ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରେମ, ବିବାହ, ତା’ପରେ ବିଶ୍ୱାସଘାତକତା। ଏପରି ଘଟଣା କିଛି ନୂଆ ନୁହେଁ। କିନ୍ତୁ ଏହି ସବୁରୁ ପାଦେ ଆଗକୁ ଚାଲିଯାଇଛନ୍ତି ଜଣେ ଭଣ୍ଡ ପ୍ରେମିକ। ପ୍ରଥମେ ପ୍ରେମ, ତା’ପରେ ବିବାହ କରି ୩ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏବେ କହୁଛନ୍ତି କି ସେ ଅବିବାହିତ। ସ୍ୱାମୀ ସ୍ମୃତି ରଞ୍ଜନ ସାହୁ ସ୍ତ୍ରୀ ନିବେଦିତାଙ୍କୁ ଆଧା ରାସ୍ତାରେ ଛାଡ଼ିଦେଇ ଦୁବାଇ ଚମ୍ପଟ ମାରିଛନ୍ତି।
“ମତେ କିଛି ଦରକାର ନାହିଁ। କିନ୍ତୁ ମୋ’ ମାଆ ଆଉ ମୋ’ ଭାଇର କୌଣସି ଅସୁବିଧା ନ ହେଉ”, କାନ୍ଦି କାନ୍ଦି ଏହା କହିଛନ୍ତି କାକଟପୁରର ବାଙ୍ଗୁରି ଗାଁର ନିବେଦିତା ମନସ୍ୱିନୀ।
ସ୍ମୃତି ରଂଜନ ଏବଂ ନିବେଦିତା ହେଉଛନ୍ତି ପିଲାବେଳର ସାଙ୍ଗ। ବନ୍ଧୁତାରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଘର ଲୋକଙ୍କ ସହମତି କ୍ରମେ ନିର୍ବନ୍ଧ ମଧ୍ୟ ହୋଇଥିଲା। ପରେ ସେମାନେ ଦିଲ୍ଲୀ ଯାଇଥିଲେ।
ନିବେଦିତା କହିଛନ୍ତି, ‘‘୨୦୧୬ରେ ସ୍ମୃତି ରଂଜନଙ୍କ ସହିତ ମୋର ବିବାହ ଦିଲ୍ଲୀର ଏକ ମନ୍ଦିରରେ ହୋଇଥିଲା। ଆମେ ଦୁଇ ଜଣ ଦିଲ୍ଲୀରେ ଚାକିରୀ କରୁଥିଲୁ। ସାଙ୍ଗ ହୋଇ ସେଠାରେ ଗୋଟିଏ ଫ୍ଲାଟ ମଧ୍ୟ କିଣିଥିଲୁ। ଫ୍ଲାଟଟି ଦୁଇ ଜଣଙ୍କ ନାମରେ ପଞ୍ଜିକୃତ ହୋଇଥିଲା।’’
ଦିଲ୍ଲୀରେ ଗୋଟିଏ ଫ୍ଲାଟରେ ଦୁଇ ବର୍ଷ ରହିଥିଲେ ସ୍ମୃତି ରଂଜନ ଏବଂ ନିବେଦିତା। ପରେ ସ୍ମୃତିଙ୍କୁ ଦୁବାଇରେ ଭଲ ଚାକିରି ମିଳିଥିଲା। ଦୁବାଇ ଚାଲିଯିବା ପରେ ସ୍ମୃତିରଞ୍ଜନ ନିବେଦିତାଙ୍କୁ ଧରାଛୁଆଁ ଦେଉନାହାନ୍ତି।
“ତୁ ଏଇଠି ରହ। ମୁଁ ତତେ ସେପ୍ଟେମ୍ବରରେ ଆସି ନେଇଯିବି” – ଏହା ଥିଲା ସ୍ମୃତି ରଂଜନଙ୍କ ସହ ଫୋନ୍ରେ ନିବେଦିତାଙ୍କର ଶେଷ କଥା। ୨୦୧୮ ଫେବ୍ରୁଆରୀରେ ସ୍ମୃତି ରଂଜନ ଦୁବାଇ ଚାଲିଯାଇଥିଲେ। ତାପରଠାରୁ ସ୍ମୃତି ରଂଜନଙ୍କ ସହିତ କୌଣସି ଯୋଗାଯୋଗ କରିପାରିଲେ ନାହିଁ ନିବେଦିତା। ଏମିତିକି ସ୍ମୃତି ରଂଜନଙ୍କ ପରିବାର ଲୋକେ ବି ନିବେଦିତାଙ୍କୁ ବୋହୁ ଭାବେ ଗ୍ରହଣ କଲେ ନାହିଁ।
ଅପରପକ୍ଷରେ, ନିବେଦିତାଙ୍କ ପରିବାର ଲୋକେ ମଧ୍ୟ ସ୍ମୃତି ରଂଜନଙ୍କ ପରିବାର ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ସୁଫଳ ମିଳିନ ଥିଲା। ଶେଷରେ ଆଇନର ଦ୍ୱାରସ୍ତ ହେବାକୁ ନିଷ୍ପତ୍ତି ନେଇଥିଲେ ନିବେଦିତା। କାକଟପୁର ଥାନାରେ ଏତଲା ଦେବାକୁ ଗଲେ, କିନ୍ତୁ ଥାନାରେ ବି କେହି ମାମଲା ରଖିଲେ ନାହିଁ ବୋଲି କହିଛନ୍ତି ନିବେଦିତା।
ଖାଲି ସେତିକି ନୁହେଁ, ନିବେଦିତାଙ୍କୁ ସ୍ମୃତି ରଂଜନଙ୍କ ପରିବାର ଲୋକେ ମାରପିଟ ବି କରିଥିଲେ। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି।














