ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଦୁର୍ଗା ପୂଜାର ରହିଛି ନିଆରା ପରମ୍ପରା। ବିଶେଷକରି ସ୍ୱତନ୍ତ୍ର ପୂଜା ବିଧି ଦଶହରାର ଆକର୍ଷଣ ବୃଦ୍ଧି କରିଥାଏ। କଟକ ଦୁର୍ଗାପୂଜାରେ ଭୋଗକୁ ନେଇ ଦୀର୍ଘ ବର୍ଷର ରୀତିନୀତିକୁ ଏବେ ବି ପାଳନ କରାଯାଏ। ଯେମିତିକି ମାଛ ଭୋଗ। କଟକର ଏମିତି ଅନେକ ପୂଜା କମିଟି ରହିଛି ଯେଉଁଠାରେ ନବମୀରେ ମାଛଭୋଗ କରିଥା’ନ୍ତି। ସେଥିମଧ୍ୟରୁ ଅଲିଶା ବଜାର ପୂଜା କମିଟି ବହୁତ ଆଗରେ।

ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଦୁର୍ଗାପୂଜା ନବମୀ ତିଥି ଅବସରରେ ମାଛଭୋଗ ଖାଇଥା’ନ୍ତି। ଏନେଇ ବେଶ୍ ବଡ଼ ଆୟୋଜନ ମଧ୍ୟ କରାଯାଇଥାଏ। ଚଳିତବର୍ଷ ୪ କୁଇଣ୍ଟାଲ ମାଛର ଭୋଗ କରାଯିବ। ପ୍ରାୟ ୩ହଜାର ଲୋକେ ଏହି ଭୋଗ ଖାଇବେ। କମିଟି ତରଫରୁ ମାଗଣାରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଥିବାବେଳେ ଭୋଗ ପ୍ୟାକେଟ୍‌ ମଧ୍ୟ ବିକ୍ରି ହୁଏ। ମାଛ ଘାଣ୍ଟ କରାଯାଇ ଅନ୍ନପ୍ରସାଦ ସହିତ ଲୋକଙ୍କୁ ବଣ୍ଟାଯାଇଥାଏ।

ସ୍ଥାନୀୟ ଜମିଦାର ଚୌଧୁରୀ ପରିବାର ପକ୍ଷରୁ ୧୮୮୫ ପର୍ଯ୍ୟନ୍ତ ଏକ ଚାଳଘରେ ମା’ଙ୍କ ପୂଜା ହୋଇ ଆସୁଥିଲା। ପରେ ଜମିଦାର ପରିବାର ସାହି କମିଟିକୁ ଜମି ଓ ମା’ଙ୍କ ପୂଜା ଦାୟିତ୍ୱ ହସ୍ତାନ୍ତର କରିଥିଲେ। ୧୯୧୫ରୁ ଏଠାରେ ସ୍ଥାୟୀ କୋଠା ଘରେ ମା’ଙ୍କ ସାର୍ବଜନୀନ ପୂଜା ହୋଇ ଆସୁଛି। ଏଠାରେ ଥିବା ଚାନ୍ଦି ମେଢ଼ରେ ଏଲ୍ଇଡି ଖାଞ୍ଜାଯାଇଥିବାରୁ ତାହା ଅତି ସୁନ୍ଦର ଦିଶିଥାଏ।

୧୯୯୯ରେ ଅଲିଶା ବଜାର ପୂଜା କମିଟି ଚାନ୍ଦି ମେଢ଼ ପରମ୍ପରାରେ ନିଜକୁ ସାମିଲ୍ କରିଥିଲା। ୨୦୦୦ ମସିହାରେ ଏଠିକାର ଚାନ୍ଦି ମେଢ଼ ଦିଲ୍ଲୀ ପ୍ରଗତି ମଇଦାନରେ ପ୍ରଦର୍ଶନ କରାଯାଇ ପୁରସ୍କୃତ ହୋଇଥିଲା। ତେବେ ୨୦୧୬ରେ ମେଢ଼ର କିଛି ଅଂଶ ଚୋରି ହୋଇଯାଇଥିଲା। ନବମୀରେ ମା’ଙ୍କ ପାଖରେ ପ୍ରାୟ ୪କୁଇଣ୍ଟାଲ ମାଛ ଭୋଗ ହୋଇଥାଏ। ପ୍ରାୟ ୩ ହଜାର ଶ୍ରଦ୍ଧାଳୁ ପ୍ରସାଦ ଖାଇଥା’ନ୍ତି। ଏହାଛଡ଼ା ଇଚ୍ଛୁକ ଶ୍ରଦ୍ଧାଳୁଙ୍କୁ ସର୍ବନିମ୍ନ ମୂଲ୍ୟରେ ମାଛ ଭୋଗ ଯୋଗାଇ ଦିଆଯାଇଥାଏ। ଚଳିତ ବର୍ଷ ପୂଜା ବଜେଟ୍ ରହିଛି ୮ ଲକ୍ଷ। ଆକର୍ଷଣୀୟ ଆଲୋକମାଳାରେ ସଜାଯିବ ପୁଜା ମଣ୍ଡପ।

Comment