ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଇଂଲଣ୍ଡ ବିପକ୍ଷ ସିରିଜ୍‍ ଖେଳିବା ନିମନ୍ତେ ଭାରତୀୟ କ୍ରିକେଟ୍‍ ଦଳ (ଟିମ୍‍ ଇଣ୍ଡିଆ) ଇଂଲଣ୍ଡ ଯାତ୍ରା କରିଛନ୍ତି। ଆସନ୍ତା ବର୍ଷ ବିଶ୍ୱକପ୍‍ କ୍ରିକେଟ୍‍ ଖେଳାଯିବାକୁ ଥିବା ବେଳେ ଏହି ସିରିଜ୍‍କୁ ଭାରତ ଗୁରୁତ୍ୱର ସହ ନେଇଛି।

ଇଂଲଣ୍ଡ ଓ ଆୟରଲାଣ୍ଡ ଟୁର୍‌ରେ ଗଲା ଭାରତୀୟ କ୍ରିକେଟ ଟିମ୍। ଇଂଲଣ୍ଡ ବିପକ୍ଷ ସିରିଜ ଆରମ୍ଭ ହେବା ଆଗରୁ ଆୟରଲଣ୍ଡ ବିପକ୍ଷରେ ୨ଟି ଟି-ଟ୍ୱେଣ୍ଟି ଖେଳିବ ଟିମ୍ ଇଣ୍ଡିଆ। ଏହା ପରେ ଇଂଲଣ୍ଡ ବିପକ୍ଷରେ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଖେଳିବ ଟିମ୍‌ ଇଣ୍ଡିଆ। ପରେ ଆରମ୍ଭ ହେବ ହାଇଭୋଲ୍‌ଟେଜ୍ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ।

ଗତ ଟୁର୍‌ରେ ଭାରତର ପ୍ରଦର୍ଶନ ଭଲ ହୋଇ ନ ଥିଲେ ମଧ୍ୟ ଏହି ସିରିଜରେ ଉଭୟ ଟିମ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରାୟ ୩ ମାସ ଏହି ଗସ୍ତରେ ଟିମ୍ ଇଣ୍ଡିଆ ରହିବ।

ଇଂଲଣ୍ଡ ଗସ୍ତ ସମୟରେ ଟିମ୍‍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନି ବେଶ୍‍ ଖୁସି ଥିବା ଭଳି ପରିଲକ୍ଷିତ ହେଉଥିଲା। କୋହଲି ଓ ଧୋନି କିଛିଦିନ ତଳେ ୟୋ-ୟୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ଆଇପିଏଲ୍‍ ଖେଳୁଥିବା ବେଳେ କୋହଲିଙ୍କ ବେକରେ ଆଘାତ ଲାଗିଥିଲା। ତେବେ ସେ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଥିବା କହିଛନ୍ତି। ଇଂଲଣ୍ଡ ଗସ୍ତ ପୂର୍ବରୁ ବିମାନବନ୍ଦରରେ କୋହଲିଙ୍କ ସହ ଫଟୋ ଉଠାଇବାକୁ ଜଣେ ଛୋଟ ଝିଅ ଆଗ୍ରହ ପ୍ରକାଶ କରିଥିଲା। କୋହଲି ମଧ୍ୟ ଝିଅର ଅନୁରୋଧ ରକ୍ଷା କରି ତା’ ସହ ଫଟୋ ଉଠାଇଥିଲେ।

ବିମାନ ମଧ୍ୟରେ ଭାରତୀୟ ଦଳର ସଦସ୍ୟ ରୋହିତ ଶର୍ମା, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‍, ଦିନେଶ କାର୍ତ୍ତିକ ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଫଟୋ ଉଠାଇଥିଲେ।

ଭାରତୀୟ ଦଳ ଆସନ୍ତା ୨୭ ଓ ୨୯ରେ ଆୟରଲାଣ୍ଡ ବିପକ୍ଷରେ ଦୁଇଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ। ଏହାପରେ ଦଳ ଇଂଲଣ୍ଡ ବିପକ୍ଷରେ ୩ଟି ଟ୍ୱେଣ୍ଟି୨୦, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ୍‍ ଖେଳିବ।

Comment