ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ନାୟକ ଆଜି ସରକାରଙ୍କୁ ବହେ ଝାଡ଼ିଛନ୍ତି।

  • ପିଅନ ହାତରେ ନୋଟିସ୍‌ ପଠାଇବା ଠିକ୍ ନୁହେଁ
  • ନବୀନଙ୍କ ନେତୃତ୍ୱରେ ଆମେ ଦଳ ଗଢ଼ିଥିଲୁ
  • ଏବେ ଦଳରେ କିଛି ଠିକ୍ ଚାଲିନି
  • ଦଳରେ ଆମେ ବୋଟେ ଫିଟିଂ ହେଲୁନି
  • ଏ ସରକାର କେମିତି ଚାଲିଛି ଲୋକେ କହିବେ

ବିଧାନସଭା ନିର୍ବାଚନ ଶେଷ ହେବା ପରେ ବିଜେଡି ନେତାଙ୍କ ମନରେ ଦେଖାଦେଇଛି ଅସନ୍ତୋଷ। ଏହି ଅସନ୍ତୋଷ ଆଜି ପଦାରେ ପଡ଼ିଛି। ବରିଷ୍ଠ ନେତା ଦେବାଶିଷ ନାୟକ ତାଙ୍କ ମନରେ ଥିବା ଅସନ୍ତୋଷକୁ ଗଣମାଧ୍ୟମ ଆଗରେ ଜାହିର୍ କରିଛନ୍ତି। ଦଳରେ କିଛି ଠିକ୍‌ ଚାଲି ନଥିବା ଦେବାଶିଷ କହିଛନ୍ତି।

ଦେବାଶିଷ ତାଙ୍କ ମନରେ ଥିବା ଅସନ୍ତୋଷକୁ ଆଜି ହିଁ ଜାହିର୍‌ କରିଛନ୍ତି। କାରଣ ପୂର୍ବତନ ବିଧାୟକମାନେ କ୍ୱାର୍ଟର୍ ଛାଡ଼ିବାକୁ ବାଚସ୍ପତି ଆଜି ନୋଟିସ୍‌ ଦେଇଥିଲେ। ଏହି ନୋଟିସ୍‌ ପାଇବା ପରେ ହିଁ ଦେବାଶିଷ ନିଜ ଦଳ ଉପରେ ଗର୍ଜିଛନ୍ତି।

‘‘କ୍ୱାର୍ଟର୍‌ ଛାଡ଼ିବା ନେଇ ନୋଟିସ୍‌ ପଠାଇବା ଆଦୌ ଠିକ୍‌ ନୁହେଁ। ଆମ ଦଳ ସରକାରରେ ରହିଛି। ସେମାନେ ଚାହିଁଥିଲେ ମୋ’ ସହ କଥା ହୋଇପାରିଥାନ୍ତେ। ଏମିତି ପିଅନ ହାତରେ ନୋଟିସ୍‌ ପଠାଇବା ଶୋଭନୀୟ ନୁହେଁ। ନବୀନଙ୍କ ନେତୃତ୍ୱରେ ଆମେ ଦଳ ତିଆରି କରିଥିଲୁ। ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ମୁଁ ନବୀନଙ୍କ ସାଥୀରେ ରହିଥିଲି। ହେଲେ ଏବେ ସମୟ ବଦଳି ଯାଇଛି। ଦଳ ଯେମିତି ଚାଲିଛି ସେଥିରେ ଆମେ ବୋଧେ ସାଥ୍ ଦେଇପାରୁନୁ’’, କହିଛନ୍ତି ଦେବାଶିଷ ନାୟକ।

ଦେବାଶିଷ ଆହୁରି କହିଛନ୍ତି ଯେ କ୍ୱାର୍ଟର୍ସ ଛାଡ଼ିବାକୁ ନେଇ ଯେଉଁଭଳି ନୋଟିସ୍‌ ଦିଆଗଲା ତାହା ଦୁର୍ଭାଗ୍ୟଜନକ। ଶାସନ କେମିତି ଚାଲିଛି ତାହା ଦୁର୍ଭାଗ୍ୟଜନକ।

ଦେବାଶିଷ ନାୟକ ହେଉଛନ୍ତି ବିଜେଡିର ବରିଷ୍ଠ ନେତା। ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ। ୨୦୦୦ ମସିହାରୁ ଦେବାଶିଷ ୨୦୧୯ ଯାଏଁ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ମଧ୍ୟ ରହିଥିଲେ।

୨୦୧୯ ନିର୍ବାଚନରେ ଦେବାଶିଷ ପୁଣି ଟିକେଟ ନେବାକୁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା। ସୁନନ୍ଦା ଦାସଙ୍କୁ ବିଜେଡି ବରୀରୁ ପ୍ରାର୍ଥୀ କରିଥିଲା। ସେବେଠାରୁ ଦେବାଶିଷ ନୀରବ ରହିଥିଲେ। ଟିକେଟ ପାଇ ନଥିବାରୁ ତାଙ୍କ ମନରେ ଅସନ୍ତୋଷ କୁହୁଳୁଥିଲା। ଏହି ଅସନ୍ତୋଷ ଆଜି ଜାହିର୍‌ କରିଛନ୍ତି ଦେବାଶିଷ।

ପୂର୍ବତନ ବିଧାୟକମାନଙ୍କୁ ତୁରନ୍ତ କ୍ୱାର୍ଟର ଛାଡ଼ିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନୋଟିସ୍‌ ପଠାଇଥିଲେ। ୨୬ ଜଣ ବିଧାୟକଙ୍କ ନାଁରେ ନୋଟିସ ପଠାଇଥିଲେ ବାଚସ୍ପତି। କ୍ୱାର୍ଟର ନଛାଡ଼ିଲେ ପାଣି, ବିଜୁଳି ବନ୍ଦ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ।

କ୍ୱାର୍ଟର ଛାଡ଼ିନଥିବା ବିଧାୟକମାନେ ହେଲେ, ବସନ୍ତ ପଣ୍ଡା, ଭୂଜବଳ ମାଝୀ, ଝିନ୍ନ ହିକ୍‌କା, ସରୋଜିନି ହେମ୍ବ୍ରମ, ବିଭୂତି ଭୂଷଣ ହରିଚନ୍ଦନ, ବିଜୟଶ୍ରୀ ରାଉତରାୟ, ଦାମୋଦର ରାଉତ, ଦେବାଶିଷ ନାୟକ, ଧନେଶ୍ୱର ମାଝୀ, ଗୋଲିକ ବିହାରୀ ନାୟକ, ଯୁଗଳ ପଟ୍ଟନାୟକ, କିଶୋର ତରାଇ, ମହେଶ ସାହୁ (ଲୋକସଭା), ନନ୍ଦିନୀ ଦେବୀ, ନିତେଶ ଗଙ୍ଗଦେବ, ପ୍ରଭାତ କୁମାର ତ୍ରିପାଠୀ, ପ୍ରବୀଣ ଭଞ୍ଜଦେଓ, ପୁଷ୍ପେନ୍ଦ୍ର ସିଂହ ଦେଓ, ରବି ନାରାୟଣ ନାୟକ, ରମେଶ ଚନ୍ଦ୍ରମାଝୀ(ଲୋକସଭା), ସାନନ୍ଦ ମାରାଣ୍ଡି, ସଞ୍ଜୟ ଦାସବର୍ମା। ସେହିପରି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଓ ସ୍ୱର୍ଗତ ସୁବଳ ସାହୁଙ୍କ ନାଁ ମଧ୍ୟ କ୍ୱାର୍ଟର ରହିଛି।

Comment