ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସାଲେପୁର ୨୦୧୮, ଏପ୍ରିଲ ୧ରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ।

ଶେଷରେ ସାଲେପୁର ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ। ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ। ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି।

ମହମ୍ମଦ ମୁସ୍ତାକଙ୍କ ଉପରେ ନଫା ୩୦୨, ୩୬୩, ୩୭୬ ଏ-ବି, ଏବଂ ସେକ୍ସନ-୬ ଦଫା ଲଗାଇଥିଲେ।

କ’ଣ ଥିଲା ପୂରା ଘଟଣା?

ଏପ୍ରିଲ ୨୧ ତାରିଖ ସନ୍ଧ୍ୟାର ଘଟଣା। ଚକୋଲେଟ୍ ଖାଇବା ପାଇଁ ଜିଦ୍ କରିଥିଲା ୭ ବର୍ଷର ନାବାଳିକା। ଘରର ସାନଝିଅ ହୋଇଥିବାରୁ ତାଙ୍କ ଜିଦ୍‌ ଆଗରେ ଘର ଲୋକ ମୁଣ୍ଡ ନୁଆଁଉଥିଲେ। ସେଦିନ ବି ସେୟା ଘଟିଥିଲା। ଜିଦ୍ କରି ମା’ଠାରୁ ପଇସା ଆଣି ଗାଁ ସ୍କୁଲ ଛକ ଦୋକାନ ପାଖକୁ ଚକୋଲେଟ୍ କିଣିବାକୁ ଆସିଥିଲା ଝିଅଟି।

ସନ୍ଧ୍ୟା ଯାଇ ରାତି ହେଲା। ହେଲେ ଚେୋଲେଟ୍ ଆଣି ଘରକୁ ଫେରି ନଥିଲା ନାବାଳିକା। ଘର ଲୋକ ଝିଅକୁ ଚାରିଆଡ଼େ ଖୋଜିଲେ। କିନ୍ତୁ କୋଉଠି ବି ପାଇଲେ ନାହିଁ। ଶେଷରେ ଖବର ଆସିଲା ଝିଅଟି ମୁମୂର୍ଷୁ ଅବସ୍ଥାରେ ସ୍କୁଲ ପିଣ୍ଡାରେ ପଡ଼ି ରହିଛି। ଘର ଲୋକ ସ୍କୁଲ ନିକଟକୁ ଦୌଡ଼ି ଯାଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ଝିଅକୁ ଉଦ୍ଧାର କରିଥିଲେ। ହେଲେ ଝିଅ ଯେଉଁ ସ୍କୁଲ ପିଣ୍ଡାରେ ପଡ଼ିଥିଲା ତାର ଆଖପାଖ ଦୃଶ୍ୟ ହିଁ ବୟାନ କରୁଥିଲା ତା ସହ କେଭଳି ପାଶବିକ ଅତ୍ୟାଚାର ଘଟିଛି।

ସାଲେପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରି ସେହି ଗାଁର ଜଣେ ଯୁବକକୁ ଗିରଫ କରିଥିଲା। ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିବା ଝିଅକୁ ପରିବାର ଲୋକ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ହେଲେ ସ୍ଥାନୀୟ ଡାକ୍ତର କଟକ ପଠାଇ ଦେଇଥିଲେ।

କଟକ ବଡ଼ ମେଡିକାଲରେ ପହଞ୍ଚିବା ବେଳକୁ ପୀଡ଼ିତାର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କୁ ଶିଶୁ ବିଭାଗ ଟ୍ରମା କେୟାରର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତାଙ୍କୁ ଚିକିତ୍ସା କରିବା ପାଇଁ ୧୩ ଜଣିଆ ଡାକ୍ତରୀ ଟିମ୍ ଗଠନ କରିଥିଲେ ଏସ୍‌ସିବି କର୍ତ୍ତୃପକ୍ଷ।

ଏହାର ଚାରି ଦିନ ପରେ ଖବର ଆସିଲା ଯେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁନି। ଝିଅକୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିଲେ। ହେଲେ ଶେଷରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ଘଟଣା ଘଟିବାର ଠିକ୍ ୮ ଦିନ ପରେ ସାଲେପୁର ପୀଡ଼ିତା ସବୁଦିନ ପାଇଁ ଆଖିବୁଜି ଦେଇଥିଲେ।

Comment