ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିର: ଆଧୁନିକତା ଆଡ଼କୁ ସମାଜ ଅଗ୍ରଗତି କରିଥିଲେ ମଧ୍ୟ ଆଜିବି କେଉଁଠି ନା କେଉଁଠି ଅନ୍ଧବିଶ୍ୱାସ ଲୋକଙ୍କ ମନରେ ଘର କରି ରହିଛି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲରମ୍ବା ଥାନା ଟିଟକାମାଲ ଗାଁରେ।

ଗୁଣିଗାରେଡ଼ି ସନ୍ଦେହରେ ଏହି ଗାଁରେ ଦୁଇ ଦୁଇଟି ହତ୍ୟା ହୋଇଛି। ଗାଁର ଚିନ୍ତାମଣି ବରିହା ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ବରିହାଙ୍କୁ ଗ୍ରାମବାସୀ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନା ଅନୁଯାୟୀ, ଟିଟକାମାଲ ଗ୍ରାମର ନାରାୟଣ ବରିହାଙ୍କ ଦେଢ଼ ବର୍ଷର ଝିଅ ଲକି ଗତ ଅଗଷ୍ଟ ୨୧ ତାରିଖରେ ପ୍ରାଣ ହରାଇଥିଲା। ତାର ଶବକୁ ନାରାୟଣ ତାଙ୍କ ଜମିରେ ପୋତି ଦେଇଥିଲେ। କିଛି ଦିନ ପୂର୍ବରୁ ଶବ ପୋତା ହୋଇଥିବା ସ୍ଥାନରେ କେହି ଜଣେ ଫୁଲ ସିନ୍ଦୁର ଦେଇ ପୂଜା କରିଥିବା ଜଣାପଡ଼ିଥିଲା। ଏହା ଜାଣି ନାରାୟଣ ଗ୍ରାମବାସୀଙ୍କ ସହ ଏକ ବୈଠକ ବସାଇଥିଲେ।

ଏହି ବୈଠକରେ ଗାଁର ଚିନ୍ତାମଣି ଓ ତାଙ୍କ ସ୍ତ୍ରୀ ଗୁଣିଗାରେଡ଼ି କରୁଥିବା ଓ ଉକ୍ତ ଜମିରେ ପୂଜା କରୁଥିବା ସନ୍ଦେହ କରୁଛନ୍ତି ବୋଲି ନାରାୟଣ କହିଥିଲେ। ଏନେଇ ନାରାୟଣ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

ଅନ୍ୟପଟେ ରୁକ୍ମିଣୀ ମଧ୍ୟ ତାଙ୍କୁ ଡାହାଣୀ ବୋଲି ଆକ୍ଷେପ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଉଥିବା ଥାନାରେ ଅଭିଯୋଗ ଆଣିଥିଲେ।

କିନ୍ତୁ ସୋମବାର ସକାଳେ ଗ୍ରାମବାସୀ ଚିନ୍ତାମଣି ଓ ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ମାରି ଦେଇଥିବା ଓ ଶବକୁ ବସ୍ତାରେ ବାନ୍ଧି ପାହାଡ଼ ଉପରେ ପକାଇ ଦେବା ନେଇ ଚାରିଆଡ଼େ ଚର୍ଚ୍ଚା ହେଲା।

ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପାଟଣାଗଡ଼ ପୋଲିସ ଅଧିକାରୀ ତଦନ୍ତ କରିଛନ୍ତି। ଏହି ମାମଲାରେ ଗାଁର ୪ ଜଣଙ୍କୁ ଅଟକ ରଖାଯାଇଛି।

Comment