ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଐତିହ୍ୟ ବହନ କରୁଥିବା କୋଣାର୍କର ସୂର୍ଯ୍ୟମନ୍ଦିରର ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଶୁକ୍ରବାର ଏନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍ କ୍ୟୁରି ଏନ୍.କେ. ମହାନ୍ତି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗତ ୩ତାରିଖରେ ସିବିଆରଆଇର ଏକ ବିଶେଷଜ୍ଞ ଟିମ୍ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ମନ୍ଦିର ମଧ୍ୟରେ ଭର୍ତ୍ତି କରାଯାଇଥିବା ବାଲି ୧୭ଫୁଟ୍ ଦବିଯାଇଛି ବୋଲି କହିଛନ୍ତି ଆମିକସ୍ କ୍ୟୁରି।

୧୯୦୩ ମସିହାରେ ମନ୍ଦିରର ସୁରକ୍ଷା ପାଇଁ ମନ୍ଦିରର ମୁଖଶାଳାର ଗର୍ଭଗୃହରେ ୧୦ହଜାର ମେଟ୍ରିକ ଟନ୍ ବାଲି ଭର୍ତ୍ତି କରାଯାଇଥିଲା। ଯାହା ଏବେ ଧୀରେ ଧୀରେ ଦବିବା ଆରମ୍ଭ କରିଛି।

ତେବେ ହୋଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି କହିଛନ୍ତି ଯେ, ସିବିଆରଆଇ ବିଶେଷଜ୍ଞ ଟିମ୍‌ର ରିପୋର୍ଟ ଆସିବା ପରେ ଯାଇ ମନ୍ଦିରରୁ ବାଲି କଢ଼ାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ।

ସେହିଭଳି କୋଣାର୍କର ସୂର୍ଯ୍ୟମନ୍ଦିରକୁ ସମୁଦ୍ରର ଲୁଣିପାଣିରୁ ରକ୍ଷା କରିବା ପାଇଁ ଏହାର ଆଖପାଖ ଅଞ୍ଚଳରେ ବହୁଳ ଭାବରେ ବୃକ୍ଷରୋପଣ କରାଯିବ ବୋଲି ସେ କହିଛନ୍ତି। ଏଥିସହ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ମନ୍ଦିର ଦେହରେ ଉନ୍ନତ ମାନର କେମିକାଲ ପ୍ରଲେପ ଦିଆଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନ୍ୟପଟେ ମନ୍ଦିର ଚାରିପଟରେ ଲାଗିଥିବା ଲୁହାଭାରକୁ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ବାହାର କରିଦିଆଯିବ। ଏହାପରେ ମନ୍ଦିରର ସୁରକ୍ଷା ପାଇଁ ଉନ୍ନତ ମାନର କଳଙ୍କି ପ୍ରତିରୋଧକ ବିମର ବ୍ୟବହାର କରାଯିବ। ସେହିପରି ବର୍ଷାଦିନମାନଙ୍କରେ ସୂର୍ଯ୍ୟମନ୍ଦିର ଚାରିପାଖରେ ଜମିରହୁଥିବା ପାଣିର ନିଷ୍କାସନ ପାଇଁ ମଧ୍ୟ ଉଚିତ୍ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଆମିକସ୍ କ୍ୟୁରି।

Comment