ଓଡ଼ିଶାଲାଇଭ୍ ବ୍ୟୁରୋ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ। କେତେକ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ଏନେଇ ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି।

୧୨ ତାରିଖ ସୁଦ୍ଧା ଭଦ୍ରକ, ଯାଜପୁର, ବାଲେଶ୍ବର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ୭୦ରୁ ୮୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖଠାରୁ ଉପକୂଳ ଓଡ଼ିଶାରେ ବର୍ଷା କମିବ।

ଘୂର୍ଣ୍ଣିବଳୟର ପ୍ରଭାବ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶା ଉପରେ ରହୁଥିବାରୁ ଆସନ୍ତା ଦୁଇ ଦିନ ବର୍ଷା ହେବ। ବୁଧବାର ରାତି ଓ ଗୁରୁବାର ସକାଳ ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ। ଗୁରୁବାର ଅପରାହ୍ନଠାରୁ ଉପକୂଳ ଓଡ଼ିଶାରେ ବର୍ଷା କମିବ। ତେବେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ। ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ୧୨ ଓ ୧୩ ତାରିଖରେ ବର୍ଷା ହେବ ଏବଂ ୧୪ ତାରିଖଠାରୁ ବର୍ଷା ପରିମାଣ କମିବ।

Comment