ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୮ ଉପ-ନିର୍ବାଚନରେ କଂଗ୍ରେସ ଗଡ଼କୁ ଭାଙ୍ଗିଥିଲା ବିଜେଡି। ଏଥର କିଏ ବିଜେପୁରକୁ ଦଖଲ କରିବ?

ବିଜେପୁରରେ ହେବ ଉପ-ନିର୍ବାଚନ। ଏଥିପାଇଁ ବିଗୁଲ ଫୁଙ୍କିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରା। ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ତାରିଖ ଘୋଷଣା ପରେ ସବୁ ରାଜନୀତିକ ଦଳରେ ଉତ୍ସାହ ଦେଖାଦେଇଛି। ବିଜେପୁରକୁ ଆଗାମୀ ୫ ବର୍ଷ ପାଇଁ କବ୍‌ଜା କରିବା ପାଇଁ ତିନି ଦଳରେ ପ୍ରସ୍ତୁତି ଆରମ୍ଭ ହେଲାଣି।

୨୦୦୪ରୁ ୨୦୧୭ ଯାଏଁ କଂଗ୍ରେସ, ୨୦୧୮ ଫେବ୍ରୁଆରିରୁ ୨୦୧୯ ଜୁନ୍‌ ଯାଏଁ ବିଜେଡି କବ୍‌ଜାରେ ଥିଲା ବିଜେପୁର। ତେବେ ଏଥର ବିଜେପୁରକୁ କିଏ ଦଖଲ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଏହାଛଡ଼ା ଅଢ଼େଇ ବର୍ଷ ଭିତରେ ବିଜେପୁରବାସୀ ଆଉ ଏକ ଉପ-ନିର୍ବାଚନ ଦେଖିବାକୁ ଯାଉଥିବାରୁ ରାଜନୀତି ସରଗରମ୍‌ ରହିଛି।

ପୁଣି ଏକ ଉପ-ନିର୍ବାଚନ

୧୯ ବର୍ଷ ଲମ୍ବା ରାଜନୀତିକ ଇନିଂସ୍ ପରେ ପ୍ରଥମ ଥର ପାଇଁ ୨୦୧୯ ନିର୍ବାଚନରେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ପାରମ୍ପରିକ ଆସନ ହିଞ୍ଜିଳି ସମେତ ବରଗଡ଼ ଜିଲ୍ଲା ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ନବୀନ। ହେଲେ ନୂଆ ସରକାର ଗଠନ ହେବାର ମାତ୍ର ତିନି ଦିନ ପରେ ନବୀନ ହିଞ୍ଜିଳିକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ଫଳରେ ବିଜେପୁର ଆଉ ଏକ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି।

୨୦୧୮ ଫେବ୍ରୁଆରି ୨୪ରେ ହାଇଭୋଲଟେଜ ଉପ-ନିର୍ବାଚନ ଦେଖିଥିବା ବିଜେପୁରବାସୀ ୨୦୧୯ ଅକ୍ଟୋବରରେ ପୁଣି ଏକ ଉପ-ନିର୍ବାଚନ ଦେଖିବାକୁ ଯାଉଛନ୍ତି। ୨୦୧୮ ଉପ-ନିର୍ବାଚନରେ ବିଜେପୁର ମଇଦାନ ଯେମିତି ଦୁଲୁକିଥିଲା ଠିକ୍‌ ସେମିତି ଏଥର ଦୁଲୁକିବ ବୋଲି ଆକଳନ କରାଯାଉଛି।

କଂଗ୍ରେସ ଗଡ଼ ବିଜେପୁରରେ ବିଜେଡି ବାନା

ବିଜେପୁର ବିଧାନସଭା ଆସନଟି କଂଗ୍ରେସ ଗଡ଼ ଭାବେ ପରିଚିତ ଥିଲା। ଚାରିଆଡ଼େ ନବୀନଙ୍କ ହାୱା ବହୁଥିବା ବେଳେ ଏଠାରେ ରୀତା ସାହୁଙ୍କ ସ୍ୱାମୀ ସୁବଳ ସାହୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଆସୁଥିଲେ।

୨୦୦୪, ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସୁବଳ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିଥିଲେ। କିନ୍ତୁ ୨୦୧୭ରେ ସୁବଳଙ୍କ ଦେହାନ୍ତ ପରେ କଂଗ୍ରେସର ଗଡ଼ ବିଜେପୁରକୁ ଭାଙ୍ଗିଥିଲା ବିଜେଡି।

ସୁବଳଙ୍କ ସ୍ତ୍ରୀ ଏବଂ ପୁଅ ବିଜେଡିରେ ସାମିଲ ହୋଇଥିଲେ। ୨୦୧୮ ଫେବ୍ରୁଆରି ୨୪ରେ ହୋଇଥିବା ଉପ-ନିର୍ବାଚନରେ ନବୀନ ସୁବଳଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ରୀତା ଜଣେ ମହିଳା ହୋଇଥିବାରୁ ଏବଂ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିବାରୁ ଅନୁକମ୍ପାମୂଳକ ଭୋଟ ପାଇ ବିଧାନସଭାକୁ ଆସିଥିଲେ।

ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ବିଜେପି ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଅସଲ ଲଢ଼େଇ ହୋଇଥିଲା ବିଜେଡି ଏବଂ ବିଜେପି ଭିତରେ। ବିଜେଡି ପ୍ରାର୍ଥୀ ରୀତାଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ନିଜେ ନବୀନ। ଏକାଧିକ ଥର ନବୀନ ବିଜେପୁରରେ ପ୍ରଚାର କରିଥିଲେ।

ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ଓଡ଼ିଶା ବିଜେପିର ପୋଷ୍ଟରବୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବହୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ବିଜେପୁର ଆସିଥିଲେ। ହେଲେ ବିଜେପିର ସବୁ ଅଙ୍କ ଭୁଲ୍ ହୋଇଥିଲା। ଶେଷରେ ବିଜେଡି ପ୍ରାର୍ଥୀ ରୀତା ସାହୁ ହିଁ ବିଜୟ ମୁକୁଟ ପିନ୍ଧିଥିଲେ।

ପୁଣି ରୀତା ନେବେ କି ଟିକେଟ?

ବିଧାନସଭାକୁ ନିର୍ବାଚିତ ହେବାର ମାତ୍ର ବର୍ଷକ ପରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଥିଲା। ରୀତାଙ୍କୁ ଟିକେଟ ନଦେଇ ନିଜେ ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ନବୀନ ୧ ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।

ନବୀନ ବିଜେପୁର ଆସନ ଛାଡ଼ିବା ପରେ ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି। ତେବେ ନବୀନ ଉପ-ନିର୍ବାଚନରେ ବର୍ଷକର ବିଧାୟକ ରୀତା ସାହୁଙ୍କ ଉପରେ ପୁଣି ଭରସା କରିପାରନ୍ତି ବୋଲି କୁହାଯାଉଛି।

ବିଜେପୁରରେ ବିଜେଡି ଟିକେଟ ରେସ୍‌ରେ ଥିଲେ ସୁବାସ ଚୌହାନ। ସେ ନିର୍ବାଚନ ସମୟରେ ବିଜେପି ଛାଡ଼ି ବିଜେଡି ଆସିଥିଲେ। ସେତେବେଳେ ତାଙ୍କୁ ଟିକେଟ ଦିଆଯାଇ ନଥିଲା। କେବଳ ଦଳର ସାଧାରଣ ସମ୍ପାଦକ ଭାବେ ଥଇଥାନ କରାଯାଇଥିଲା।

ହେଲେ ଉପ-ନିର୍ବାଚନ ତାରିଖ ଘୋଷଣା ହେବାର ଦୁଇ ଦିନ ପୂର୍ବରୁ ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ଫଳରେ ବିଜେପୁର ଟିକେଟ ରୀତା ସାହୁ ନେବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଏଥର କ’ଣ କରିବେ ବିଜେପି, କଂଗ୍ରେସ?

ବିପେଜୁପର ପାଇଁ ଆଗଆ ପ୍ରସ୍ତୁତି ଆରାମ୍ଭ କରିଛି ବିଜେଡି। ୪ ଜଣିଆ ସମନ୍ୱୟ କମିଟି ଗଠନ କରି ବିଜେଡି ବିରୋଧୀ କଂଗ୍ରେସ ଏବଂ ବିଜେପିକୁ ପଛରେ ରଖିଛି। ଏବେ ବିରୋଧୀ ବିଜେପୁର ପାଇଁ କେମିତି ପ୍ରସ୍ତୁତ ହେବେ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୧୮ ଉପ-ନିର୍ବାଚନ ଏବଂ ୨୦୧୯ ନିର୍ବାଚନରେ ବିଜେଡିକୁ କଡ଼ା ଫାଇଟ୍ ଦେଇଥିଲା ବିଜେପି।

୨୦୧୮ ଉପ-ନିର୍ବାଚନ ବେଳେ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ଟିକେଟ ଦେଇଥିଲା। ଅଶୋକ ବିଜେଡି ଟିକେଟ ନପାଇବାରୁ ବିଜେପିରେ ଯୋଗ ଦେଇ ଟିକେଟ ନେଇଥିଲେ। ତାଛଡ଼ା ଅଶୋକ ୨୦୦୦ରେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ। କିନ୍ତୁ ୨୦୧୪ରେ ଦଳ ବିରୋଧୀ କାମ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ।

ଉପ-ନିର୍ବାଚନରେ ଯେଉଁ ବିଜେପି ଅଶୋକଙ୍କ ଉପରେ ଭରସା କରିଥିଲା ୨୦୧୯ରେ କିନ୍ତୁ ତାଙ୍କୁ ଟିକେଟ ଦେଇ ନଥିଲା। ସନତ ଗଡ଼ତିଆଙ୍କୁ ପାର୍ଟି ଟିକେଟ ଦେଇଥିଲା। ନବୀନଙ୍କ ବିରୋଧରେ ପ୍ରାର୍ଥୀ ହୋଇ ସନତ ୫୩ ହଜାର ୪୮୨ ଭୋଟ ପାଇଥିଲେ। ନବୀନଙ୍କ ଲୋକପ୍ରିୟତା ଆଗରେ ସେ ପରାଜିତ ହୋଇଥିଲେ।

କିନ୍ତୁ ହେବାକୁ ଥିବା ଉପ-ନିର୍ବାଚନରେ ନବୀନ ପ୍ରାର୍ଥୀ ହେବେନି। ଏଣୁ ବିଜେପି ବିଜେପୁରରେ ହେବାକୁ ଥିବା ଉପ-ନିର୍ବାଚନରେ ମାପିଚୁପି ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି।

ସେହିପରି କଂଗ୍ରେସର ଦୁର୍ଗ ମଧ୍ୟ ଭୁଶୁଡିଛି। ଗତ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଅମାନତ ହାରିଥିଲେ। ପରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ୨୦୧୯ ନିର୍ବାଚନରେ ରପୁନାଥ ସେଠ୍‌ଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ହେଲେ ସେ ତୃତୀୟ ସ୍ଥାନରେ ରହିଥିଲେ।

ବିଜେପୁର ପାଇଁ ଏବେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଏବଂ କେମିତି ଟକ୍କର ଦେବ ତା’ଉପରେ ରହିଛି ନଜର।

Comment