ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ନେତା ସୁବାସ ଚୌହାନଙ୍କୁ ନୂଆ ଦାୟିତ୍ୱ ମିଳିଛି। ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ କିଶୋର ମହାନ୍ତି। ସେ ବ୍ରଜରାଜନଗର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା।

ସୁବାସ ଚୌହାନ ହେଉଛନ୍ତି ଜଣେ ବରିଷ୍ଠ ନେତା। ସେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ ନିର୍ବାଚନରେ ସେ ବରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ଏଥର ବି ସେ ବିଜେପି ଟିକେଟ ନେବାକୁ ଆଶାୟୀ ଥିଲେ।

ହେଲେ ଦଳ ସୁରେଶ ପୂଜାରୀଙ୍କୁ ବରଗଡ଼ରୁ ପ୍ରାର୍ଥୀ କରିଥିଲା। ଫଳରେ ସୁବାସ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ସେ ସାଧାରଣ ସମ୍ପାଦକ ରହିଥିଲେ।

Comment