ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବୋଲର୍ ହେଉଛନ୍ତି ରବିଚନ୍ଦ୍ରନ ଅଶ୍ୱିନୀ। ମଙ୍ଗଳବାର ଏହି ଅଫ୍ ସ୍ପିନର୍ ଜଣକ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି।

ଅଶ୍ୱିନୀଙ୍କ ଜନ୍ମ ୧୯୮୬ମସିହା ସେପ୍ଟେମ୍ବର ୧୭ତାରିଖରେ ତାମିଲନାଡ଼ୁରେ ହୋଇଥିଲା। ଅଶ୍ୱିନୀଙ୍କ ପିତା ମଧ୍ୟ ଜଣେ କ୍ରିକେଟର ଥିଲେ। ସେ କ୍ଲବ ସ୍ତରରେ ଜଣେ ଦକ୍ଷ ଫାଷ୍ଟ ବୋଲର ଥିଲେ। ସେହିଠାରୁ ହିଁ ଅଶ୍ୱିନୀଙ୍କ କ୍ରିକେଟ ପ୍ରତି ଦୁର୍ବଳତା ଆସିଯାଇଥିଲା।

ଅଶ୍ୱିନୀ ଭାରତ ପାଇଁ ୨୦୧୦ ମସିହାରେ ଟି-ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ। ସେହିଭଳି ସେ ପ୍ରଥମ କରି ଶ୍ରୀଲଙ୍କା ବିପକ୍ଷରେ ୨୦୧୦ରେ ଦିନିକିଆରେ କ୍ୟାରିଅର ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ତାମିଲନାଡ଼ୁ ପାଇଁ ପ୍ରତିନିଧିତ୍ୱ କରୁଥିଲେ। ସେ ଲଗାତାର ଭାବରେ ସାଉଥ୍ ଜୋନ୍ ଓ ତାମିଲନାଡ଼ୁ କ୍ରିକେଟ୍ ଦଳରେ ପ୍ରତିନିଧିତ୍ୱ କରି ଆସୁଥିଲେ।

ପ୍ରଥମକରି ସେ ୨୦୦୯ ମସିହାରେ ଆଇପିଏଲରେ ପ୍ରଦାର୍ପଣ କରିଥିଲେ ଅଶ୍ୱିନୀ। ସେ ଆଇପିଏଲ୍ ଦଳ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ଆଇପିଏଲ୍ ଖେଳୁଥିଲେ। ସେ ଦଳର ଅଂଶ ଥିଲାବେଳେ ଦଳ ୨୦୧୦ ଓ ୨୦୧୧ରେ ଆଇପିଏଲ୍ ଚାମ୍ପିୟନ୍ ହୋଇଥିଲା। ଏଥିସହ ଅଶ୍ୱିନୀ ୨୦୧୧ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ଅଂଶ ମଧ୍ୟ ଥିଲେ। ଏହାପରେ ସେ ପୁନେ ସୁପରଜ୍ୟାଣ୍ଟସ୍ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପାଇଁ ଆଇପିଏଲ୍ ଖେଳିଥିଲେ। ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର କ୍ୟାପଟେନ୍ ମଧ୍ୟ ରହିସାରିଛନ୍ତି।

୨୦୧୪ ମସିହାରେ ଅଶ୍ୱିନୀଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ସେ ୨୦୧୬ରେ ଆଇସିସି ଟେଷ୍ଟ ପ୍ଲେୟାର୍ ଅଫ୍ ଦ ଇୟରରେ ମଧ୍ୟ  ସମ୍ମାନିତ ହୋଇଥିଲେ। ସେହିବର୍ଷ ସେ ଆଇସିସି କ୍ରିକେଟର ଅଫ୍ ଦ ଇୟର୍ ରେ ମଧ୍ୟ ସମ୍ମାନିତ ହୋଇଥିଲେ।

Comment