ଓଡ଼ିଶାଲାଇଭ୍ ବ୍ୟୁରୋ

୫ବର୍ଷ ମଧ୍ୟରେ ସେୟାର ମାର୍କେଟରେ ସବୁଠାରୁ ଅଧିକ ସୂଚକାଙ୍କ ହ୍ରାସ ପାଇଛି। ଫଳରେ ନିବେଶକମାନେ ୫ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ସୋମବାର ଷ୍ଟକ୍ ମାର୍କେଟରେ ସୂଚକାଙ୍କ ଭାରି ମାତ୍ରାରେ ହ୍ରାସ ପାଇଛି। କୋରୋନା ଭାଇରସ୍‌ ପ୍ରଭାବରେ ସେନ୍‌ସେକ୍ସ ସୂଚକାଙ୍କ ୨୧ ଶହ ପଏଣ୍ଟ ହ୍ରାସ ପାଇ ରେକର୍ଡ ସୃଷ୍ଟି କରିଛି। ସେହିଭଳି ନିଫ୍ଟି ସୂଚକାଙ୍କ ମଧ୍ୟ ୫୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ବିଗତ ୫ବର୍ଷ ମଧ୍ୟରେ ଷ୍ଟକ୍ ମାର୍କେଟରେ ଏଭଳି ସୂଚକାଙ୍କ ହ୍ରାସ ପାଇନଥିଲା। ଷ୍ଟକ୍ ମାର୍କେଟର ଏଭଳି ସ୍ଥିତି ଯୋଗୁଁ ନିବେଶକମାନେ ପ୍ରାୟ ୫ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।

କୋରୋନା ଭାଇରସ ଯୋଗୁଁ ଚୀନ ଏବଂ ଜାପାନର ସେୟାର ବଜାରରେ ଏହାର ଭାରି ପ୍ରଭାବ ପଡ଼ିଛି। ସୋମବାର ଦିନ ଆରମ୍ଭରୁ ହିଁ ସେନ୍‌ସେକ୍ସ ସୂଚକାଙ୍କ ୧୫୧୫.୦୧ ପଏଣ୍ଟ ହ୍ରାସ ପାଇଥିଲା। ସେହିଭଳି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ହ୍ରାସ ପାଇ ୩୬,୦୬୧.୬୧ରେ ପହଞ୍ଚିଛି। ସେପଟେ ନିଫ୍ଟି ସୂଚକାଙ୍କ ହ୍ରାସ ପାଇ ୧୦,୫୭୨.୪୦କୁ ଖସି ଆସିଛି।

ଷ୍ଟକ୍‌ ମାର୍କେଟର ଏଭଳି ସ୍ଥିତି ଯୋଗୁଁ ନିବେଶକମାନେ ୪,୭୯,୮୨୦.୮୭ କୋଟି ଟଙ୍କା ହରାଇଛନ୍ତି ଏବଂ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ବଜାର ପୁଞ୍ଜିକରଣ ମୋଟ ୧କୋଟି ୩୯ଲକ୍ଷ ୩୯ହଜାର ୬୪୦.୯୬ କୋଟି ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ଶେଷ ଆଡ଼କୁ ୧କୋଟି ୪୪ଲକ୍ଷ ୩୧୨୨୪.୪୧ କୋଟି ଟଙ୍କା ଥିଲା।

କୋରୋନା ଭାଇରସ ଯୋଗୁଁ ଷ୍ଟକ ମାର୍କେଟ ମନ୍ଥର ଗତିରେ ଚାଲିଥିବାନେଇ ଅନୁମାନ କରିଛନ୍ତି ନିବେଶକ। ସେନ୍‌ସେକ୍ସରେ ପ୍ରମୁଖ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇଛି। ONGC, ରିଲାଏନ୍ସ, ଟାଟା ଷ୍ଟିଲ, ଏଲଏଣ୍ଡଟି, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଇନଫୋସିସ୍ ଆଦିର ସେୟାର ମୂଲ୍ୟ ହ୍ରାସ ପାଇଛି। ସେୟାର ବଜାରରେ ଅଶୋଧିତ ତୈଳର ମୂଲ୍ୟ ବି ହ୍ରାସ ପାଇଛି। ସେୟାର ମୂଲ୍ୟରେ ଅନିଶ୍ଚିତତାକୁ ଦେଖି ନିବେଶକମାନେ ଦେଖିଚାହିଁ ନିବେଶ କୁରଛନ୍ତି।

Comment