ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁଲ ଟିକା ନେବା ଯୋଗୁଁ ମୃତ୍ୟୁ ଅଭିଯୋଗ କରିଥିଲେ ପରିବାର।

ରାଉରକେଲାର ସେକ୍ଟର ୬ର କଲ୍ୟାଣି ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୦ ବର୍ଷର ଛାତ୍ରକୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଇଞ୍ଜେକ୍ସନ୍‌ ନେବା ପରେ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଲରେ ଟିକା ନେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକ।

କଲ୍ୟାଣି ବସ୍ତିର ସୁକାନ୍ତ ପ୍ରଧାନଙ୍କ ପୁଅ ସୁମନଜିତ ପ୍ରଧାନ (୧୦) ସେକ୍ଟର ୬ସ୍ଥିତ ମହିମା ଶିଶୁ ବିଦ୍ୟା ମନ୍ଦିରରେ ୫ମ ଶ୍ରେଣୀରେ ପଢ଼ୁଥିଲା। ଗୁରୁବାର ଦିନ ବିଭିନ୍ନ ବିଦ୍ୟାଳୟରେ ସରକାରୀ ଭାବେ ହେଉଥିବା ଟିକାକରଣ କାର୍ଯ୍ୟକ୍ରମ ହେଉଥିଲା। ଯେଉଁଥିରେ ୧୦ରୁ ୧୬ ବର୍ଷ ପିଲାମାନଙ୍କ ଟିଟାନସ୍‌ ଓ ଡିପଥେରିଆ ଇଞ୍ଜେକ୍ସନ ଦିଆଯାଉଥିଲା। ସୁମନ୍‌ଜିତ୍‌ ସମେତ ବିଦ୍ୟାଳୟର ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟିଡି ଇଞ୍ଜେକ୍ସନ ଦିଆଯାଇଥିଲା। ଇଞ୍ଜେକ୍ସନ ନେଇ ଘରକୁ ଫେରିବା ପରେ ସୁମନ୍‌ଜିତ୍‌ର କୌଣସି କାରଣରୁ ହଠାତ୍‌ ମୁଣ୍ଡ ବୁଲାଇବା ସହ ଅସୁସ୍ଥ ଅନୁଭବ କରିଥିଲା। ଗୁରୁତର ହୋଇପଡ଼ିବାରୁ ତାକୁ ସ୍ଥାନୀୟ ହସ୍ପିଟାଲକୁ ନେବା ବେଳେ ରାସ୍ତାରେ ଛାତ୍ରଟିର ମୃତ୍ୟୁ ଘଟିଥିଲା। ମୃତ୍ୟ ଖବର ପ୍ରସାରିତ ହେବା ପରେ ପରିବାର ସଦସ୍ୟ ସ୍ଥାନୀୟ ବାସିନ୍ଦା ହସ୍ପିଟାଲରେ ପହଞ୍ଚି ହଙ୍ଗାମା କରିଥିଲେ।

ପରିବାର ପକ୍ଷରୁ ସେକ୍ଟର-୭ ଥାନାରେ ଏନେଇ ଅଭିଯୋଗ ଦାଖଲ ସହ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଉପଯୁକ୍ତ ତଦନ୍ତ ଦାବି କରାଯାଇଛି।

ଏହି ଘଟଣା ପରେ ଆଜି ସୁନ୍ଦରଗଡ଼ର ସବୁ ସ୍କୁଲରେ ଟିକାକରଣ ବନ୍ଦ ନିର୍ଦ୍ଦେଶ ଦେଲେ ସିଡିଏମ୍‌ଓ। ଛାତ୍ର ମୃତ୍ୟୁର ତଦନ୍ତ କରିବା ପାଇଁ ୬ ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଗୋଟିଏ ଟିମ୍ ତଦନ୍ତ କରିବ।

Comment