ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଯିଏ ଜୀବନରେ ଥରେ ବି ହାରିନି, ସେ କେବେ କଠିନ ପରିଶ୍ରମ ବି କରିନି’’, ଆଇଆଇଟି ଭୁବନେଶ୍ୱର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଇସ୍ରୋ ମୁଖ୍ୟ କେ ଶିବନ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ଶନିବାର ଭୁବନେଶ୍ୱର ଅରୁଗୁଳସ୍ଥିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ଇସ୍ରୋ ମୁଖ୍ୟ ତଥା ରକେଟ୍‌ ମ୍ୟାନ୍‌ କେ ଶିବନ। ସେ ଆଇଆଇଟି ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେ ନିଜ ଛାତ୍ର ଜୀବନ ଓ ଚନ୍ଦ୍ରଜାନ-୨ ଉତ୍‌କ୍ଷେପଣ ସମ୍ପର୍କରେ କହିଥିଲେ।

କେ ଶିବନ ଛାତ୍ରଛାତ୍ରୀଙ୍କୁ ନିଜ ଛାତ୍ର ଜୀବନ ବିଷୟରେ କହିଥିଲେ, ‘‘ମୁଁ ସବୁବେଳେ ଛାତ୍ରଛାତ୍ରୀଙ୍କ ଭିତରେ ନିଜକୁ ଦେଖିଥାଏ। ମୁଁ ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲାର ଏକ କୃଷକ ପରିବାରୁ ଆସିଛି। ମୁଁ ମୋ ପ୍ରାରମ୍ଭିକ ଶିକ୍ଷା ସରକାରୀ ସ୍କୁଲରୁ କରିଥିଲି। ମୁଁ କଲେଜ ବି ସରକାରୀ କଲେଜରୁ କରିଛି। ଛାତ୍ର ଜୀବନରେ ମୁଁ ବହୁତ ଲାଜୁଆ ଥିଲି। ଏସ୍‌ଟି ହିନ୍ଦୁ କଲେଜରୁ ମୁଁ ଗଣିତରେ ବିଏସ୍‌ ପାସ୍‌ କରିଥିଲି। ମୁଁ ମୋ ଜୀବନରେ କେବେ ବି ମୋର ପ୍ରଥମ ଇଚ୍ଛା ପୂରଣ କରିପାରି ନାହିଁ।’’

ଶିବନ ଛାତ୍ରଛାତ୍ରୀଙ୍କୁ ଅବଦୁଲ କଲାମଙ୍କ ବିଷୟରେ ବି କହିଥିଲେ।

ସେ କହିଥିଲେ ଯେ, ମହାପୁରୁଷଙ୍କୁ ଅନୁସରଣ କର ତାଙ୍କ ଭଳି ହେବାକୁ ଚେଷ୍ଟା କରନି। ସବୁବେଳେ ନିଜସ୍ୱ ବୁଦ୍ଧି ଏବଂ କୌଶଳକୁ ବ୍ୟବହାର କର। ନିଜର ବୁଦ୍ଧିକୁ ବ୍ୟବହାର କର, ନା କି ଆଉ କାହାର ବୁଦ୍ଧିକୁ କପି କର।

ସେ ଆହୁରି ମଧ୍ୟ କହିଥିଲେ, ‘‘ବୈଷୟିକ ଜ୍ଞାନକୌଶଳ ବୃଦ୍ଧିରେ ଆଇଆଇଟିର ପ୍ରମୁଖ ଭୂମିକା ନେଇଛି। ବୈଷୟିକ ଜ୍ଞାନ କୌଶଳ ଦ୍ଵାରା ଜୀବନ ଧାରଣ ମାନ ବଢ଼ିପାରିବ। ’’

Comment