଏର ମୁଖ୍ୟ ପରିଚାଳନା ଅଧିକାରୀ ମନୋଜ ପାଣ୍ଡେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଆଇଇଏଫ୍‌ପିଏ ଏବଂ ଏହାର ସହଯୋଗୀ ଅନୁଷ୍ଠାନଗୁଡ଼ିକ ଦ୍ୱରା ବିତ୍ତୀୟ ବ୍ୟବସ୍ଥାର ସୁପରିଚାଳନା ପାଇଁ ନିବେଶକ ଶିକ୍ଷା ଉପରେ ଜୋର୍‌ ଦିଆଯାଉଥିବା ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ଓଡ଼ିଶା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ, ଆଇସିଏଆଇର ସଭାପତି ପ୍ରଫୁଲ୍ଲ ପି. ଛାଜେଦ୍, ଆଇଇଏଫ୍‌ପିଏର ସଦସ୍ୟ ରାଜୀବ ଶେଖର ସାହୁ, ଏବଂ ସିସିଏମ୍‌ କେନ୍ଦ୍ରୀୟ ପରିଷଦ ସଦସ୍ୟ ପ୍ରକାଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

ଇନଷ୍ଟିଚ୍ୟୁଟ ଅଫ୍ କମ୍ପାନି ସେକ୍ରେଟାରୀଜ୍ ଅଫ୍ ଇଣ୍ଡିଆ, ଇନଷ୍ଟିଚ୍ୟୁଟ ଅଫ୍ କଷ୍ଟ୍ ଆକାଉଣ୍ଟସ୍‌ ଅଫ୍ ଇଣ୍ଡିଆ, ଏଫ୍ଆଇସିସିଆଇ, ସିଆଇଆଇ, ଆର୍‌ବିଆଇ, ଚ୍ୟାମ୍ବର୍ ଅଫ୍ କମର୍ସ, ଗ୍ରାମ ପଞ୍ଚାୟତ ପ୍ରତିନିଧି, ଗ୍ରାମୀଣ ଉଦ୍ୟୋଗପତି ଏବଂ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନର ଯୁବ ନେତୃବର୍ଗ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

Comment